Advertisment

ଇଏ କାଗଜ କଲମ ଡିଜିପି, ପ୍ରକୃତ ଡିଜିପି ତୃତୀୟ ମହଲାରେ ଅଛନ୍ତି: ମୋହନ ମାଝୀ

ଡିଜିପି ସୁନୀଲ ବଂଶଲ ମାତ୍ର ଥରୁଟିଏ ମୁହଁ ଖୋଲିଥିଲେ। ଫେବ୍ରୁଆରୀ ୩ ତାରିଖରେ ସେ କହିଥିଲେ ଯେ ନବ ଦାସଙ୍କୁ ଗୋପାଳ ଦାସ କାହିଁକି ମାରିଲା, ତାହା କେବଳ ମହାପ୍ରଭୁ ଜଗନ୍ନାଥଙ୍କୁ ଜଣା।

author-image
Jitendra Garnayak
ଅଦ୍ୟତନ ହୋଇଛି
Mohan Majhi and Sunil Bansal

Mohan Majhi and Sunil Bansal

ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ସେଥିପାଇଁ ଆଜି ବିଧାନସଭାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାକୁ ଆସିଥିଲେ ଡିଜିପି ସୁନୀଲ ବଂଶଲ। ସେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ସହିତ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ସଂପର୍କରେ ସୂଚନା ମଧ୍ୟ ଦେଇଥିଲେ। ହେଲେ ଯେତେବେଳେ ଗଣମାଧ୍ୟମ ପ୍ରତିନିଧିମାନେ ନବ ଦାସ ହତ୍ୟା ଘଟଣାର ମୋଟିଭ୍ ବିଷୟରେ ପଚାରିଲେ, ଡିଜିପି ବାଟ ଭାଙ୍ଗି ଚାଲି ଯାଇଥିଲେ।

Advertisment

ଏହି ହାଇପ୍ରୋଫାଇଲ୍ ହତ୍ୟା ଘଟଣାରେ ଡିଜିପି ସୁନୀଲ ବଂଶଲ ମାତ୍ର ଥରୁଟିଏ ମୁହଁ ଖୋଲିଥିଲେ। ଫେବ୍ରୁଆରୀ ୩ ତାରିଖରେ ସେ କହିଥିଲେ ଯେ ନବ ଦାସଙ୍କୁ ଗୋପାଳ ଦାସ କାହିଁକି ମାରିଲା, ତାହା କେବଳ ମହାପ୍ରଭୁ ଜଗନ୍ନାଥଙ୍କୁ ଜଣା। ତାଙ୍କର ଏଭଳି ମନ୍ତବ୍ୟକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଥିଲା। ତା’ପରଠୁ ୧୭ ଦିନ ବିତି ଯାଇଛି। କ୍ରାଇମବ୍ରାଞ୍ଚ କେତେ ବାଟ ଯାଇଛି? ହତ୍ୟା ପଛରେ କ’ଣ ଉଦ୍ଦେଶ୍ୟ ରହିଥିଲା?- ଏସବୁ ପଚାରିଲା ବେଳକୁ ଡିଜିପି ଚୁପ୍ ରହୁଛନ୍ତି।

ଡିଜିପିଙ୍କ ଏଭଳି ନିରବତା ଓ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାକୁ ନେଇ ସରକାରଙ୍କୁ ପୁଣି ଘେରିଛନ୍ତି ବିରୋଧୀ। ଡିଜିପି ସୁନୀଲ କୁମାର ବଂଶଲଙ୍କୁ ସମାଲୋଚନା କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଇଏ ହେଉଛନ୍ତି କାଗଜ କଲମ ଡିଜିପି। ଇଏ କ’ଣ କହିବେ? ପ୍ରକୃତ ଡିଜିପି ତୃତୀୟ ମହଲାରେ ଅଛନ୍ତି। ତାଙ୍କ ନାଁ କହିବନି । 

Advertisment

ସେ ଆହୁରି କହିଛନ୍ତି, ଯୋଜନାବଦ୍ଧ ଭାବେ ନବ ଦାସଙ୍କ ମୃତ ଶରୀରରେ ଅପରେସନ କରାଗଲା। କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଘଟଣାସ୍ଥଳକୁ ଯୋଜନାବଦ୍ଧ ଭାବେ ପଠାଯାଇଥିଲା। ଏହି ହତ୍ୟାକାଣ୍ଡ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ହୋଇଥିବାରୁ ୨୩ଦିନ ପରେ ବି କ୍ରାଇମବ୍ରାଞ୍ଚ ଚୁପ୍ ରହିଛି। ଖାଲି ବାକି ରହିଲା ଗୋପାଳକୁ ପାଗଳ ଦର୍ଶାଇ କେବେ ନିର୍ଦ୍ଦୋଷରେ ଖଲାସ କରିବେ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ରାଜ୍ୟରେ ପୁଲିସ ଡିଜି ଅଛନ୍ତି ବୋଲି ଓଡ଼ିଶାବାସୀ ଜାଣିପାରୁନଥିବା କଥା ସେ ବହୁ ଦିନରୁ କହି ଆସୁଛନ୍ତି । ନବ ଦାସଙ୍କ ହତ୍ୟାକାଣ୍ଡ ହଠାତ୍ ହୋଇନି। ଏହା ବହୁ ଦିନର ଷଡ଼ଯନ୍ତ୍ରର ପରିଣାମ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହା ସହିତ ଏହି ଘଟଣାର ତଦନ୍ତ ପ୍ରକ୍ରିୟାକୁ ସମାଲୋଚନା କରିଛନ୍ତି ନରସିଂହ ମିଶ୍ର। ସେ କହିଛନ୍ତି ଯେ ତଦନ୍ତକାରୀ ସଂସ୍ଥା ଉପରେ ଲୋକଙ୍କ ସନ୍ଦେହ ବଢୁଛି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି ଓ ଏଠାରେ ଜଙ୍ଗଲୀ ଶାସନ ଚାଲିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଅନ୍ୟପକ୍ଷରେ କଟକ ମେୟର ସୁବାସ ସିଂ କହିଛନ୍ତି, ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଉନ୍ନତ ମାନର ତଦନ୍ତ ଚାଲିଛି। ସଠିକ୍ ତଥ୍ୟ ଆସିବା ଯାଏ ଅପେକ୍ଷା କରିବାକୁ ପଡ଼ିବ।

ପ୍ରାୟ ୭୫ହଜାରରୁ ଅଧିକ ପୁଲିସ ଏବେ ରାଜ୍ୟରେ କାର୍ଯ୍ୟ କରୁଥିବାବେଳେ ଓଡ଼ିଶା ପୁଲିସ ଫୋର୍ସର କମାଣ୍ଡ ଡିଜିପି ସୁନୀଲ ବଂଶଲଙ୍କ ହାତରେ ନରହି ଅନ୍ୟ କେଉଁ ଅଫିସରଙ୍କ ହାତରେ ରହିବା ସିଧାସଳଖ ଭାବେ ରାଜ୍ୟ ପୁଲିସର ମନୋବଳକୁ ହ୍ରାସ କରିବା ସହ ସେମାନଙ୍କ ମଧ୍ୟରେ ପେଷାଦାର ମନୋଭାବକୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କା ରହିଛି। ପାୱାର କରିଡରରେ ହେଉଥିବା ଚର୍ଚ୍ଚା ଅନୁସାରେ, ଓଡ଼ିଶା ପୁଲିସ ଏବେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ,ଗୃହ ସଚିବ କି ପୁଲିସ ଡିଜିଙ୍କ ନିର୍ଦ୍ଦେଶରେ ନୁହେଁ ବରଂ ଅନ୍ୟ ଜଣେ ଜୁନିୟର ଅଫିସରଙ୍କ ଇଙ୍ଗିତରେ ପରିଚାଳିତ ହେଉଛି।

BjD Bjp Odisha DGP Sunil Bansal Mohan Charan Majhi Naba Das Murder