Advertisment

ହଜାରେ କୋଟିର ଲୁଟ୍‌: ଆଇଏଏସ୍ ରଞ୍ଜନ ଦାସ ମୁଖ୍ୟ କାର୍ପଟଦାର, ତୃତୀୟ ମହଲା ଯାଏ ଲମ୍ବିଛି ଚେର

ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଇଙ୍ଗିତରେ ତତକାଳୀନ ଜିଲ୍ଲାପାଳ ଆଇଏଏସ୍ ରଞ୍ଜନ ଦାସ ଏହି ଲୁଟର ମୁଖ୍ୟ କାର୍ପଟଦାର ଥିଲେ ଓ ଏହି ଲୁଟର ଚେର ତୃତୀୟ ମହଲା ପର୍ଯ୍ୟନ୍ତ ଲମ୍ବିଛି ବୋଲି ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଅଭିଯୋଗ କରିଛନ୍ତି ।

ଅଦ୍ୟତନ ହୋଇଛି
RTI Activist Press Meet

RTI Activist Press Meet

Advertisment

ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ରୁ ପ୍ରାୟ ହଜାରେ କୋଟି ଟଙ୍କାର କଳାପଥର ଲୁଟ୍ ହୋଇଛି । ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଇଙ୍ଗିତରେ ତତକାଳୀନ ଜିଲ୍ଲାପାଳ ଆଇଏଏସ୍ ରଞ୍ଜନ ଦାସ ଏହି ଲୁଟର ମୁଖ୍ୟ କାର୍ପଟଦାର ଥିଲେ ଓ ଏହି ଲୁଟର ଚେର ତୃତୀୟ ମହଲା ପର୍ଯ୍ୟନ୍ତ ଲମ୍ବିଛି ବୋଲି ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଅଭିଯୋଗ କରିଛନ୍ତି । ଶାସକ ବିଜେଡି ସହ ସମ୍ପୃକ୍ତି ବ୍ୟକ୍ତିମାନେ ଖଣି ଲିଜ୍ ନେଇ ଏଭଳି ସଂଗଠିତ ଖଣି ଲୁଟ୍ କରୁଛନ୍ତି ଓ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ ପରେ ଏସବୁ ତଥ୍ୟ ପଦାକୁ ଆସିପାରିଛି ବୋଲି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି ।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଅଧିକାର ଅଭିଯାନର ସଦସ୍ୟ ଶ୍ରୀ ପ୍ରଧାନ ଓ ଶ୍ରୀ ବେହୁରା କହିଛନ୍ତି ଯେ, ଯାଜପୁର ଜିଲ୍ଲାପାଳ ଥିବାବେଳେ ଆଇଏଏସ୍ ରଞ୍ଜନ ଦାସ ବିଛାଖଣ୍ଡି ପାହାଡ଼ରେ ଶହ ଶହ କୋଟି ଟଙ୍କାର କଳାପଥର ଦୁର୍ନୀତିରେ ସମ୍ପୃକ୍ତି ଥିଲେ । ଏବେ ତାଙ୍କୁ ସରକାର କିଭଳି ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ନିଯୁକ୍ତି କଲେ ତାହା ଆଶ୍ଚର୍ଯ୍ୟର କଥା । ବିଛାଖଣ୍ଡି କଳାପଥର ଖଣି ଖନନ ପାଇଁ ରଞ୍ଜନ ଦାସ ଖୋଲାଖୋଲି ଭାବେ ଲିଜଧାରୀଙ୍କୁ ସୁରକ୍ଷା ଏବଂ ସହଯୋଗ କରିଥିଲେ । ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ମାମଲାର ତଦନ୍ତବେଳେ ରାଜ୍ୟ ଭିଜିଲାନ୍ସ ରଞ୍ଜନ ଦାସଙ୍କୁ ଅଭିଯୁକ୍ତ ଦର୍ଶାଇ ଏକ ନମ୍ବର ଅଭିଯୁକ୍ତ ଭାବେ ଚିତ୍ରଣ କରିଛି ।

୮୯୦ ଏକର ପରିମିତ ଏହି ବିଛାଖଣ୍ଡି ସଂରକ୍ଷିତ ଜଙ୍ଗଲ ମଧ୍ୟରେ କଳାପଥର ଖଣି ଲିଜ୍ ଦେବାପାଇଁ କେନ୍ଦ୍ର ସରକାର କୌଣସି ଅନୁମତି ଦେଇନାହାନ୍ତି । ଖଣି ମାଫିଆମାନେ ବେଆଇନ ଭାବେ ଶହଶହ ଟନ୍ କଳାପଥର ଚୋରି କରୁଥିବା ନେଇ ଜିଲ୍ଲା ପ୍ରଶାସନକୁ ଡିଏଫଓ ଅବଗତ କରାଇବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ । ଉକ୍ତ ଅଂଚଳରେ ଖଣି ଖନନ ପାଇଁ କୌଣସି ବ୍ୟକ୍ତିଙ୍କୁ ଲିଜ୍ ଦିଆଯାଇ ନାହିଁ ଏବଂ ଯେଉଁ ଖଣି ଖନନ ଚାଲିଛି ତାହା ସମ୍ପୂର୍ଣ୍ଣ ବେଆଇନ ବୋଲି ଧର୍ମଶାଳା ତହସିଲ ସୂଚନା ଅଧିକାର ଆଇନରେ ତଥ୍ୟ ଦେଇଥିଲା । ବିଛାଖଣ୍ଡି ପାହାଡ଼ରେ ଚାଲିଥିବା କଳାପଥର ଚୋରିକୁ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଶ୍ରୀ ବେହୁରା ୨୦୨୧ ମସିହା ଫେବୃୟାରୀ ୮ ତାରିଖରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ସହ ଏହାର ତଦନ୍ତ ପାଇଁ ଦାବି କରିଥିଲେ । ଲୋକାୟୁକ୍ତ ଏହି ମାମଲାରେ ଯାଜପୁର ଜିଲ୍ଲାପାଳ ଓ ଧର୍ମଶାଳା ତହସିଲଦାରଙ୍କୁ ନୋଟିସ ଜାରି କରିଥିଲେ ।

Advertisment

କିନ୍ତୁ ସେମାନଙ୍କ ଉତ୍ତର ସନ୍ତୋଷଜନକ ନହେବାରୁ ରାଜ୍ୟ ଭିଜିଲାନ୍ସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଉ ଭିଜିଲାନ୍ସ ବର୍ଷାଧିକ ସମୟ ନେଇ ୨୦୨୩ ଏପ୍ରିଲ ୨୮ତାରିଖରେ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି, ମାତ୍ର ଖଣିଚୋରିର ସଠିକ୍ ଆକଳନ କରିନଥିବା ଶ୍ରୀ ବେହୁରା କହିଛନ୍ତି । ଖଣି ଖନନର ଯାଂଚ ପାଇଁ ହାଇଦ୍ରାବାଦସ୍ଥିତ ଇସ୍ରୋର ସହାୟତା ମଧ୍ୟ ଭିଜିଲାନ୍ସ ନେଇଥିଲା । ରାଜ୍ୟ ଭିଜିଲାନସକୁ ୨୦୦୫ରୁ ୨୦୨୦ ମଧ୍ୟରେ ବିଛାଖଣ୍ଡି ପାହାଡ଼ର ସାଟେଲାଇଟ୍ ଛବି ଉତ୍ତୋଳନ କରି ଇସ୍ରୋ ପ୍ରଦାନ କରିଥିଲା । ତେବେ ଉକ୍ତ କଳାପଥର ଖନନ ଯୋଗୁଁ ବିଛାଖଣ୍ଡି ପାହାଡ଼ରେ ବଡ଼ବଡ଼ ପୋଖରୀ ସୃଷ୍ଟି ହୋଇ ସେଥିରେ ପାଣି ଭର୍ତ୍ତି ଥିବାରୁ ୨୦୦୫ରୁ ୨୦୨୦ ମଧ୍ୟରେ ଉକ୍ତ ସ୍ଥାନରେ କେତେ ପଥର ଖୋଳାଯାଇଛି, ଭିଜିଲାନ୍ସ ସେଥିପାଇଁ ଓରସାକଠାରୁ ବୈଷୟିକ ସହାୟତା ଲୋଡ଼ିଛି ।

ବେଧଡ଼କ କଳାପଥର ଚୋରିର ତଦନ୍ତ କରି ରାଜ୍ୟ ଭିଜିଲାନସ ଏହି ଚୋରୀ ଯୋଗୁ ୨୦୦ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି ବୋଲି ବୋଲି ଏକ ରିପୋର୍ଟ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିଛି । ଲୋକାୟୁକ୍ତ ଏହି ରିପୋର୍ଟ ଆଧାରରେ ଏହି ହରିଲୁଟରେ ସମ୍ପୃକ୍ତ ତତ୍କାଳୀନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ପୂର୍ବତନ ଧର୍ମଶାଳା ତହସିଲଦାର ପ୍ରଭାସ କୁମାର ବେହୁରା, ଶୀତଳ ଅଗ୍ରୱାଲ, ସରୋଜ କୁମାର ପଣ୍ଡା, ପୂର୍ବତନ ରାଜସ୍ୱ ନିରୀକ୍ଷକ ବୀରକିଶୋର ମହାରଣା, ସୁଶାନ୍ତ କୁମାର ସ୍ୱାଇଁଙ୍କ ସମେତ ୮ଜଣ ଲିଜଧାରୀଙ୍କୁ ଆସନ୍ତା ଜୁନ ୨୩ ତାରିଖ ମଧ୍ୟରେ ଜବାବ ଦାଖଲ ପାଇଁ ନୋଟିସ୍ ଜାରି କରିଛନ୍ତି ବୋଲି ଶ୍ରୀ ବେହୁରା କହିଛନ୍ତି ।

ସବୁ ମିଶାଇଲେ ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ଏହି ବିଛାଖଣ୍ଡି ପାହାଡ଼ରେ ପ୍ରାୟ ୧୦୦୦ କୋଟି ଟଙ୍କାର କଳାପଥର ଲୁଟ୍ ହୋଇଛି ବୋଲି ଶ୍ରୀ ବେହୁରା ଅଭିଯୋଗ କରିଛନ୍ତି । ସଂରକ୍ଷିତ ଜଙ୍ଗଲରେ କେନ୍ଦ୍ର ସରକାରଙ୍କ ବିନା ଅନୁମୋଦନରେ ଜିଲ୍ଲା ପ୍ରଶାସନ କିପରି କଳାପଥର ଖଣି ଲିଜ୍ ଦେଲା ଏବଂ ଚୋରି ହେଲା ଏହାର ତଦନ୍ତ ସହ ଡିିଏଫଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶ୍ରୀ ବେହୁରା ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ମଧ୍ୟ ଚିଠି ଲେଖିଛନ୍ତି ।

ସେହିପରି ସୂଚନା କର୍ମୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଛାଖଣ୍ଡି ପାହାଡ଼ରେ ଦୀର୍ଘଦିନ ଧରି ଖଣି ବେପାରୀଙ୍କ ଦ୍ୱାରା ଚାଲିଥିବା ଏହି ଲୁଟ୍ ବିଜେଡି ସରକାରରେ ଯାଜପୁର ଜିଲ୍ଲା ଇତିହାସରେ ଏହା ସବୁଠାରୁ ବଡ଼ ଧରଣର ଖଣି ଲୁଟ୍ । ଶାସକ ବିଜେଡିର ସ୍ଥାନୀୟ ନେତା, ପ୍ରଶାସନିକ ଅଧିକାରୀ, ପୋଲିସ୍ ଅଧିକାରୀ, ଜଙ୍ଗଲ ବିଭାଗ ଅଧିକାରୀଙ୍କ ମିଳିତ ଉଦ୍ୟମ ଓ ସହାୟତାରେ ବର୍ଷବର୍ଷ ଧରି ଖଣି ମାଫିଆମାନଙ୍କ ଦ୍ୱାରା ଏତେ ବଡ଼ କଳାପଥର ଲୁଟ୍ ସମ୍ଭବ ହେଲା ବୋଲି ସେ କହିଛନ୍ତି ।

Bjd Leader Scam Odisha Administration Odisha Governance Land Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe