Advertisment

ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିଭାଗ ଜାଣିନାହାନ୍ତି ରାଜ୍ୟର ଉନ୍ନୟନ କମିଶନର

ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ରାଜ୍ୟ ସରକାରର କେଉଁ ବିଭାଗର ମନ୍ତ୍ରୀ ଅଛନ୍ତି ସେ ସମ୍ପର୍କରେ ରାଜ୍ୟର ଉନ୍ନୟନ କମିଶନର ଅନୁ ଗର୍ଗ ଅବଗତ ନାହାନ୍ତି ।

author-image
Ordigital Desk
Odisha Day celebration

Odisha Day celebration

ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ରାଜ୍ୟ ସରକାରର କେଉଁ ବିଭାଗର ମନ୍ତ୍ରୀ ଅଛନ୍ତି ସେ ସମ୍ପର୍କରେ ରାଜ୍ୟର ଉନ୍ନୟନ କମିଶନର ଅନୁ ଗର୍ଗ ଅବଗତ ନାହାନ୍ତି । ଆପଣ ହୁଏତ ବିଶ୍ୱାସ କରିନପାରନ୍ତି । କିନ୍ତୁ ଏହା ସତ । ଆଜି ଦୁବାଇରେ ‘ଓଡ଼ିଶା ଦିବସ’ ପାଳନବେଳେ ଏଭଳି ଅକ୍ଷମଣୀୟ ତ୍ରୁଟି ପଦାକୁ ଆସିଛି । କେବଳ ସେତିକି ନୁହେଁ ‘ଓଡ଼ିଶା ଦିବସ’ ପାଳନ ସମାରୋହରେ ରାଜ୍ୟର ବିଧାୟକ ଓ ସାଂସଦମାନେ ଉପସ୍ଥିତ ଥିଲେ ମଧ୍ୟ ନିଜ ଉଦଘାଟନୀ ଅଭିଭାଷଣରେ ‘ଓଡ଼ିଶା ପରିବାର’ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ସେମାନଙ୍କୁ ଅଣଦେଖା କରିବାକୁ ପଛାଇ ନାହାନ୍ତି । ଏପରିକି ପ୍ରବାସୀ ଓଡ଼ିଆଙ୍କ ଆଗରେ ସରକାରୀ ପ୍ରୋଟୋକଲକୁ ଅଣଦେଖା କରି ସେଠାରେ ଉପସ୍ଥିତ ଥିବା ଓଡ଼ିଶାର ଅଫିସରମାନଙ୍କ ନାଁକୁ ଜଣ ଜଣ କରି ସମ୍ବୋଧିତ କରିଥିବାବେଳେ ସର୍ବଶେଷରେ ଏଠାରେ ଉପସ୍ଥିତ ଥିବା ‘ବିଧାୟକ ଓ ସାଂସଦମାନେ’ କହି ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିବା ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ, ଆଜି ଦୁବାଇର ତାରକା ହୋଟେଲ ‘ଲେ ମରିଡିଆନ୍ ’ଠାରେ ଓଡ଼ିଶା ସରକାର ଓ ଦୁବାଇସ୍ଥିତ ଭାରତର କନସୁଲେଟ୍ ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ‘ଓଡ଼ିଶା ଦିବସ’ ପାଳନ ହେଉଛି । ଗତକାଲି ଭୁବନେଶ୍ୱରରୁ-ଦୁବାଇରୁ ସିଧାସଳଖ ଆନ୍ତର୍ଜାତିକ ବିମାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବା ପରେ ସେହି ବିମାନରେ ଦୁବାଇ ଗସ୍ତ କରିଥିବା ରାଜ୍ୟର ୨୫ରୁ ଅଧିକ ବିଜେଡି ବିଧାୟକ ଓ ସାଂସଦଙ୍କ ସମେତ ବିଭିନ୍ନ ବିଭାଗର ସରକାରୀ ଅଫିସର ଓ ସେମାନଙ୍କ ପରିବାର ସଦସ୍ୟମାନେ ଆଜି ସନ୍ଧ୍ୟାରେ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ସହ ଦୁବାଇର ଏକ ତାରକା ହୋଟେଲରେ ‘ଓଡ଼ିଶା ଦିବସ’ପାଳନ କରିଛନ୍ତି ।

ଏହି ଉତ୍ସବକୁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗର କୌଶଳ,ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ କନସଲେଟ ଜେନେରାଲ ଅମନ ପୁରୀ ଓ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ସଭା ମଂଚରେ ଉପସ୍ଥିତ ଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ଅନୁ ଗର୍ଗ ନିଜ ଅଭିଭାଷଣର ପ୍ରାରମ୍ଭରେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ ‘ରାଜ୍ୟ ସଂସ୍କୃତି ଓ ଭାଷା ବିଭାଗର ମନ୍ତ୍ରୀ’ ଭାବେ ଅଭିହିତ କରିଥିଲେ । ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ବିଭାଗ ସମ୍ପର୍କରେ କିଭଳି ରାଜ୍ୟ ପ୍ରଶାସନର ‘ନମ୍ବର ଟୁ’ ପଦବୀ(ଉନ୍ନୟନ କମିଶନର) ଜାଣିନାହାନ୍ତି ଅବା ଉଦ୍ଦେଶ୍ୟମୂଳକ ଭାବେ ଏପରି ସମ୍ବୋଧିତ କଲେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ସେହିପରି ଶ୍ରୀମତୀ ଗର୍ଗ ରାଜ୍ୟର ବିଧାୟକ ଓ ସାଂସଦମାନେ ଉପସ୍ଥିତ ଥିଲେ ବି ସେମାନଙ୍କ ସମ୍ମାନରେ ପଦେଦୁଇପଦ ବି ଅବା ସମ୍ବୋଧିତ କରିନଥିବା ଦେଖିବାକୁ ମିଳିଛି ।

Advertisment

ସେହିପରି ‘ଓଡ଼ିଶା ପରିବାର’ ନିର୍ଦ୍ଦେଶକ ଶ୍ରୀ ରାଉତରାୟ ସେହି ‘ଓଡ଼ିଶା ଦିବସ’ରେ ଉପସ୍ଥିତ ଥିବା ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଅଫିସରଙ୍କ ନାଁ ଧରି ସମ୍ବୋଧିତ କରିଥିଲେ । ତା’ପରେ ଶେଷରେ ଏଠାରେ ଉପସ୍ଥିତ ଥିବା ‘ବିଧାୟକ ଓ ସାଂସଦ’ କଥା କହି ‘ଧର୍ମକୁ ଆଖିଠାର ଭଳି’ କର୍ତ୍ତବ୍ୟ ସମ୍ପାଦନ କରିଥିଲେ ।

ପ୍ରବାସୀ ଓଡ଼ିଆଙ୍କ ସମ୍ମୁଖରେ ବିଦେଶ ମାଟିରେ ଜଣେ କ୍ୟାବିନେଟ୍ ମନ୍ତ୍ରୀ ଓ ଅନ୍ୟ ବିଧାୟକ-ସାଂସଦମାନଙ୍କ ସମ୍ମାନରେ ସାଧାରଣ ପ୍ରୋଟୋକଲ  କାହିଁକି ପାଳନ ହେଲାନି ତାହା ଏବେ ପ୍ରଶ୍ନ ଉଠିଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ୱାନଟୁୱାନ୍ ଆଲୋଚନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ସୋସିଆଲ ମିଡିଆ ମାଧ୍ୟମରେ ହୋଇଥିଲା ।

ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ବିଧାୟକ ଦେବୀପ୍ରସାଦ ମିଶ୍ର, ଅରୁଣ ସାହୁ, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ସଞ୍ଜିବ ମଲ୍ଲିକ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ବିକ୍ରମ ପଣ୍ଡା, ଲତିକା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Bjd Politics