ଦୋ ଛକିରେ ଦୀପାଳି: ଆରମ୍ଭରୁ ଦିଗହରା ଥିଲା ତଦନ୍ତ, ରହସ୍ୟରେ ରହିଗଲା ଷଡ଼ଯନ୍ତ୍ରକାରୀଙ୍କ ଭୂମିକା

ନବ ଦାସ ଓ ତାଙ୍କ ସମର୍ଥକମାନେ ମାରିଦେବେ ବୋଲି ଆଶଙ୍କା କରି ନବଙ୍କୁ ଗୋପାଳ ହତ୍ୟା କରିଥିବା ନେଇ କ୍ରାଇମବ୍ରାଂଚ ତା’ର ଚାର୍ଜସିଟରେ ଉଲ୍ଲେଖ କରିଥିଲେ ମଧ୍ୟ କେଉଁ କାରଣ ପାଇଁ ଗୋପାଳ ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରୁଥିଲେ ଓ ନବ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିବା ନେଇ ଗୋପାଳ ମନରେ କାହିଁକି ଧାରଣା ହୋଇଥିଲା ସେ ସଂକ୍ରାନ୍ତରେ କ୍ରାଇମବ୍ରାଂଚ ନିରବ ରହିଛି ।

ଦୀପାଳି ଦାସ ଓ ଅଭିଯୁକ୍ତ ଗୋପାଳ ଦାସ

  • Published: Friday, 26 May 2023
  • , Updated: 26 May 2023, 07:40 PM IST

ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ୧୧୭ଦିନ ପରେ ଆଜି ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ ୫୪୩ପୃଷ୍ଠାର ପ୍ରିଲିମିନାରୀ ଚାର୍ଜସିଟ୍ ଦାଖଲ କରି ବ୍ୟକ୍ତିଗତ କାରଣ ପାଇଁ ଅଭିଯୁକ୍ତ ଗୋପାଳ ଦାସ ହତ୍ୟା କରିଥିବା କହିଛି । ନବ ଦାସ ଓ ତାଙ୍କ ସମର୍ଥକମାନେ ମାରିଦେବେ ବୋଲି ଆଶଙ୍କା କରି ନବଙ୍କୁ ଗୋପାଳ ହତ୍ୟା କରିଥିବା ନେଇ କ୍ରାଇମବ୍ରାଂଚ ତା’ର ଚାର୍ଜସିଟରେ ଉଲ୍ଲେଖ କରିଥିଲେ ମଧ୍ୟ କେଉଁ କାରଣ ପାଇଁ ଗୋପାଳ ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରୁଥିଲେ ଓ ନବ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିବା ନେଇ କାହିଁକି ଗୋପାଳ ମନରେ ଧାରଣା ସୃଷ୍ଟି ହୋଇଥିଲା ସେ ସଂକ୍ରାନ୍ତରେ କ୍ରାଇମବ୍ରାଂଚ ନିରବ ରହିଛି । ଆଉ କ୍ରାଇମବ୍ରାଂଚର ଏଭଳି ଚାର୍ଜସିଟ୍ ରିପୋର୍ଟ ଏବେ ନବଙ୍କ ଝିଅ ତଥା ଝାରସୁଗୁଡ଼ାର ନବନିର୍ବାଚିତା ବିଧାୟିକା ଦୀପାଳି ଦାସଙ୍କ ଅଡ଼ୁଆ ବଢ଼ାଇ ଦେଇଛି । ଜଣେ ଏଏସଆଇସ୍ତରର ପୁଲିସ ସହ ନବଙ୍କ ଭଳି ଜଣେ ହାଇଫ୍ରୋଫାଇଲ୍ ନେତା ପୁଣି କ୍ୟାବିନେଟ୍ ମନ୍ତ୍ରୀଙ୍କର କ’ଣ ବ୍ୟକ୍ତିଗତ ଆକ୍ରୋଶ ରହିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ନବ ଓ ତାଙ୍କ ସମର୍ଥକଙ୍କ ଆଡ଼ୁ ଜୀବନ ପ୍ରତି ବିପଦ ଆଶଙ୍କା କରି ଗୋପାଳ ଏଭଳି ହତ୍ୟା କରିଛି ବୋଲି କ୍ରାଇମବ୍ରାଂଚ ଖୋଦ୍ ଚାର୍ଜସିଟରେ ଉଲ୍ଲେଖ କରିବା ପରୋକ୍ଷରେ ‘ଆତ୍ମରକ୍ଷା ପାଇଁ ହତ୍ୟା’ ନିମନ୍ତେ ଗୋପାଳକୁ କୋର୍ଟରେ ଖସିଯିବାର ସୁଯୋଗ ମଧ୍ୟ ଆଣି ଦେଇଛି । ଏପରିକି ଷଡ଼ଯନ୍ତ୍ର ଦିଗର ତଦନ୍ତ କରାଯିବ ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ୍ତ୍ୱେ କ୍ରାଇମବ୍ରାଂଚ ‘ଷଡ଼ଯନ୍ତ୍ରର ଦିଗ’କୁ ନେଇ ସମ୍ପୂର୍ଣ୍ଣ ନିରବ ରହିବା, ନବଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ରରେ ଯେଉଁମାନଙ୍କ ନାଁ ଚର୍ଚ୍ଚାକୁ ଆସୁଥିଲା ସେମାନଙ୍କୁ ତଦନ୍ତ ପରିସରଭୁକ୍ତ ନକରି ସମ୍ପୂର୍ଣ୍ଣ ଆଖିବୁଜି ଦେଇ ଆରମ୍ଭରୁ ହିଁ ତଦନ୍ତକୁ କ୍ରାଇମବ୍ରାଂଚ ବାଟବଣା କରିଥିବା ସ୍ପଷ୍ଟ ହୋଇଛି ।

ସୂଚନା ଅନୁସାରେ, ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ସମସ୍ତଙ୍କ ସମ୍ମୁଖରେ ଜଣେ ପୁଲିସ ଏଏସଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିବା ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲେ ମଧ୍ୟ ଯେଉଁ ଢଙ୍ଗରେ ତଦନ୍ତ କରାଯିବା କଥା ତାହା କ୍ରାଇମବ୍ରାଂଚ କରିନଥିବା ଜଣାପଡ଼ିଛି । ନବ ଦାସଙ୍କ ହତ୍ୟା ପଛର ଉଦ୍ଦେଶ୍ୟ କ’ଣ ଓ ଏହା ପଛରେ ଷଡ଼ଯନ୍ତ୍ର ରହିଛି କି ନାହିଁ ସେ ଦିଗରେ କୌଣସି ତଦନ୍ତ ମଧ୍ୟ କରିବାକୁ କ୍ରାଇମବ୍ରାଂଚ ଚାହିଁନି ।

କ୍ରାଇମବ୍ରାଂଚ ନିଜେ ଦେଇଥିବା ତଥ୍ୟ ଅନୁସାରେ ନବ ଦାସଙ୍କୁ ଗୁଳି କରିବା ପରେ ଘଟଣାଦିନ ବ୍ରଜରାଜନଗର ଥାନାରେ କେସ୍ ନମ୍ବର ୩୪ରେ ଅଭିଯୁକ୍ତ ଗୋପାଳ ଦାସ ନାଁରେ  ଆଇପିସିର ଧାରା ୩୦୭( ଜଣେ ବ୍ୟକ୍ତିଙ୍କ ଦ୍ୱାରା ହତ୍ୟା ଉଦ୍ୟମ) ଓ ଆମର୍ସ ଆକ୍ଟ-୨୭(୧)ରେ ମାମଲା ପୁଲିସ ରୁଜୁ କରିଥିଲା । ଆଉ କ୍ରାଇମବ୍ରାଂଚ ଉକ୍ତ ଦିନ ହିଁ ଏହି ତଦନ୍ତକୁ ନିଜ ହାତକୁ ନେଇଥିଲେ ମଧ୍ୟ ୨୦୨୩ ମେ’ ୨୪ତାରିଖରେ ଏହି ହତ୍ୟା ଘଟଣାରେ କ୍ରାଇମବ୍ରାଂଚ ଥାନାରେ ଆଇପିସି ଧାରା-୩୦୭,୩୦୨ ଓ ଆମର୍ସ ଆକ୍ଟ-୨୭(୧)ରେ ଚୂଡ଼ାନ୍ତ ମାମଲା ରୁଜୁ କରିଥିଲା । ଅର୍ଥାତ୍ ଏପ୍ରିଲ ୨୯ରୁ ମେ’ ୨୪ ମଧ୍ୟରେ କ୍ରାଇମବ୍ରାଂଚ ଯାହାବି ତଦନ୍ତ କରିଥିଲା ସେଥିରେ କେବଳ ଆଇପିସିର ଗୋଟିଏ ଧାରା-୩୦୨( ହତ୍ୟା)କୁ ସାମିଲ କରାଇଥିଲା ।

୧୦ଟି ତଦନ୍ତକାରୀ ଟିମ୍ ଝାରସୁଗୁଡ଼ା, ଭୁବନେଶ୍ୱର, ବ୍ରହ୍ମପୁରଠୁ ଆରମ୍ଭ କରି ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରିଥିଲେ ମଧ୍ୟ ସାଧାରଣ ଲୋକ, ବିରୋଧୀ ଦଳ, ନବଙ୍କ ସମ୍ପର୍କୀୟ ଦାଦା ଏହି ହତ୍ୟା ପଛରେ ଷଡ଼ଯନ୍ତ୍ର ରହିଥିବା ନେଇ ଯାହା ସନ୍ଦେହ କରୁଥିଲେ ତାକୁ ଦୂର ପାଇଁ କ୍ରାଇମବ୍ରାଂଚ ସାମାନ୍ୟତମ ଆଗ୍ରହ ଦେଖାଇନାହିଁ । କ୍ରାଇମବ୍ରାଂଚ ନିଜର ୧୦ଟି ତଦନ୍ତକାରୀ ଟିମ୍ ଲଗାଇ ୮୯ଜଣ ସାକ୍ଷୀଙ୍କ ବୟାନକୁ ରେକର୍ଡ କରିବା ସହ ଏ ସଂକ୍ରାନ୍ତରେ ମୌଖିକ, ମେଡିକାଲ ରିପୋର୍ଟ, ସାଇବର ଫୋରେନ୍ସିକ ଓ ବାଲାଷ୍ଟିକ ରିପୋର୍ଟ, ଦସ୍ତାବିଜ ସହ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ, ଏଲଭିଏ ଟେଷ୍ଟ, ଫାରୋ କ୍ୟାମେରାରେ ରେକର୍ଡିଂ ଆଦି ଅତ୍ୟାଧୁନିକ ତଦନ୍ତ କୌଶଳ ଆପଣାଇଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ହତ୍ୟା ପଛର ରହସ୍ୟକୁ ଉନ୍ମୋଚନ କରିବାରେ ସଫଳ ହୋଇନି ।

କ୍ରାଇମବ୍ରାଂଚର ତଦନ୍ତ କେବଳ ଗୋପାଳ ମଧ୍ୟରେ ସୀମିତ ରହିଥିଲା । ନବଙ୍କ ରାଜନୀତିକ ଓ ବ୍ୟବସାୟିକ ଅସହିଷ୍ଣୁତାର ଦିଗକୁ କ୍ରାଇମବ୍ରାଂଚ କାହିିଁକି ତଦନ୍ତ ପରିସରଭୁକ୍ତ କଲାନି, ଆଉ ପଶ୍ଚିମଓଡ଼ିଶାର ଯେଉଁ ବିଜେଡି ବିଧାୟକଙ୍କ ନାଁ ହତ୍ୟା ପଛରେ ରହିଥିବା ନେଇ ବିରୋଧୀଙ୍କଠୁ ଆରମ୍ଭ କରି ନବଙ୍କ ସମର୍ଥକମାନେ ଅଭିଯୋଗ କରୁଥିଲେ ତାଙ୍କୁ କିମ୍ବା ତାଙ୍କ ଗଡ଼ଫାଦରଙ୍କୁ ନଛୁଇଁବା ହିଁ ଖୋଲାଖୋଲି ଭାବେ କ୍ରାଇମବ୍ରାଂଚ ଉପରେ ଆରମ୍ଭରୁ ଚାପ ଥିବା ସ୍ପଷ୍ଟ ହୋଇଛି । ବ୍ରଜରାଜନଗର ଥାନା ଓ କ୍ରାଇମବ୍ରାଂଚ ଥାନାରେ ଯେଉଁ ସବୁ ଧାରାରେ ମାମଲା ରୁଜୁ ହୋଇଛି ସେଥିରେ ଷଡ଼ଯନ୍ତ୍ରର ଦିଗ ସମ୍ପର୍କରେ ସାମାନ୍ୟତମ ଉଲ୍ଲେଖ ନାହିଁ । ନବଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ର ରହିଛିି କି ନାହିଁ ସେ ଦିଗରେ କାହିଁକି କ୍ରାଇମବ୍ରାଂଚ ତଦନ୍ତ କଲାନି ।

ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଉଭୟ ଲିଖିତ ଭାବେ ନବ ଦାସ ହତ୍ୟା ପଛରେ ଯଦି ଷଡ଼ଯନ୍ତ୍ର ଥାଏ ତା’ହେଲେ ତା’ର ତଦନ୍ତ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ପବିତ୍ର ଗୃହରେ ଦେଇଥିଲେ । ତା’ ସତ୍ତ୍ୱେ କ୍ରାଇମବ୍ରାଂଚ ଏହି ହତ୍ୟା ପଛର ଷଡ଼ଯନ୍ତ୍ରର ତଦନ୍ତ ନକରି ‘ଷଡ଼ଯନ୍ତ୍ର ନାହିଁ’ ବୋଲି କିଭଳି ଏତେ ଦମ୍ଭୋକ୍ତି ବାଢ଼ିଲା, ଯାହାକି ଆଜି ଦାଖଲ ହୋଇଥିବା ଚାର୍ଜସିଟ୍ ଓ ଲାଗିଥିବା ଦଫା(ଉଭୟ ବ୍ରଜରାଜନଗର ଓ କ୍ରାଇମବ୍ରାଂଚ ଥାନା)ରୁ ସ୍ପଷ୍ଟ ହେଉଛି ।

କେବଳ ସେତିକି ନୁହେଁ କ୍ରାଇମବ୍ରାଂଚ ଅତନ୍ତ ଚତୁରତାର ସହ ଗୋପାଳକୁ ଖସାଇବା ପାଇଁ ମାର୍ଗ ପ୍ରଶସ୍ତ କରିଛି ।  ନବ ଓ ତାଙ୍କ ସମର୍ଥକଙ୍କ ଆଡ଼ୁ ତା’ ଜୀବନ ପ୍ରତି ବିପଦ ଥିବା ଧାରଣା କରି ଗୋପାଳ ଏଭଳି ହତ୍ୟା କରିଛି । ଅର୍ଥାତ୍ କ୍ରାଇମବ୍ରାଂଚ ପରୋକ୍ଷରେ ଗୋପାଳ ନିଜର ଆତ୍ମରକ୍ଷା ପାଇଁ ଆଗୁଆ ନବଙ୍କୁ ହତ୍ୟା କରିଥିବା ନେଇ କହିବାକୁ ପଛାଇ ନାହିଁ । ବିରୋଧୀ ଦଳ ଓ ସାଧାରଣ ଲୋକଙ୍କ ଚାପରେ ଗୋପାଳକୁ ମାନସିକ ରୋଗୀ ଦର୍ଶାଇ ନଥିଲେ ବି ଏହି ‘ଆତ୍ମରକ୍ଷା ପାଇଁ ହତ୍ୟା’ କଥା ଉଲ୍ଲେଖ କରିଥିବାରୁ ତାହା ଗୋପାଳକୁ କୋର୍ଟରେ ଖଲାସ କରାଇବାରେ ସକ୍ଷମ ହେବ । ଏହାସହିତ ଷଡ଼ଯନ୍ତ୍ର ସମ୍ପର୍କରେ କ୍ରାଇମବ୍ରାଂଚ କୌଣସି ତଦନ୍ତ କରିନଥିବାରୁ ସେ ଦିଗ ସବୁଦିନ ପାଇଁ ରହସ୍ୟାବୃତ ହୋଇ ରହିଯିବ ।

ଚର୍ଚ୍ଚା ହେଉଛି, ନିଜ ପିତାଙ୍କ ଏଭଳି ହତ୍ୟା ସତ୍ତ୍ୱେ ପ୍ରକୃତ ନ୍ୟାୟ ପାଇଁ ଝିଅ ହିସାବରେ ଦାବି କରିବାକୁ ବି ଦୀପାଳି ସକ୍ଷମ ହୋଇପାରିବେ ନାହିଁ । ନିଜ ଦଳର ସରକାରର ଭାବମୂର୍ତ୍ତି ରକ୍ଷା କରିବା ଓ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଟିକେଟ୍ ଆଶାରେ ଦୀପାଳି ସମ୍ଭବତଃ ମୁହଁ ବନ୍ଦ ରଖିବାକୁ ବାଧ୍ୟ ହେବେ ।  ହତ୍ୟା ଷଡ଼ଯନ୍ତ୍ରରେ ହାଇପ୍ରୋଫାଇଲ୍ ବ୍ୟକ୍ତିମାନଙ୍କ ସମ୍ପୃକ୍ତି ଅଭିଯୋଗ ସତ୍ତ୍ୱେ ସେମାନଙ୍କ ସହ ଲଢ଼ିବାକୁ ଦୀପାଳିଙ୍କ ଭଳି ଜଣେ କମ୍ ବୟସର ନବାଗତା ବିଧାୟିକା ସାହାସ ସଂଚୟ କରିନପାରିବା ବି ସ୍ୱାଭାବିକ ବୋଲି ସାଧାରଣରେ ଚର୍ଚ୍ଚା ।

Related story