ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ଦିନିଆ ଗସ୍ତ ଶେଷ କରି କୋଲକାତା ଫେରିଯିବା ପୂର୍ବରୁ ଆଜି ଅପରାହ୍ନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି । ଦୁଇ ଆଂଚଳିକ ଦଳର ସୁପ୍ରିମୋଙ୍କ ମଧ୍ୟରେ ରାଜନୀତିକ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନଥିବା ଦୁଇ ନେତା କହିଥିବାବେଳେ ସଂଘୀୟ ବ୍ୟବସ୍ଥାର ସ୍ଥାୟିତ୍ୱ ଓ ସୁଦୃଢ଼ ବଜାୟ ରହିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ଦୁଇ ନେତା କହିଥିବାବେଳେ ପରସ୍ପରକୁ ଦେଇଥିବା ଉପହାରକୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି ।
ଆଜି ନବୀନ ନିବାସରେ ମମତାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କରିବା ସହ ତିନିରଥର କାଠ ତିଆରି ପ୍ରତିକୃତି ସମେତ ଛେନାପୋଡ଼ ଓ ରୂପା ତାରକାସିର କାରୁକାର୍ଯ୍ୟର ଉପହାର ଦେଇଥିଲେ । ମମତା ମଧ୍ୟ ସାଙ୍ଗରେ ଆଣିଥିବା ବିଶ୍ୱ ବାଂଲା ଦ୍ୱାରା ପ୍ରସ୍ତୁତ ଏକ ଶାଲ୍ ନବୀନଙ୍କୁ ଉପହାର ଦେବା ସହ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କ ଫଟୋ ଚିତ୍ର ନିକଟରେ ଏକ ଜାମଦାନି ଶାଢ଼ୀ ଦେଇ ଶ୍ରଦ୍ଧା ନିବେଦନ କରିଥିଲେ ।
ଏହି ସାକ୍ଷାତ ଆଲୋଚନା ପରେ ଦୁଇ ନେତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ନବୀନ କହିଥିଲେ ଯେ, ଆଜିର ସାକ୍ଷାତ ସୌଜନ୍ୟମୂଳକ ଥିଲା, କୌଣସି ଗୁରୁତ୍ୱପୂର୍ଣ୍ଣ ରାଜନୀତିକ ଆଲୋଚନା ହୋଇନି । ଭାରତର ସଂଘୀୟ ଢ଼ାଂଚାର ସ୍ଥାୟିତ୍ୱ ଓ ସୁଦୃଢ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଥିଲୁ ।
ସେହିପରି ନବୀନ ପଟ୍ଟନାୟକଙ୍କ ବୟାନକୁ ସମର୍ଥନ କରି ମମତା କହିଥିଲେ ଯେ, ସଂଘୀୟ ଢାଂଚା ସୁଦୃଢ଼ ଆବଶ୍ୟକ । ପଡ଼ୋଶୀ ରାଜ୍ୟ ଭାବେ ଆମର ଭଲ ସମ୍ପର୍କ ରହିଛି । ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ନିବିଡ଼ ସମ୍ପର୍କ । ଓଡ଼ିଶାରେ ବାତ୍ୟା ହେଲେ ପଶ୍ଚିମବଙ୍ଗ ପ୍ରଭାବିତ ହୁଏ । ନବୀନ ପଟ୍ଟନାୟକ ଜଣେ ବହୁତ ବଡ଼ ନେତା । ନବୀନ ପଟ୍ଟନାୟକଙ୍କ ପାଖରେ କୃତଜ୍ଞ । ବାଂଲା ନିବାସ ପାଇଁ ପୁରୀରେ ୨ଏକର ଜମି ଦେଇଥିବାରୁ ଧନ୍ୟବାଦ ଜଣାଉଛି । ଓଡ଼ିଶାରେ ବହୁତ ଭଲ ଆତିଥ୍ୟ ମିଳିଲା । ସୁରକ୍ଷା ଓ ପ୍ରୋଟୋକଲ ପ୍ରତି ପୁରା ଧ୍ୟାନ ସରକାର ଦେଇଥିଲେ । ଦାୟିତ୍ୱରେ ଥିବା ଅଫିସରମାନେ ବହୁତ ଭଲ ସୁବିଧା ଯୋଗାଇ ଦେଲେ । ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ବହୁତ ଭଲ ଦର୍ଶନ ହେଲା, ପୂଜା ହେଲା । ପଶ୍ଚିମବଙ୍ଗ ଦୀଘାରେ ୧୦୦କୋଟି ଟଙ୍କା ବ୍ୟୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ରାଜ୍ୟ ସରକାର କରୁଛନ୍ତି । । ପଶ୍ଚିମବଙ୍ଗ ଯିବା ପାଇଁ ନବୀନ ବାବୁଙ୍କୁ ନିମନ୍ତ୍ରଣ କରିଛି । ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଇଣ୍ଡଷ୍ଟ୍ରିଆଲ କରିଡ଼ର ସ୍ଥାପନା ପାଇଁ ମମତା ଆଶାବ୍ୟକ୍ତ କରିଛନ୍ତି ।ରାଜନୀତି ଓ ତୃତୀୟ ସାମ୍ମୁଖ୍ୟ ପ୍ରସଙ୍ଗରେ ମମତା କହିôଥଲେ ଯେ, ନିର୍ବାଚନ ହେବାକୁ ଆଉ ବର୍ଷେ ଅଛି । ଏନେଇ କିଛି ଆଲୋଚନା କରିନୁ । ଓଡ଼ିଶାରୁ ଲୁହାପଥର ଓ କଂଚାମାଲ ପଶ୍ଚିମବଙ୍ଗର ଶିଳ୍ପାନୁଷ୍ଠାନକୁ ଦେବା ନିମନ୍ତେ ରାଜ୍ୟର ଶିଳ୍ପ ସଂଘର ପ୍ରସ୍ତାବକୁ ନବୀନଙ୍କୁ ଦେଇ ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।
ସୂଚନାଯୋଗ୍ୟ, ମମତା ୩ଦିନିଆ ଓଡ଼ିଶା ଗସ୍ତରେ ଆସି ପୁରୀରେ ରହିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିଲେ । ଆଜି ନବୀନଙ୍କୁ ସାକ୍ଷାତ ପରେ ମମତା କୋଲକାତା ଫେରି ଯାଇଛନ୍ତି ।