ଜଣେ ମନ୍ତ୍ରୀଙ୍କ ପାପକୁ ଲୁଚାଇବାକୁ ଯାଇ ରାଜ୍ୟର ସର୍ବାଧିକ ଲୋକପ୍ରିୟ ଦଳକୁ ପ୍ରାୟ ୯୦ଲକ୍ଷ ଟଙ୍କାର ତଣ୍ଡ ଗଣିବାକୁ ପଡ଼ିଛି । ଏ କଥାକୁ ଲୁଚାଇବାକୁ ପ୍ରୟାସ ହେଉଥିଲେ ବି ପାୱାର କରିଡ଼ରରେ ଏହି ଚର୍ଚ୍ଚା ଜୋରସୋରରେ ଚାଲିଛି । ଚର୍ଚ୍ଚା ହେଉଛି,ଜଣେ ନୂଆ ରାଷ୍ଟ୍ରମନ୍ତ୍ରୀଙ୍କର କୁଆଡ଼େ ନିଜ ଦଳର ଜଣେ ନେତ୍ରୀଙ୍କ ସହ ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା । ଗତ ପ୍ରାୟ ୮ଦିନ ପୂର୍ବରୁ ଏହି ମନ୍ତ୍ରୀଙ୍କ ବିରୁଦ୍ଧରେ ପ୍ରତାରଣା ଓ ଦୁଷ୍କର୍ମ ଭଳି ସଙ୍ଗୀନ ମାମଲାରେ ଏଫଆଇଆର ରୁଜୁ କରିବାକୁ ସମ୍ପୃକ୍ତ ନେତ୍ରୀଜଣଙ୍କ ଥାନାକୁ ଯାଇଥିଲେ । ଆଉ ମନ୍ତ୍ରୀଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଦେଖି ଥାନା ଅଧିକାରୀଙ୍କ ଅକଲଗୁଡୁମ୍ ହୋଇଯାଇଥିଲା । ଏଫଆଇଆର ରଖିବା ପାଇଁ ନେତ୍ରୀଜଣଙ୍କ ଜିଦ୍ ଧରିଥିଲେ। ଆଉ ତାଙ୍କୁ ବୁଝାଇବାରେ ବିଫଳ ହେବା ପରେ ତାଙ୍କ ଦଳର ଜଣେ ପ୍ରଭାବଶାଳୀ ନେତାଙ୍କୁ କୁଆଡ଼େ ଏ ସମ୍ପର୍କରେ ଥାନା ଅଧିକାରୀ ଅବଗତ କରାଇଥିଲେ । ତା’ପରେ ଦଳ ପକ୍ଷରୁ ସମ୍ପୃକ୍ତ ନେତ୍ରୀଙ୍କୁ ବୁଝାଇବାକୁ ଉଦ୍ୟମ ହୋଇଥିଲା । ତାଙ୍କର ଘନିଷ୍ଠ ଥିବା କିଛି ନେତ୍ରୀ କୁଆଡ଼େ ଥାନାକୁ ଯାଇ ବୁଝାସୁଝା କରବା ପରେ ସେ ଘରକୁ ଫେରିଥିଲେ । କିନ୍ତୁ ସେହି ମନ୍ତ୍ରୀଙ୍କୁ ଉଚିତ୍ ଶିକ୍ଷା ଦେବାକୁ କୁଆଡ଼େ ନେତ୍ରୀଜଣଙ୍କ ଜିଦ୍ ଧରିବା ପରେ ତାଙ୍କୁ ଦଳ ପକ୍ଷରୁ ଗୋଟିଏ ଫ୍ଲାଟ୍ କିଣିବା ପାଇଁ ପ୍ରାୟ ୯୦ଲକ୍ଷ ଟଙ୍କା ଦିଆଯାଇଥିବା ଶୁଣିବାକୁ ମିଳୁଛି ।
ଉକ୍ତ ମନ୍ତ୍ରୀଙ୍କ ସହ ଥିବା ଅନ୍ତରଙ୍ଗ ସମ୍ପର୍କର ପ୍ରମାଣ ଉକ୍ତ ନେତ୍ରୀଙ୍କ ପାଖରେ ରହିଥିବାରୁ କାଳେ ଦଳ ଓ ସରକାର ବଦନାମ ହେବ, ସେହି ଭୟରେ କଥାକୁ ରଫାଦଫା ପାଇଁ ଗତ କିଛିଦିନ ଧରି ଉଦ୍ୟମ ଚାଲିଛି । ମୋଟା ଅଙ୍କର ଅର୍ଥ ନେଇ ନେତ୍ରୀଜଣଙ୍କ ଚୁପ୍ ରହିବା ପରେ ଏବେ ତାଙ୍କୁ ଗୋଟିଏ ସରକାରୀ ପଦବୀ ଦେବାକୁ କୁଆଡ଼େ ଜିଦ୍ ଧରି ବସିଛନ୍ତି । ମନ୍ତ୍ରୀଙ୍କ ଚାରିତ୍ରିକ ସ୍ଖଳନ ଓ ପାପର ପ୍ରମାଣ ତାଙ୍କ ପାଖରେ ରହିଥିବାରୁ ସେ ଯେଭଳି ଚୁପ୍ ରହିବେ, ସେଥିପାଇଁ ଦଳ ପକ୍ଷରୁ କିଛି ନେତ୍ରୀଙ୍କୁ କୁଆଡ଼େ ଦାୟିତ୍ୱ ଦିଆଯାଇଛି । ସମ୍ପୃକ୍ତ ନେତ୍ରୀଙ୍କୁ ଗତ କିଛିଦିନ ଧରି ରାଜଧାନୀରେ ହେଉଥିବା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଆଉ ଦେଖିବାକୁ ମିଳୁନି । ମନ୍ତ୍ରୀ ଓ ସମ୍ପୃକ୍ତ ନେତ୍ରୀଙ୍କ ନେଇ ଏବେ ମନ୍ତ୍ରୀଙ୍କ ଅଫିସ ଓ ପାୱାର କରିଡ଼ରରେ ଚର୍ଚ୍ଚା ଜୋରରେ ହେଉଥିଲେ ବି ଏହା ସତ ନା ଗୁଜବ ତାହା ଜଣାପଡ଼ିନି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।