ସହଜରେ ଖସିଯିବ ଗୋପାଳ, ମାନସିକ ରୋଗ ଚିକିତ୍ସା ପାଇଁ ନେଇଥିଲା ୬ ମାସ ଅନଧିକୃତ ଛୁଟି

ନବ ଦାସ ହତ୍ୟା ପଛର ରହସ୍ୟ ଓ ଷଡ଼ଯନ୍ତ୍ରକୁ ଉନ୍ମୋଚନ କରିବାରେ କ୍ରାଇମବ୍ରାଂଚ ଏପର୍ଯ୍ୟନ୍ତ ସଫଳ ହୋଇନଥିବାବେଳେ ଗୋପାଳକୁ ପାଗଳ ଦର୍ଶାଇବା ନେଇ ରାଜ୍ୟ ସରକାର ଯୋଜନା କରୁଥିବା ନେଇ ବିରୋଧୀ ଦଳର ଆଶଙ୍କା ସତ ପ୍ରମାଣିତ ହେବାକୁ ବସିଛି ।

ଅଭିଯୁକ୍ତ ଗୋପାଳ ଦାସ

  • Published: Monday, 20 March 2023
  • , Updated: 20 March 2023, 06:08 PM IST

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୫୨ଦିନ ପରେ ବି ତଦନ୍ତକୁ ନେଇ ନିରବ ଥିବା କ୍ରାଇମବ୍ରାଂଚ ପାଇଁ ଅଭିଯୁକ୍ତ ପୁଲିସ ଏଏସଆଇକୁ ଦୋଷୀ ସାବ୍ୟସ୍ତ କରିବା ସହଜ ହେବନି । କୋର୍ଟରେ ଗୋପାଳ ବିରୁଦ୍ଧରେ ବଳିଷ୍ଠ ତଥ୍ୟପ୍ରମାଣ ଦାଖଲ କରିବାରେ କ୍ରାଇମବ୍ରାଂଚ ସକ୍ଷମ ହେବନି ଓ ଏହାର ସୁଯୋଗ ନେଇ ଗୋପାଳ ନିଜର ପୂର୍ବ ଚିକିତ୍ସା ରିପୋର୍ଟ ଆଧାରରେ ନିଜକୁ ମାନସିକ ରୋଗୀ ବୋଲି ପ୍ରମାଣିତ କରାଇ ସହଜରେ ଦୋଷମୁକ୍ତ ହୋଇଯିବାର ସମ୍ଭାବନା ଅଧିକ । ଆଜି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯେଉଁ ଲିଖିତ ଉତ୍ତର ଦେଇଛନ୍ତି ସେଥିରୁ ଏହା ସ୍ପଷ୍ଟ ହୋଇଛି । ନବ ଦାସ ହତ୍ୟା ପଛର ରହସ୍ୟ ଓ ଷଡ଼ଯନ୍ତ୍ରକୁ ଉନ୍ମୋଚନ କରିବାରେ କ୍ରାଇମବ୍ରାଂଚ ଏପର୍ଯ୍ୟନ୍ତ ସଫଳ ହୋଇନଥିବାବେଳେ ଗୋପାଳକୁ ପାଗଳ ଦର୍ଶାଇବା ନେଇ ରାଜ୍ୟ ସରକାର ଯୋଜନା କରୁଥିବା ନେଇ ବିରୋଧୀ ଦଳର ଆଶଙ୍କା ବି ସତ ପ୍ରମାଣିତ ହେବାକୁ ବସିଛି । ୨୦୧୪ ଫେବୃୟାରୀରୁ ୨୦୧୫ ଜୁନ୍ ମଧ୍ୟରେ ଗୋପାଳ ୧୭୯ଦିନ ଅନଧିକୃତ ଛୁଟି ଓ ୨୮ଦିନ ଅଧିକୃତ ଛୁଟିରେ ରହିଥିଲା । ଆଉ ଗୋପାଳର ଏହି ଅନଧିକୃତ ଛୁଟି ହିଁ ତାକୁ ନବ ଦାସ ହତ୍ୟା ମାମଲାରୁ ଖସାଇବାରେ ସହାୟକ ହେବ ବୋଲି ଜଣାପଡ଼ିଛି ।

ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ୨୦୧୪ ଫେବୃୟାରୀ ୩ରୁ ଏପ୍ରିଲ ୩ ଏବଂ ୨୦୧୫ ଫେବୃୟାରୀ ୨୦ରୁ ଜୁନ୍ ୨୮ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଗୋପାଳ ନିଜର ମାନସିକ ରୋଗ (ବାଇପୋଲାର ଇଫେକ୍ଟିଭ ଡିସଅର୍ଡର) ପାଇଁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜର ମାନସିକ ରୋଗ ବିଶେଷଜ୍ଞଙ୍କ ପାଖରେ ଚିକିତ୍ସିତ ହେଉଥିବାର ଡାକ୍ତରୀ କାଗଜପତ୍ର ନିଜର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିଥିବା ନେଇ ଝାରସୁଗୁଡ଼ା ପୁଲିସ ଏସପି ସୂଚନା ଦେଇଛନ୍ତି । ଏହି ଦୁଇଟି ପର୍ଯ୍ୟାୟରେ ବର୍ଷକ ମଧ୍ୟରେ ଗୋପାଳ ମୋଟ ୧୭୯ଦିନ(ପ୍ରାୟ ୬ମାସ) କାହାକୁ କିଛି ନଜଣାଇ ଅନଧିକୃତ ଛୁଟିରେ ରହିଥିଲା । କେବଳ ସେତିକି ନୁହେଁ ବିଭିନ୍ନ କାରଣ ଦର୍ଶାଇ ଗୋପାଳ ୨୦୧୪ ମସିହାରେ ୧୯ଦିନ ଓ ୨୦୧୫ ମସିହାରେ ୨୨ଦିନ ଅଧିକୃତ ଛୁଟି ନେଇଥିଲା । ଯଦି ୨୦୧୪ ଫେବୃୟାରୀରୁ ୨୦୧୫ ଜୁନ୍ ମଧ୍ୟରେ ଅଧିକୃତ ଛୁଟିକୁ ହିସାବ କରାଯାଏ ସେହି ଅବଧିରେ ମୋଟ ଛୁଟି ୨୮ ହେବ । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଗୋପାଳ ସଂକ୍ରାନ୍ତରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ଲିଖତ ଉତ୍ତରରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଯେଉଁ ତଥ୍ୟ ଦେଇଛନ୍ତି, ତାହା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଦେଇଥିବା ତଥ୍ୟ ସହ ମେଳ ଖାଉନି ।

ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଲିଖିତ ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ଗୋପାଳ ୨୦୧୫ ଫେବୃୟାରୀ ୨୦ତାରିଖରେ ୮ଦିନ ଛୁଟିରେ ଯାଇ ଫେରିନଥିଲା ଓ ଅନଧିକୃତ ଭାବେ ଛୁଟିରେ ରହିଥିଲା ତଥା ୨୦୧୫ ଜୁନ୍ ୨୮ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲା । ଅର୍ଥାତ୍ ମୋଟ ୧୧୯ଦିନ ଅନଧିକୃତ ଛୁଟିରେ ରହିଥିଲା । ନିଜର ମାନସିକ ରୋଗ(ବାଇପୋଲାର ଇଫେକ୍ଟିଭ ଡିସଅର୍ଡର)ର ଚିକିତ୍ସା ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜରେ କରିଥିବାର ଡାକ୍ତରୀ କାଗଜପତ୍ର ମଧ୍ୟ ଦାଖଲ କରି ୧୧୯ଦିନର ଅନଧିକୃତ ଅନୁପସ୍ଥିତିକୁ ନିୟମିତ କରିବା ନିମନ୍ତେ ଅନୁରୋଧ କରିଥିଲା । ତା’ର ମେଡିକାଲ ରିପୋର୍ଟ ଓ ଫିଟନେସ ସାର୍ଟିଫିକେଟ୍ ଆଧାରରେ ତା’ର ଛୁଟିକୁ ନିୟମିତ କରାଯାଇଥିଲା ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।

କିନ୍ତୁ ବିଧାୟକ ନରସିଂହ ମିଶ୍ରଙ୍କୁ ଦେଇଥିବା ଲିଖିତ ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ଗୋପାଳ ୨୦୧୫ ମେ’ ୧୦ତାରିଖରୁ ୫ଦିନ କାଜୁଆଲ ଲିଭ୍ (ସିଏଲ୍‌) ଓ ଗୋଟିଏ ଦିନ ପେଡ୍ ଲିଭ୍ ପାଇଁ ଆବେଦନ କରିଥିଲା ।

ତେବେ ପ୍ରଶ୍ନ ଉଠୁଛି, ଗୋପାଳ ୨୦୧୫ ଫେବୃୟାରୀ ୨୦ରୁ ଜୁନ୍ ୨୭ପର୍ଯ୍ୟନ୍ତ ଅନଧିକୃତ ଛୁଟିରେ ଥିବାବେଳେ ମେ’ ୧୦ରୁ ସିଏଲ୍ ପାଇଁ ଆବେଦନ କଲା କେମିତି?

ଗୋପାଳ ୨୦୧୪ ଫେବୃୟାରୀରୁ ୨୦୧୫ ଜୁନ୍ ମଧ୍ୟରେ ପ୍ରାୟ ୬ମାସ ନିଜର ମାନସିକ ରୋଗର ଚିକିତ୍ସା ପାଇଁ ଅନଧିକୃତ ଛୁଟିରେ ରହିଥିଲେ ମଧ୍ୟ ତାକୁ କିଭଳି ୨୦୧୫ ମସିହାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ରଥଯାତ୍ରା(୨୦୧୫ ଜୁଲାଇ ୧୮ତାରିଖ) ଡ୍ୟୁଟିରେ ୨୦୧୫ ଜୁଲାଇ ପ୍ରଥମ ସପ୍ତାହରେ ମୁତୟନ କରାଯାଇଥିଲା । ମାନସିକ ରୋଗ ପାଇଁ ଏତେ ଦୀର୍ଘଦିନ ଛୁଟିରେ ରହିବା ପରେ ଜୁନ ୨୮ରେ ଯୋଗ ଦେଇଥିବା ଗୋପାଳଙ୍କୁ କିଭଳି ପୁରୀ ରଥଯାତ୍ରା ଡ୍ୟୁଟି ଦିଆଯାଇଥିଲା । ଆଉ ଗୋପାଳ ରଥଯାତ୍ରାରେ ଭଲ କାର୍ଯ୍ୟ କରିଥିବା ପାଇଁ ପୁରସ୍କୃତ ମଧ୍ୟ ହୋଇଛନ୍ତି । ସେହି ୨୦୧୫ ମସିହାରେ ଗୋପାଳଙ୍କୁ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା(୨୦୧୫ ଅକ୍ଟୋବର ୧୦)ରେ ମଧ୍ୟ ମୁତୟନ କରାଯାଇଥିଲା । ଆଉ ସେଠାରେ ବି କର୍ତ୍ତବ୍ୟ ଠିକ୍ ଭାବେ ସମ୍ପାଦନ କରିଥିବାରୁ ସେ ପୁରସ୍କୃତ ହୋଇଥିଲେ ।

ତେଣୁ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରାଙ୍କ ଲିଖିତ ଉତ୍ତରରୁ ସ୍ପଷ୍ଟ ହେଉଛି ଯେ, ଗୋପାଳ ଜଣେ ମାନସିକ ରୋଗୀ ଥିଲେ ଓ ୨୦୧୪-୨୦୧୫ ମସିହାରେ ସେ ଦୁଇଥର ପ୍ରାୟ ୬ମାସ ଡ୍ୟୁଟିରେ ଅନୁପସ୍ଥିତ ରହି ଚିକିତ୍ସିତ ହେଉଥିଲେ । ମାନସିକ ରୋଗ ଚିକିତ୍ସା ସଂକ୍ରାନ୍ତ ମେଡିକାଲ ରିପୋର୍ଟ ମଧ୍ୟ ପୁଲିସ ପାଖରେ ଗୋପାଳ ଦାଖଲ କରିସାରିଛନ୍ତି । ତେଣୁ କୋର୍ଟରେ ଗୋପାଳଙ୍କ ଓକିଲ ତାଙ୍କ ମହକିଲକୁ ମାନସିକ ରୋଗୀ ବୋଲି ଦର୍ଶାଇବା ବିଶେଷ କଷ୍ଟକର ହେବନି । ଆଉ ତଦନ୍ତର ଅନ୍ୟ ଦିଗକୁ କ୍ରାଇମବ୍ରାଂଚ ଖୋଳତାଡ଼ କରୁନଥିବାରୁ ଏହି ମାମଲା କୋର୍ଟରେ ବେଶୀଦିନ ତିଷ୍ଠିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା ଆଜି ବିଧାନସଭାରେ ବିଧାୟକ ନରସିଂହ ମିଶ୍ର, ସୁବାସ ପାଣିଗ୍ରାହୀ, ମୁକେଶ ମହାଲିଙ୍ଗ ଓ କୁସୁମ ଟେଟେଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ ଦେଇଛନ୍ତି, ସେଥିରୁ ଗୋପାଳ ଜଣେ ମାନସିକ ରୋଗୀ ବୋଲି ସ୍ପଷ୍ଟ ହୋଇଛି ।

ଅନ୍ୟପକ୍ଷରେ ଗୋପାଳ ମାନସିକ ରୋଗୀ ବୋଲି ଜାଣି ପୁଲିସ କର୍ତ୍ତୃପକ୍ଷ କିଭଳି ତାଙ୍କୁ ଅନେକ ସମ୍ବେଦନଶୀଳ ସ୍ଥାନରେ ଡ୍ୟୁଟି ପାଇଁ ପଠାଉଥିଲେ ଓ ଗୋପାଳ ମାନସିକ ରୋଗୀ ହୋଇଥିବାରୁ ନବ ଦାସଙ୍କୁ ଗୁଳି କରିବା ନିମନ୍ତେ କିଏ ତାଙ୍କୁ ଉସକାଇଥିଲେ କି, ଅବା କାହା ପ୍ରରୋଚନାରେ ସେ ନବଙ୍କୁ ଗୁଳି କରିଛନ୍ତି ତାହା କାହିଁକି କ୍ରାଇମବ୍ରାଂଚ ଖୋଳତାଡ଼ କରୁନି, ତାକୁ ନେଇ ସାଧାରଣରେ ସନ୍ଦେହ ବଢ଼ିବାରେ ଲାଗିଛି ।

Related story