ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଦାବି ସତ୍ତ୍ୱେ ସାଂସଦଙ୍କୁ ନିମନ୍ତ୍ରଣ କଲେନି ସରକାର

ଆସନ୍ତାକାଲିଠୁ ୩ଦିନ ପର୍ଯ୍ୟନ୍ତ ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଳନ ହେବ । ଏହି ସମାରୋହକୁ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରାଯାଇନାହିଁ କିମ୍ବା ତାଙ୍କ ନାଁ ମଧ୍ୟ ନିମନ୍ତ୍ରଣପତ୍ରରେ ଉଲ୍ଲେଖ ନାହିଁ ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ(ଫାଇଲ ଫଟୋ)

  • Published: Wednesday, 12 April 2023
  • , Updated: 12 April 2023, 08:23 PM IST

ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ ପାଳନ ହେଉଛି । ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଓ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଉଦ୍ୟମରେ ଏହି ୩ଦିନିଆ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବାଚସ୍ପତି ବିକ୍ରମ କେଶରୀ ଅରୁଖ, ଭୁବନେଶ୍ୱରର ୩ ବିଧାୟକ, ୫ ମନ୍ତ୍ରୀ, ମେୟର, ମୁଖ୍ୟ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅତିଥି ଭାବେ ସାମିଲ ହେବେ । କିନ୍ତୁ ସ୍ଥାନୀୟ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଏହି ସମାରୋହକୁ ନିମନ୍ତ୍ରଣ କରାଯାଇନି । ତେବେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ପକ୍ଷରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିବା ପାଇଁ ବାରମ୍ବାର ପ୍ରସ୍ତାବ ଦିଆଯିବା ସତ୍ତ୍ୱେ ସରକାର ଓ ବିଏମସି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇନଥିବା କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ଆସନ୍ତାକାଲିଠୁ ୩ଦିନ ପର୍ଯ୍ୟନ୍ତ ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଳନ ହେବ । ଏହି ସମାରୋହକୁ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରାଯାଇନାହିଁ କିମ୍ବା ତାଙ୍କ ନାଁ ମଧ୍ୟ ନିମନ୍ତ୍ରଣପତ୍ରରେ ଉଲ୍ଲେଖ ନାହିଁ । ଆଜି ଶ୍ରୀମତୀ ଷଡ଼ଙ୍ଗୀ ଏହି ନିମନ୍ତ୍ରଣ ପତ୍ରକୁ ନିଜ ଟ୍ୱିଟ୍ ମାଧ୍ୟମରେ ଉଲ୍ଲେଖ କରିବା ସହ ଗତବର୍ଷ ଭଳି ତାଙ୍କୁ ଏଥର ବି ନିମନ୍ତ୍ରଣ କରାଯାଇନଥିବା ତଥା ଏହା ପୁଣିଥରେ ଭୁବନେଶ୍ୱରବାସୀଙ୍କୁ ଅପମାନ ବୋଲି କହିଛନ୍ତି । ତାଙ୍କର କ’ଣ ଦୋଷ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।

ଏ ସମ୍ପର୍କରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସାଧାରଣ ସମ୍ପାଦକ ସନତ କୁମାର ମିଶ୍ର ଓ ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି କହିଛନ୍ତି ଯେ, ସ୍ଥାନୀୟ ସାଂସଦଙ୍କୁ ନିମନ୍ତ୍ରଣ କରିବା ପାଇଁ କମିଟି ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ଓ ପରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ଦ୍ୱାରା ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଏହି ସମାରୋହକୁ ନିମନ୍ତ୍ରଣ  ପାଇଁ ଅନୁରୋଧ କରାଯାଇଥିଲା । ଏପରିକି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ନିମନ୍ତ୍ରଣ ନିମନ୍ତେ କମିଟି ପ୍ରସ୍ତାବ ଦେଇଥିଲା । ଉଭୟ ବୈଠକରେ ସରକାର ଓ ବିଏମସି କମିଶନର ମଧ୍ୟ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କାହିଁକି କାର୍ଡରେ ତାଙ୍କ ନାଁକୁ ରଖିନାହାନ୍ତି ତାହା ବିଏମସି କର୍ତ୍ତୃପକ୍ଷ କିମ୍ବା ରାଜ୍ୟ ସରକାର କହିପାରିବେ । ପ୍ରତିଷ୍ଠା ଦିବସ ସମାରୋହର ସବୁକିଛି ଏବେ ବିଏମସି ବୁଝୁଛି । ତେଣୁ ରାଜ୍ୟ ସରକାର କିମ୍ବା ବିଏମସି କମିଶନରଙ୍କୁ ପଚାରିଲେ ସେ ଏହାର ଉତ୍ତର ଦେଇପାରିବେ । ମାତ୍ର ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରାଯିବାର ଆବଶ୍ୟକତା ରହିଛି ଓ ତାଙ୍କୁ ନିମନ୍ତ୍ରଣ କରାଯିବା ଉଚିତ୍ ମଧ୍ୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ରାଜଧାନୀ ପ୍ରତିଷ୍ଠା ଦିବସର ୭୫ତମ ସମାରୋହ ପାଳନରେ ଭୁବନେଶ୍ୱରର ସାଂସଦଙ୍କୁ ଦୂରେଇ ରଖିବା ଭଳି ନିଷ୍ପତ୍ତି କିଏ ନେଲା? ରାଜ୍ୟ ସରକାର ଓ ବିଏମସିର ଏହା ହୀନ ମାନସିକତାକୁ ପ୍ରମାଣିତ କରୁନି କି? ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ କ’ଣ କୌଣସି ଦଳୀୟ କାର୍ଯ୍ୟକ୍ରମ କି? ସରକାରଙ୍କ ଏଭଳି ଛୋଟ ମାନସିକତା ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସାଧାରଣ ଲୋକଙ୍କ ସମ୍ମାନ ଓ ସ୍ୱାଭିମାନକୁ କୁଠାରଘାତ ନୁହେଁ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ, ଦୀର୍ଘବର୍ଷ ଧରି ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ନିଜସ୍ୱ ପ୍ରଚେଷ୍ଟାରେ ଏହି ସମାରୋହ ପାଳନ କରୁଥିବାବେଳେ ପରବର୍ତ୍ତୀ ସମୟରେ ସରକାର ସେଥିରେ ସାମିଲ ହୋଇଛନ୍ତି । କିନ୍ତୁ ସରକାର ଏବେ ସମସ୍ତ ନିଷ୍ପତ୍ତି ନେଇ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହରେ କେବଳ ଶାସକ ଦଳକୁ ସୁହାଇଲା ଭଳି ଅତିଥିଙ୍କୁ ନିମନ୍ତ୍ରଣ କରିବାକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି ।

Related story