Advertisment

‘ମୋତେ ୮୦ ଛୁଇଁଲାଣି, ଏଥର ମୋ’ ସାନ ପୁଅ ମଇଦାନକୁ ଓହ୍ଲାଇବ’

ମୁଁ ୫୫ ବର୍ଷ ହେଲାଣି କଂଗ୍ରେସରେ ଅଛି। ତେଣୁ ମୋ’ ଜନ୍ମ କଂଗ୍ରେସରେ ଓ ମୃତ୍ୟୁ ବି ଏଇଠି। କଂଗ୍ରେସ ଛଡ଼ା କୁଆଡ଼େ ଯିବାର ପ୍ରଶ୍ନ ବି ନାହିଁ।

author-image
Niharika Rout
ଅଦ୍ୟତନ ହୋଇଛି
undefined

Sura Routray

‘ଏଥର ମୁଁ ନୁହେଁ, ମୋ ସାନ ପୁଅ ନିର୍ବାଚନ ଲଢ଼ିବ । ମୋତେ ୮୦ ଛୁଇଁଲାଣି, ତେଣୁ ୨୦୨୪ ନିର୍ବାଚନରେ ଆଉ ମୁଁ ଲଢ଼ି ପାରିବିନି । ଏଥର ମୋ’ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ମଇଦାନକୁ ଓହ୍ଲାଇବ ।’ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ।

Advertisment

ଦୀର୍ଘ ଦିନ ହେବ ସୁର ରାଉତରାୟ ରାଜନୀତି ଛାଡ଼ିବା ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଆଜି ସେଥିରେ ମୋହର ମାରିଛନ୍ତି ଖୋଦ ସୁର ରାଉତରାୟ। ହେଲେ ସୁରଙ୍କ ୨ ପୁଅ ସିଦ୍ଧାର୍ଥ ରାଉତରାୟ ଓ ମନ୍ନତ ରାଉତରାୟଙ୍କ ମଧ୍ୟରୁ କିଏ ପିତାଙ୍କ ଗାଦି ସମ୍ଭାଳିବେ ତାହାକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଚାଲିଥିଲା। ଶେଷରେ ସାନ ପୁଅ ହିଁ ବାପାଙ୍କ ଗାଦି ସମ୍ଭାଳିବା ସହ ତାଙ୍କ ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ବୋଲି ସ୍ପଷ୍ଟ ହୋଇଛି।

ଗତ କାଲି ସୁର ରାଉତରାୟ ନିଜ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଭେଟିଥିଲେ। ଏହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସୁର ରାଉତରାୟଙ୍କ ବଡ଼ ପୁଅ ବିଜେଡିରେ ଯୋଗ ଦେଉଥିବା ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ସୁର ରାଉତରାୟ।

Advertisment

ଏନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ମୁଁ ୫୫ ବର୍ଷ ହେଲାଣି କଂଗ୍ରେସରେ ଅଛି। ତେଣୁ ମୋ’ ଜନ୍ମ କଂଗ୍ରେସରେ ଓ ମୃତ୍ୟୁ ବି ଏଇଠି। କଂଗ୍ରେସ ଛଡ଼ା କୁଆଡ଼େ ଯିବାର ପ୍ରଶ୍ନ ବି ନାହିଁ। କେବଳ ମୁଁ ନୁହେଁ, ମୋ ପିଲା ବି ସମ୍ପୂର୍ଣ୍ଣ ରୂପେ କଂଗ୍ରେସ ସମର୍ଥକ । ଆଉ ସାନ ପୁଅ ବି କଂଗ୍ରେସ ଟିକେଟରୁ ହିଁ ନିର୍ବାଚନ ଲଢ଼ିବ।

ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମ୍ପର୍କରେ ପଚାରିବାରୁ ସୁର ରାଉତରାୟ କହିଛନ୍ତି, ତାହା ସମ୍ପୂର୍ଣ୍ଣ ରୂପେ ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା, ସେଥିରେ କୌଣସି ରାଜନୀତିକରଣ ନାହିଁ। ମୋ’ ବଡ଼ ପୁଅ ବିଶ୍ୱର ୫ଟି ବଡ଼ ବଡ଼ ପାହାଡ଼ ଚଢ଼ି ରେକର୍ଡ କରି ସାରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଅବଗତ କରାଇଥିଲା। ସମଗ୍ର ଦେଶରେ ଏପରି ବଡ଼ ବଡ଼ ପାହାଡ଼ ଚଢ଼ିବାରେ ମୋ’ ପୁଅ ପ୍ରଥମ ହୋଇଥିବାରୁ ମୋ’ ପୁଅକୁ ମୁଖ୍ୟମନ୍ତ୍ରୀ ଉତ୍ସାହିତ କରିଥିଲେ। ତେଣୁ କାଲି ସାକ୍ଷାତକାରରେ କେବଳ ବଡ଼ ପୁଅ କଥା ଚର୍ଚ୍ଚା ହେଲା, କୌଣସି ରାଜନୈତିକ ଚର୍ଚ୍ଚା ହୋଇନି ବୋଲି ସ୍ପଷ୍ଟ କରିଛନ୍ତି ସୁର ରାଉତରାୟ।

Election Odisha Congress MLA Sura Routray