Advertisment

ନବୀନଙ୍କ ମହିଳା ସଶକ୍ତିକରଣ ଏମିତି: ପତ୍ନୀ ବ୍ଳକ୍ ଅଧ୍ୟକ୍ଷା, ପତି କରୁଛନ୍ତି ସରକାରୀ ଫାଇଲରେ ଦସ୍ତଖତ

ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ଝାରବନ୍ଧ ବ୍ଲକର ପଂଚାୟତସମିତି ଅଧ୍ୟକ୍ଷା ଭାବେ ଲିପସା ପ୍ରଧାନ କାର୍ଯ୍ୟ କରୁଛନ୍ତି । କିନ୍ତୁ ପଂଚାୟତସମିତି ଅଧ୍ୟକ୍ଷା(ବ୍ଲକ ଚେୟାରମ୍ୟାନ) ଭାବେ ସେ ଯେଉଁସବୁ ସରକାରୀ ଫାଇଲରେ ଦସ୍ତଖତ କରିବା କଥା ତାହା ସେ କରନ୍ତି ନାହିଁ।

barsa singh bariha and naveen patnaik

barsa singh bariha and naveen patnaik

Advertisment

ରାଜ୍ୟରେ ୭୦ଲକ୍ଷ ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ କରି ସେମାନଙ୍କର ଆର୍ଥିକ ଓ ସାମାଜିକ ସ୍ୱାବଲମ୍ବୀ ଏବଂ ପଂଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେଇ ‘ମହିଳା ସଶକ୍ତିକରଣ’ର ଡିଣ୍ଡିମ ପିଟୁଥିବା ନବୀନ ପଟ୍ଟନାୟକ ସରକାରର ଅସଲ ଚେହେରା ପଦାରେ ପଡ଼ିଛି । ଜଣେ ମହିଳାଙ୍କୁ ବ୍ଲକ ଅଧ୍ୟକ୍ଷା(ପଂଚାୟତ ସମିତି ଅଧ୍ୟକ୍ଷା) ପଦରେ ଆସୀନ କରାଇ ତାଙ୍କ ସ୍ୱାମୀ ନିଜେ ବିଭିନ୍ନ ସରକାରୀ ଫାଇଲରେ ଦସ୍ତଖତ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଆଉ ଏସବୁ ଦସ୍ତଖତ ଥିବା ସରକାରୀ ଫାଇଲ କିଭଳି ବିଧିସମ୍ମତ ହେଉଛି ଓ ଏହା ଉପରେ ସ୍ଥାନୀୟ ବିଡିଓ କିମ୍ବା ଅନ୍ୟ ବ୍ଲକସ୍ତରୀୟ ପ୍ରଶାସନିକ ଅଧିକାରୀମାନେ କାହିଁକି ଆପତ୍ତି ଉଠାଉନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ଏହାସହିତ ଏଭଳି ଜାଲ୍ ଦସ୍ତଖତରେ ଯେଉଁ ସବୁ ନିଷ୍ପତ୍ତି ନିଆଯାଇଛି ତା’ର ବୈଧତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି,   ସ୍ଥାନୀୟ ବିଧାୟିକାଙ୍କ ଜାଣତରେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ଝାରବନ୍ଧ ବ୍ଲକର ପଂଚାୟତସମିତି ଅଧ୍ୟକ୍ଷା ଭାବେ ଲିପସା ପ୍ରଧାନ କାର୍ଯ୍ୟ କରୁଛନ୍ତି । କିନ୍ତୁ ପଂଚାୟତସମିତି ଅଧ୍ୟକ୍ଷା(ବ୍ଲକ ଚେୟାରମ୍ୟାନ) ଭାବେ ସେ ଯେଉଁସବୁ ସରକାରୀ ଫାଇଲରେ ଦସ୍ତଖତ କରିବା କଥା ତାହା ସେ କରନ୍ତି ନାହିଁ । ତାଙ୍କ ସ୍ୱାମୀ ବିଜୟ ପ୍ରଧାନ ବ୍ଲକର ବିଭିନ୍ନ ସରକାରୀ ଫାଇଲରେ ସ୍ୱାକ୍ଷର କରିଥାନ୍ତି । ତା’ପୁଣି ଲିପସାଙ୍କ ଜାଲ୍ ଦସ୍ତଖତ । ଏ ସଂକ୍ରାନ୍ତ ଭିଡିଓ ‘ଓଡ଼ିଶା ରିପୋର୍ଟର’ର ହସ୍ତଗତ ହୋଇଛି, ଯେଉଁଥିରେ ବିଜୟ ନିଜେ ସରକାରୀ ଫାଇଲରେ ଦସ୍ତଖତ କରୁଥିବା ସ୍ୱୀକାର କରିଛନ୍ତି । କେବଳ ସେତିକି ନୁହେଁ ଗତ ଏପ୍ରିଲ ୧୫ତାରିଖରେ ଝାରବନ୍ଧ ପଂଚାୟତସମିତି ବୈଠକରେ କିଛି ସମିତି ସଭ୍ୟ ଏଭଳି ଅଭିଯୋଗ ଉତଥାପନ କରିଥିଲେ ।

ବ୍ଲକ ଚେୟାରମ୍ୟାନ୍ କାହିଁକି ଅଫିସ ଆସୁନାହାନ୍ତି ଓ ତାଙ୍କ ପରିବର୍ତ୍ତେ ସ୍ୱାମୀ ବିଜୟ ପ୍ରଧାନ ବିଭିନ୍ନ ସରକାରୀ ଫାଇଲରେ ଦସ୍ତଖତ କରୁଛନ୍ତି, ଯାହାକି ବେଆଇନ ବୋଲି ଅଭିଯୋଗ କରିଥିଲେ । ଛୋଟଅନକି ପଂଚାୟତର ସମିତି ସଭ୍ୟ ସତ୍ୟମ ପ୍ରଧାନ ସେହି ବୈଠକରେ ଏହି ଅଭିଯୋଗ କରିବା ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସଂକ୍ରାନ୍ତ ଫାଇଲରେ ଚେୟାରମ୍ୟାନଙ୍କ ସ୍ୱାମୀଙ୍କ ଦସ୍ତଖତ କିଭଳି ବୈଧ ବୋଲି ପ୍ରଶ୍ନ କରିଥିଲେ । ମାତ୍ର ସେହି ବୈଠକରେ ଉପସ୍ଥିତ ଥିବା ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ଏହି ଅଭିଯୋଗ ଶୁଣିବା ପରିବର୍ତ୍ତେ ସମ୍ପୃକ୍ତ ସମିତି ସଭ୍ୟଙ୍କୁ ନାଲି ଆଖି ଦେଖାଇ ଚୁପ୍ ରହିବାକୁ ତାଗିଦ୍ କରିଥିଲେ । ଏପରିକି ବୈଠକରୁ ବାହାରି ଯିବାକୁ (ଗେଟ୍ ଆଉଟ୍ )ମଧ୍ୟ କହିଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।

Advertisment

ତେବେ ପ୍ରଶ୍ନ ଉଠୁଛି, ନବୀନ ପଟ୍ଟନାୟକ ସରକାର ରାଜ୍ୟରେ ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଥିବାବେଳେ ଜଣେ ମହିଳା ବ୍ଲକ୍ ଚେୟାରମ୍ୟାନଙ୍କ ପତି କିଭଳି ସରକାରୀ ଫାଇଲରେ ଦସ୍ତଖତ କରୁଛନ୍ତି ଓ ଏସବୁ ଜାଲ୍ ଦସ୍ତଖତ ବଳରେ ସରକାରୀ କାର୍ଯ୍ୟ କିପରି ସମ୍ପାଦନ ହେଉଛି ତାହା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଉ ଏସବୁ ବିଷୟରେ ପଂଚାୟତସ୍ତରର ଜନପ୍ରତିନିଧିମାନେ ମୁହଁ ଖୋଲିଲେ ସେମାନଙ୍କୁ ନାଲି ଆଖି ଦେଖାଇ ଚୁପ୍ ରହିବାକୁ ବିଧାୟିକା ଓ ସ୍ଥାନୀୟ ପ୍ରଶାସନ ତାଗିଦ୍ କରିବା ପରୋକ୍ଷରେ ରାଜ୍ୟରେ ଅଗଣତାନ୍ତ୍ରିକ ଶାସନର ସଙ୍କେତ ଦେଉଛି । ଝାରବନ୍ଧ ବ୍ଲକର ବିଡିଓ କିଭଳି ଏପରି ଜାଲ୍ ଦସ୍ତଖତ ସଂକ୍ରାନ୍ତ ଫାଇଲ ଉପରେ ଆପତ୍ତି ଉଠାଉନାହାନ୍ତି ତାହା ତଦନ୍ତସାପେକ୍ଷ । ନବନିର୍ବାଚିତ ବିଧାୟିକା ଶ୍ରୀମତୀ ସିଂ ବରିହା ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶୟ ଦେବା ପଛରେ କ’ଣ ରହସ୍ୟ ରହିଛି ଓ ଜଣେ ନାରୀ ହୋଇ କାହିଁକି ଅନ୍ୟ ଜଣେ ନାରୀ ନେତ୍ରୀ(ବ୍ଲକ ଚେୟାରମ୍ୟାନ)ଙ୍କୁ ତାଙ୍କର କ୍ଷମତାରୁ ବଂଚିତ ରହିବା ପାଇଁ ପରୋକ୍ଷରେ ସୁଯୋଗ ସୃଷ୍ଟି କରୁଛନ୍ତି ତାହା ବି ସନ୍ଦେହଘେରରେ ।

ସୂଚନାଯୋଗ୍ୟ, କ୍ଷମତାସୀନ ବିଜେଡି ସରକାର ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଥିଲେ ମଧ୍ୟ ‘ଭାତ ହାଣ୍ଡିରୁ ଗୋଟିଏ ଭାତ ଚାଖିବା’ ଭଳି ରାଜ୍ୟର ବିଭିନ୍ନ ଭାଗରେ ଏଭଳି ଅବସ୍ଥା ରହିଥିବା ଜଣାପଡ଼ିଛି । ମାତ୍ର ଝାରବନ୍ଧ ବ୍ଲକରେ ସରକାରୀ ଦସ୍ତାବିଜରେ ଜାଲ୍ ଦସ୍ତଖତ(ପ୍ରକୃତ ବ୍ୟକ୍ତିଙ୍କର ନୁହେଁ) ଉପରେ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ଓ ଏଭଳି ଜାଲିଆତିରେ ସମ୍ପୃକ୍ତ ବ୍ଲକ ଚେୟାରମ୍ୟାନ୍ ଏବଂ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ମହଲରେ ଦାବି ହେଉଛି ।

Women Empowerment Bjd Politics Odisha Women Empowered
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe