Advertisment

ମମତା ଦେଲେ ଜାମଦାନି ଶାଢ଼ୀ, ନବୀନ ଦେଲେ ଛେନାପୋଡ଼

ଦୁଇ ଆଞ୍ଚଳିକ ଦଳର ସୁପ୍ରିମୋଙ୍କ ମଧ୍ୟରେ ରାଜନୀତିକ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନଥିବା ଦୁଇ ନେତା କହିଥିବାବେଳେ ସଂଘୀୟ ବ୍ୟବସ୍ଥାର ସ୍ଥାୟିତ୍ୱ ଓ ସୁଦୃଢ଼ ବଜାୟ ରହିବା ଉପରେ ଗୁରୁତ୍ୱ ଦେଇଥିଲେ ।

author-image
Ordigital Desk
Mamata Banarjee and Naveen Patnaik

Mamata Banarjee and Naveen Patnaik

ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ଦିନିଆ ଗସ୍ତ ଶେଷ କରି କୋଲକାତା ଫେରିଯିବା ପୂର୍ବରୁ ଆଜି ଅପରାହ୍ନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି । ଦୁଇ ଆଂଚଳିକ ଦଳର ସୁପ୍ରିମୋଙ୍କ ମଧ୍ୟରେ ରାଜନୀତିକ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନଥିବା ଦୁଇ ନେତା କହିଥିବାବେଳେ ସଂଘୀୟ ବ୍ୟବସ୍ଥାର ସ୍ଥାୟିତ୍ୱ ଓ ସୁଦୃଢ଼ ବଜାୟ ରହିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ଦୁଇ ନେତା କହିଥିବାବେଳେ ପରସ୍ପରକୁ ଦେଇଥିବା ଉପହାରକୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

ଆଜି ନବୀନ ନିବାସରେ ମମତାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କରିବା ସହ ତିନିରଥର କାଠ ତିଆରି ପ୍ରତିକୃତି ସମେତ ଛେନାପୋଡ଼ ଓ ରୂପା ତାରକାସିର କାରୁକାର୍ଯ୍ୟର ଉପହାର ଦେଇଥିଲେ । ମମତା ମଧ୍ୟ ସାଙ୍ଗରେ ଆଣିଥିବା ବିଶ୍ୱ ବାଂଲା ଦ୍ୱାରା ପ୍ରସ୍ତୁତ ଏକ ଶାଲ୍ ନବୀନଙ୍କୁ ଉପହାର ଦେବା ସହ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କ ଫଟୋ ଚିତ୍ର ନିକଟରେ ଏକ ଜାମଦାନି ଶାଢ଼ୀ ଦେଇ ଶ୍ରଦ୍ଧା ନିବେଦନ କରିଥିଲେ ।

ଏହି ସାକ୍ଷାତ ଆଲୋଚନା ପରେ ଦୁଇ ନେତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ନବୀନ କହିଥିଲେ ଯେ, ଆଜିର ସାକ୍ଷାତ ସୌଜନ୍ୟମୂଳକ ଥିଲା, କୌଣସି ଗୁରୁତ୍ୱପୂର୍ଣ୍ଣ ରାଜନୀତିକ ଆଲୋଚନା ହୋଇନି । ଭାରତର ସଂଘୀୟ ଢ଼ାଂଚାର ସ୍ଥାୟିତ୍ୱ ଓ ସୁଦୃଢ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଥିଲୁ ।

Advertisment

ସେହିପରି ନବୀନ ପଟ୍ଟନାୟକଙ୍କ ବୟାନକୁ ସମର୍ଥନ କରି ମମତା କହିଥିଲେ ଯେ, ସଂଘୀୟ ଢାଂଚା ସୁଦୃଢ଼ ଆବଶ୍ୟକ । ପଡ଼ୋଶୀ ରାଜ୍ୟ ଭାବେ ଆମର ଭଲ ସମ୍ପର୍କ ରହିଛି । ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ନିବିଡ଼ ସମ୍ପର୍କ । ଓଡ଼ିଶାରେ ବାତ୍ୟା ହେଲେ ପଶ୍ଚିମବଙ୍ଗ ପ୍ରଭାବିତ ହୁଏ । ନବୀନ ପଟ୍ଟନାୟକ ଜଣେ ବହୁତ ବଡ଼ ନେତା । ନବୀନ ପଟ୍ଟନାୟକଙ୍କ ପାଖରେ କୃତଜ୍ଞ । ବାଂଲା ନିବାସ ପାଇଁ ପୁରୀରେ ୨ଏକର ଜମି ଦେଇଥିବାରୁ ଧନ୍ୟବାଦ ଜଣାଉଛି । ଓଡ଼ିଶାରେ ବହୁତ ଭଲ ଆତିଥ୍ୟ ମିଳିଲା । ସୁରକ୍ଷା ଓ ପ୍ରୋଟୋକଲ ପ୍ରତି ପୁରା ଧ୍ୟାନ ସରକାର ଦେଇଥିଲେ । ଦାୟିତ୍ୱରେ ଥିବା ଅଫିସରମାନେ ବହୁତ ଭଲ ସୁବିଧା ଯୋଗାଇ ଦେଲେ । ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ବହୁତ ଭଲ ଦର୍ଶନ ହେଲା, ପୂଜା ହେଲା । ପଶ୍ଚିମବଙ୍ଗ ଦୀଘାରେ ୧୦୦କୋଟି ଟଙ୍କା ବ୍ୟୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ରାଜ୍ୟ ସରକାର କରୁଛନ୍ତି । । ପଶ୍ଚିମବଙ୍ଗ ଯିବା ପାଇଁ ନବୀନ ବାବୁଙ୍କୁ ନିମନ୍ତ୍ରଣ କରିଛି । ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଇଣ୍ଡଷ୍ଟ୍ରିଆଲ କରିଡ଼ର ସ୍ଥାପନା ପାଇଁ ମମତା ଆଶାବ୍ୟକ୍ତ କରିଛନ୍ତି ।ରାଜନୀତି ଓ ତୃତୀୟ ସାମ୍ମୁଖ୍ୟ ପ୍ରସଙ୍ଗରେ ମମତା କହିôଥଲେ ଯେ, ନିର୍ବାଚନ ହେବାକୁ ଆଉ ବର୍ଷେ ଅଛି । ଏନେଇ କିଛି ଆଲୋଚନା କରିନୁ ।  ଓଡ଼ିଶାରୁ ଲୁହାପଥର ଓ କଂଚାମାଲ ପଶ୍ଚିମବଙ୍ଗର ଶିଳ୍ପାନୁଷ୍ଠାନକୁ ଦେବା ନିମନ୍ତେ ରାଜ୍ୟର ଶିଳ୍ପ ସଂଘର ପ୍ରସ୍ତାବକୁ ନବୀନଙ୍କୁ ଦେଇ ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ, ମମତା ୩ଦିନିଆ ଓଡ଼ିଶା ଗସ୍ତରେ ଆସି ପୁରୀରେ ରହିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ । ଆଜି ନବୀନଙ୍କୁ ସାକ୍ଷାତ ପରେ ମମତା କୋଲକାତା ଫେରି ଯାଇଛନ୍ତି ।

BjD Mamata Banerjee Naveen Patnaik TMC