ମେଟ୍ରୋ ଟ୍ରେନ୍ : ଅପରାଜିତାଙ୍କ ଚିଠି ପରେ ନିଦ ଭାଙ୍ଗିଲା, ନିର୍ବାଚନକୁ ଦେଖି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗତ ଏକ ଦଶନ୍ଧି ଧରି ଭୁବନେଶ୍ୱର-କଟକ ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସ୍ୱପ୍ନ ଦେଖାଇ ଆସୁଥିବା ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଆଜି ପୁଣିଥରେ ଏହି ସ୍ୱପ୍ନ ଦେଖାଇଛନ୍ତି ।

Naveen Patnaik PhotoOR

ନବୀନ ପଟ୍ଟନାୟକ

Ordigital Desk
  • Published: Saturday, 01 April 2023
  • Updated: 01 April 2023, 09:07 PM IST

ଗତ ଏକ ଦଶନ୍ଧି ଧରି ଭୁବନେଶ୍ୱର-କଟକ ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସ୍ୱପ୍ନ ଦେଖାଇ ଆସୁଥିବା ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଆଜି ପୁଣିଥରେ ଏହି ସ୍ୱପ୍ନ ଦେଖାଇଛନ୍ତି । ଆଜି ଭୋର୍ ସମୟରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଅଫିସର୍ସ ଟିମ୍ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ବ୍ରିଜ୍ ପର୍ଯ୍ୟନ୍ତ ସରଜମିନ୍ ଅନୁଧ୍ୟାନ କରି ଫେରିବାର ମାତ୍ର ୬ଘଂଟା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର-କଟକ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ତେବେ ଦକ୍ଷିଣ କୋରିଆର ଦୋହା କମ୍ପାନୀ ଓ ବାଲାଜୀ ରେଲରୋଡ୍ ସିଷ୍ଟମ କମ୍ପାନୀ ଦ୍ୱାରା ହୋଇଥିବା ୨୦୧୬ ମସିହାର ସର୍ଭେ ରିପୋର୍ଟକୁ ଆଧାର କରି ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ଚଳାଇବା ସମ୍ଭବପର ନୁହେଁ ବୋଲି କହି ଚୁପଚାପ ବସି ପଡ଼ିଥିବା ରାଜ୍ୟ ସରକାରଙ୍କ ନିଦ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ୨୦୨୨ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠି ମିଳିବା ପରେ ଭାଙ୍ଗିଥିଲା ।

କେନ୍ଦ୍ର ସରକାରଙ୍କ ମେଟ୍ରୋ ରେଳ ନୀତି-୨୦୧୭ ଅନୁସାରେ ଭୁବନେଶ୍ୱର-କଟକ ମଧ୍ୟରେ ଜନସଂଖ୍ୟା ଦୃଷ୍ଟିରୁ ମେଟ୍ରୋ ଟ୍ରେନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ସମ୍ଭବପର ଓ ଏଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖିଥିଲେ । ପୂର୍ବରୁ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ମେଟ୍ରୋ ଟ୍ରେନ ଚଳାଚଳ କଥା କହିଥିବା ଶାସକ ବିଜେଡି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ‘ଘରେଘରେ ଶଙ୍ଖ’ ପ୍ରଚାରବେଳେ ବି ମେଟ୍ରୋ ଟ୍ରେନର ସ୍ପପ୍ନ ଦେଖାଇଥିଲା । ଏବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପୁଣିଥରେ ମେଟ୍ରୋ ଟ୍ରେନର ସ୍ୱପ୍ନ ଦେଖାଇଛି ।

Also Read

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର-କଟକ ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ବିଭିନ୍ନ ବର୍ଗରୁ ଦାବି ହେବା ପରେ ରାଜ୍ୟ ସରକାର ୨୦୧୩ ଅଗଷ୍ଟ ମାସରେ ଏହାର ଫିଜିବିଲିଟି ଷ୍ଟଡ଼ି ପାଇଁ ଟେଣ୍ଡର ପ୍ରକ୍ରିୟା ଆହ୍ୱାନ କରିଥିଲେ । ୨୦୧୪ ଫେବୃୟାରୀ ମାସରେ ହାଇଦ୍ରାବାଦର ବାଲାଜୀ ରେଲ ରୋଡ୍ ସିଷ୍ଟମ ଲିଃ(ବାରସିଲ) ଓ ଦକ୍ଷିଣ କୋରିଆ କମ୍ପାନୀ ଦୋହା ମିଳିତ ଭାବେ ଏହି ଟେଣ୍ଡର ହାତେଇଥିଲେ । ଏହି ସର୍ଭେ ପାଇଁ ରାଜ୍ୟ ସରକାର ୫୨ଲକ୍ଷ ଟଙ୍କା ଓ କେନ୍ଦ୍ର ସରକାର ୧୨.୬୧ଲକ୍ଷ ଟଙ୍କା ସମ୍ପୃକ୍ତ ସଂସ୍ଥାକୁ ଦେଇଥିଲେ । ୨୦୧୬ ମସିହାରେ ସମ୍ପୃକ୍ତ ସଂସ୍ଥା ନିଜର ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇ ଜନସଂଖ୍ୟା ଓ ଅନ୍ୟାନ୍ୟ ଭିତ୍ତିଭୂମି ଦୃଷ୍ଟିରୁ ୨୦୪୧ ମସିହା ପୂର୍ବରୁ ଭୁବନେଶ୍ୱର-କଟକ ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ସମ୍ଭବପର ନୁହେଁ ବୋଲି କହିଥିଲା । ଏହାପରେ ଚୁପଚାପ୍ ବସିଥିବା ରାଜ୍ୟର ଶାସକ ବିଜେଡି ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ‘ଘରେଘରେ ଶଙ୍ଖ’ କାର୍ଯ୍ୟକ୍ରମର ପ୍ରଚାରବେଳେ ମେଟ୍ରୋ ଟ୍ରେନ ଚଳାଚଳର ସ୍ୱପ୍ନ ଦେଖାଇଥିଲା । କିନ୍ତୁୁ ୨୦୨୧ ମାର୍ଚ୍ଚ ୩୦ତାରିଖରେ ତତକାଳୀନ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମବେଳେ ଏହି ଭୁବନେଶ୍ୱର-କଟକ ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ୨୦୪୧ ମସିହା ପୂର୍ବରୁ ସମ୍ଭବପର ନୁହେଁ ବୋଲି କହିବା ସହ ପରିବର୍ତ୍ତୀ ସମୟରେ ଖୋର୍ଦ୍ଧା,ଜଟଣୀ, ପୁରୀ,ଚଣ୍ଡିଖୋଲ ଆଦି ସହରକୁ ମିଶାଇ ଏହି ପ୍ରକଳ୍ପ ପାଇଁ ପୁଣିଥରେ ସର୍ଭେ କରିବାର ଯୋଜନା ରହିଥିବା କହିଥିଲେ ।

ମାତ୍ର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ୨୦୨୨ ସେପ୍ଟେମ୍ବର ୨୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ମେଟ୍ରୋ ଟ୍ରେନ ନୀତି-୨୦୧୭ ଅନୁସାରେ ୨୦ଲକ୍ଷ ଜନସଂଖ୍ୟା ଥିଲେ ମେଟ୍ରୋ ଟ୍ରେନ ଚଳାଚଳ ସମ୍ଭବପର ହେବ,ତେଣୁ ଭୁବନେଶ୍ୱର-କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ରାଜ୍ୟ ସରକାର ପଦକ୍ଷେପ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ । କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ୫୦ ପ୍ରତିଶତ ଅର୍ଥ ଦେବେ, ତେଣୁ ଆସନ୍ତା ୪-୫ବର୍ଷ ମଧ୍ୟରେ କେବଳ ଭୁବନେଶ୍ୱରର ଜନସଂଖ୍ୟା ୨୦ଲକ୍ଷ ଟପିବାର ଥିବାବେଳେ ଏବେ ଉଭୟ ଭୁବନେଶ୍ୱର-କଟକ ସହରର ଜନସଂଖ୍ୟା ୨୦ଲକ୍ଷରୁ ଅଧିକ ରହିଛି । ତେଣୁ ପ୍ରଥମ ପର୍ଯ୍ୟାୟରେ କେବଳ ଭୁବନେଶ୍ୱର ସହରରେ ମେଟ୍ରୋ ଟ୍ରେନ ଚଳାଚଳ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ଏପରିକି ରାଜ୍ୟ ସରକାର ଏଭଳି ପ୍ରସ୍ତାବ ପଠାଇବେ ବୋଲି ଆଶା ରଖି ସେ କେନ୍ଦ୍ର ସହରାଂଚଳ ବିକାଶ ମନ୍ତ୍ରୀଙ୍କୁ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଓଡ଼ିଶାର ପ୍ରସ୍ତାବ ଉପରେ ସକରାତ୍ମକ ପଦକ୍ଷେପ ନେବାକୁ ଚିଠି ଲେଖିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ରାଜ୍ୟ ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଅପରାଜିତାଙ୍କ ଏହି ଚିଠି ପରେ ରାଜ୍ୟ ସରକାରଙ୍କ ଚେତା ପଶିଥିଲା । ୨୦୨୨ ଡିସେମ୍ବର ମାସରେ ଭୁବନେଶ୍ୱର କ୍ୟାପିଟାଲ ରିଜନରେ ମାସ୍ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ(ଏମଆରଟିଏସ) କାର୍ଯ୍ୟକାରୀ ନିମନ୍ତେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଥିଲା । ପରେ ୨୦୨୩ ଫେବୃୟାରୀ ୭ତାରିଖରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ବୈଠକ ବସି ଏହି ମେଟ୍ରୋ ଟ୍ରେନ୍ ଚଳାଚଳ ନିମନ୍ତେ ବୈଷୟିକ ଦିଗ ଉପରେ ବିସ୍ତୃତ ଆଲୋଚନା ସହ ଏକ ପାୱାରପଏଂଟ ପ୍ରେଜେଣ୍ଟେସନ୍ ମଧ୍ୟ ହୋଇଥିଲା । ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ସରକାରଙ୍କ ଅନୁମୋଦନ ନିମନ୍ତେ ସୁପାରିଶ କରାଯାଇଥିଲା । ଉକ୍ତଦିନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ‘ଖୁବଶୀଘ୍ର ଓଡ଼ିଶାକୁ ଭଲ ଖବର ମିଳିବ, ଜୟ ଜଗନ୍ନାଥ’ ଲେଖି ମେଟ୍ରୋ ଟ୍ରେନର ଫଟୋ ପୋଷ୍ଟ କରିଥିଲେ ।

ଏପଟେ ରାଜ୍ୟ ନଗର ଉନ୍ନୟନ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକଳ୍ପରେ କେତେ ଟଙ୍କା ଖର୍ଚ୍ଚ ହେବ, ଜମି ଅଧିଗ୍ରହଣ କେଉଁ ଅଂଚଳରେ ହେବ ସେସବୁ ଡିପିଆର ରିପୋର୍ଟ ଆସିବା ପରେ ଜଣାପଡ଼ିବ । କିନ୍ତୁ ମେଟ୍ରୋ ଟ୍ରେନ ଚଳାଚଳ ହେଲେ ଓଡ଼ିଶାରେ ପୁଞ୍ଜିନିବେଶ ପରିମାଣ ବୃଦ୍ଧି ପାଇବ । ତେବେ ରାଜ୍ୟ ସରକାରଙ୍କ ପ୍ରାରମ୍ଭିକ ଆକଳନ ଅନୁସାରେ ଓଡ଼ିଶାରେ ମେଟ୍ରୋ ଟ୍ରେନ ପ୍ରକଳ୍ପ କାର୍ଯ୍ୟକ୍ଷମ ନିମନ୍ତେ ପ୍ରତି କିମି ପିଛା ପ୍ରାୟ ୧୮୦ରୁ ୨୦୦କୋଟି ଟଙ୍କା ଖର୍ଚ୍ଚ ହେବ । ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ବ୍ରିଜ୍ ପର୍ଯ୍ୟନ୍ତ ପ୍ରାୟ ୩୦କିମି ରାସ୍ତାରେ ମେଟ୍ରୋ ଟ୍ରେନ ପ୍ରକଳ୍ପ ନିମନ୍ତେ ପ୍ରାୟ ୬ହଜାର କୋଟି ଟଙ୍କା ବ୍ୟୟ ହେବ ବୋଲି ଆକଳନ ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବାକୁ ଅତିକମରେ ୮ରୁ ୧୦ବର୍ଷ ସମୟ ଲାଗିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ସହରାଂଚଳ ବିକାଶ ମନ୍ତ୍ରୀ କୌଶଲ କିଶୋର ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଓଡ଼ିଶା ସରକାର ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ପଠାଇନଥିବା ସ୍ପଷ୍ଟ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos