Advertisment

ମନମୋହନ ସାମଲ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ

ଅମିତ ଶାହ ଆସନ୍ତା ମାସରେ ଭଦ୍ରକ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଭଦ୍ରକର ନେତା ମନମୋହନ ସାମଲଙ୍କୁ ଦଳର ସଭାପତି ଦାୟିତ୍ୱ ଦିଆଯାଇଥିବାରୁ ବିଜେପି କର୍ମକର୍ତ୍ତା ବେଶ ଉତ୍ସାହିତ ଅଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Manmohan Samal

Manmohan Samal

ମନମୋହନ ସାମଲ ହେଲେ ରାଜ୍ୟ ବିଜେପିର ନୂଆ ସଭାପତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ଗୁରୁଦାୟିତ୍ୱ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି ।   

Advertisment

ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳର ଜଣେ ବରିଷ୍ଠ ନେତା । ତାଙ୍କ ପାଇଁ ସଭାପତି ଦାୟିତ୍ୱ ନୂଆ ନୁହେଁ।  ମନମୋହନ ସାମଲ ପୂର୍ବରୁ ୧୯୯୯-୨୦୦୦ ଓ ୨୦୦୧-୨୦୦୪ ମସିହା ପର୍ଯ୍ୟନ୍ତ ୨ ଥର ଦଳର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି। 

କଲେଜରେ ପଢ଼ିବା ସମୟରେ ରାଜନୀତିକୁ ଆସିଥିଲେ ମନମୋହନ। ୧୯୭୯ ମସିହାରେ ସେ ଭଦ୍ରକ କଲେଜ ଛାତ୍ର ସଂଘ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ସଦସ୍ୟ ଥିଲେ। 

Advertisment

ବିଜେପିର ସକ୍ରିୟ ସଦସ୍ୟ ଭାବେ ବିଭିନ୍ନ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ମନମୋହନ। ୨୦୦୪ରେ ସେ ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ଏହି ସମୟରେ ସେ ବିଜେଡି-ବିଜେପି ମେଣ୍ଟ ସରକାରରେ ରାଜସ୍ୱ ଓ ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ।  

ଗତ ଧାମନଗର ଉପ-ନିର୍ବାଚନରେ ଦଳର ବିଜୟରେ ମନମୋହନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଯେଉଁଥିପାଇଁ ତାଙ୍କୁ ସଭାପତି ପଦ ପୁରସ୍କାରରେ ମିଳିଥିବା ଆଲୋଚନା ହେଉଛି।

ନୂଆ ଦାୟିତ୍ୱ ମିଳିବା ପରେ ମନମୋହନ ସାମଲ କହିଛନ୍ତି, ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି । ରାଜ୍ୟରେ ଚାଲିଥିବା ସରକାର ଅନ୍ୟାୟ ଓ ଅତ୍ୟାଚାର କରୁଛନ୍ତି। ଅନ୍ୟାୟ, ଅତ୍ୟାଚାର ଓ ଦୁର୍ନୀତି ବିରୋଧରେ ବିଜେପି ଲଢ଼େଇ କରିବ। ଓଡ଼ିଶାରେ ଦୁର୍ନୀତିଗ୍ରସ୍ତଙ୍କ ଶାସନ ଚାଲିଛି, ତାକୁ ୨୦୨୪ରେ ପରିବର୍ତ୍ତନ କରାଯିବ।

ଓଡ଼ିଶାରେ ଗାଁ ଗାଁରେ ରାଜ୍ୟ ସରକାରଙ୍କ ବିରୋଧରେ ଅସନ୍ତୋଷ ରହିଛି। ଲୋକଙ୍କ ଅସନ୍ତୋଷର ବିସ୍ଫୋରଣରେ ସରକାର ଶେଷ ହୋଇଯିବ।ଲୋକେ ବିକଳ୍ପକୁ ଅପେକ୍ଷା କରିଛନ୍ତି। ଆମେ ସେହି ବିକଳ୍ପ ଦେବୁ। ଯେତେବେଳେ ନିର୍ବାଚନ ହେବ, ଏ ସରକାର ଶେଷ ହୋଇଯିବ ବୋଲି କହିଛନ୍ତି ମନମୋହନ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ମନମୋହନ ସାମଲ ଜଣେ ତୃଣମୂଳ ସ୍ତରର ନେତା । ତାଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ନିମନ୍ତେ ଦଳକୁ ମଜବୁତ କରାଯିବ । ସୁନୀଲ ବଂଶଲ ପ୍ରଭାରୀ ଦାୟିତ୍ୱ ନେବା ପରେ ଦଳର ନବକଳେବର କରାଯାଉଛି। ସରକାର ଗଠନ କରିବା ପାଇଁ ଆମେ ପ୍ରସ୍ତୁତି ଚଳାଇଛୁ। ବିଜେଡି ପଛୁଆ ବର୍ଗର କାର୍ଡ ଖେଳିବାକୁ ଚେଷ୍ଟା ଚଳାଇଥିବା ବେଳେ ମନମୋହନ ସାମଲ ଜଣେ ପଛୁଆ ବର୍ଗର ନେତା। ସେ ଭଲ ଭାବେ ଦାୟିତ୍ୱ ନିର୍ବାହ କରି ପାରିବେ । ମନମୋହନଙ୍କ ନେତୃତ୍ୱରେ ଦଳ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବ ଓ ବିଜୟ ହାସଲ କରିବ ବୋଲି ଆଶା ରଖିଛୁ।

ଅମିତ ଶାହ ଆସନ୍ତା ମାସରେ ଭଦ୍ରକ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଭଦ୍ରକର ନେତା ମନମୋହନ ସାମଲଙ୍କୁ ଦଳର ସଭାପତି ଦାୟିତ୍ୱ ଦିଆଯାଇଥିବାରୁ ବିଜେପି କର୍ମକର୍ତ୍ତା ବେଶ ଉତ୍ସାହିତ ଅଛନ୍ତି।

ମନମୋହନ ରାଜ୍ୟ ବିଜେପିର ମୁଖିଆ ହେବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

Bjp Manmohan Samal