Advertisment

ଜାତି, ଜାତକ, ଯୌତୁକକୁ ବାଦ୍ ଦେଇ ୨୫ ଯୋଡ଼ା ପ୍ରେମୀ ଯୁଗଳଙ୍କ ପଡ଼ିଲା ହାତଗଣ୍ଠି

ଦୁଲୁକୁଥିଲା ରାଜଧାନୀ ଭୁବନେଶ୍ୱର ରାମ ମନ୍ଦିର ରାଜରାସ୍ତା l ରୋଷଣୀ କରି ରାମ ମନ୍ଦିରରେ ପହଞ୍ଚିଥିଲେ ଏକକାଳୀନ ୨୫ ଜଣ ବର।

author-image
Niranjan Mishra
ଅଦ୍ୟତନ ହୋଇଛି
Mass Wedding Ceremony

Mass Wedding Ceremony

ଜାତି, ଜାତକ, ଯୌତୁକକୁ ବାଦ୍ ଦେଇ ଆଜି ଗୋଟିଏ ବିବାହ ମଣ୍ଡପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୨୫ ଯୋଡ଼ା ପ୍ରେମୀ ଯୁଗଳ। ବାଜା ବାଜୁଥିଲା। ଦୁଲୁକୁଥିଲା ରାଜଧାନୀ ଭୁବନେଶ୍ୱର ରାମ ମନ୍ଦିର ରାଜରାସ୍ତା। ରୋଷଣୀ କରି ରାମ ମନ୍ଦିରରେ ପହଞ୍ଚିଥିଲେ ଏକକାଳୀନ ୨୫ ଜଣ ବର। ରାମ ମନ୍ଦିରରେ ଏହି ବରଙ୍କ ବାଟ ଚାହିଁ ବସିଥିଲେ ୨୫ କନିଆ। ହାତରେ ମେହେନ୍ଦୀ ଆଉ ପାଦରେ ଅଳତା ପିନ୍ଧି ସମସ୍ତେ ବଧୁବେଶ ଧରିଥିଲେ। ଶେଷରେ ଧୁମ୍‌ଧାମ୍‌ରେ ରାମ ମନ୍ଦିର ପ୍ରାଙ୍ଗଣରେ ଏହି ବର, କନିଆଙ୍କ ବିବାହ ହୋଇଥିଲା। ପ୍ରତିବର୍ଷ ପରି ପ୍ରୟାସ ପକ୍ଷରୁ ଆୟୋଜିତ ଗଣ ବିବାହ କାର୍ଯ୍ୟକ୍ରମରେ ଏହି ପ୍ରମିକ ଯୋଡ଼ିମାନେ ଆଜି ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଛନ୍ତି। ଅନୁଷ୍ଠାନ ପକ୍ଷରୁ ବରଯାତ୍ରୀଙ୍କୁ ପରଷି ଦିଆଯାଇଥିଲା ବିଭିନ୍ନ ରକମର ସ୍ୱାଦିଷ୍ଟ ଖାଦ୍ୟ।

Advertisment

ହିନ୍ଦୁ ରୀତିନୀତି ଅନୁସାରେ ବ୍ରାହ୍ମଣଙ୍କ ଦ୍ଵାରା ସଂପନ୍ନ ହୋଇଥିଲା ବିବାହ। ଏଇ ଯେମିତି ରାଷ୍ଟ୍ରପତିଙ୍କ ଗାଁର ଝିଅ ଲିଲିମତୀ ଆଉ ଭୁବନେଶ୍ୱର ସାଲିହା ସାହିର ଗୋବିନ୍ଦ। ଉଭୟଙ୍କୁ ବୟସ ପାଖାପାଖି ୪୦ ଛୁଇଁଲାଣି। ପ୍ରେମ କରି ବିବାହ କରିବାକୁ ସ୍ଥିର କଲେ। ହେଲେ ଅଧିକ ବୟସ ଏବଂ ଆର୍ଥିକ ଅସୁବିଧା ତାଙ୍କ ପାଇଁ ସମସ୍ୟା ଭାବେ ଠିଆ ହେଲା। ହେଲେ ପ୍ରୟାସ ପାଇଁ ସେମାନେ ଆଜି ଏକାଠି। ଠିକ୍ ସେମିତି ଭଦ୍ରକର ହରିଶ୍ ଚନ୍ଦ୍ର ଆଉ ମାନସୀ। ସେମାନେ ୪ ବର୍ଷ ହେଲା ପ୍ରେମ କରୁଥିଲେ, ହେଲେ ପରିବାର ବିବାହ ପାଇଁ ଅସମର୍ଥ ହେବାରୁ ପ୍ରୟାସ ସେମାନଙ୍କୁ ଏକାଠି କରିଛି।

ଅନେକ ସମୟରେ ପରିବାରର ଅସହମତି ଯୌତୁକ ଓ ସାମାଜିକ ପ୍ରଥା କାରଣରୁ ଅନେକ ଯୁବକ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇ ପାରୁ ନାହାନ୍ତି। ଏମିତି ଦମ୍ପତିଙ୍କ ବିବାହର ଦାୟିତ୍ୱ ନେଇଛି ସାମାଜିକ ସଂଗଠନ ପ୍ରୟାସ। ଦୀର୍ଘ ୯ ବର୍ଷ ଧରି ପ୍ରତି ବର୍ଷ ଏମିତି ଗଣ ବିବାହ କାର୍ଯ୍ୟକ୍ରମ କରି ଆସୁଛି ପ୍ରୟାସ। ଏବେ ସୁଦ୍ଧା ୨୨୭ଟି ଯୋଡିଙ୍କ ବିବାହ ସମ୍ପନ୍ନ ହୋଇଥିବା ବେଳେ ୧ ହଜାର ଯୋଡ଼ିଙ୍କ ବିବାହ କରିବାକୁ ଲକ୍ଷ୍ୟ ରଖିଛି ଏହି ଅନୁଷ୍ଠାନ।

Advertisment
Marriage