Advertisment

୨୨ରେ ନବୀନ କରିବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ସାମିଲ ହେବେ ୪ ନୂଆ ମୁହଁ

ସମ୍ଭାବ୍ୟ ସମ୍ପ୍ରସାରଣରେ ୪ଜଣ ନୂଆ ମନ୍ତ୍ରୀ ସ୍ଥାନ ପାଇବାର ସମ୍ଭାବନା ରହିଛି ।

ଅଦ୍ୟତନ ହୋଇଛି
undefined

CM Naveen Patnaik

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ତାରିଖରେ ନିଜ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ । ସମ୍ଭାବ୍ୟ ସମ୍ପ୍ରସାରଣରେ ୪ଜଣ ନୂଆ ମନ୍ତ୍ରୀ ସ୍ଥାନ ପାଇବାର ସମ୍ଭାବନା ରହିଛି । ନବ ଦାସଙ୍କ ହତ୍ୟା ଯୋଗୁ ଗୋଟିଏ ମନ୍ତ୍ରୀପଦ ଖାଲି ପଡ଼ିଥିବାବେଳେ ଅନ୍ୟ ୨ଜଣ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଯୋଗୁ ମୋଟ ୩ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି । ଅନ୍ୟ ଜଣେ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇପାରେ ବୋଲି ଜଣାପଡ଼ିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆସନ୍ତା କାଲି ରାତି ଅର୍ଥାତ୍ ୨୧ତାରିଖ ୮ଟା ସମୟରେ ଭୁବନେଶ୍ୱରରେ ପହଂଚିବେ । ୨୨ ତାରିଖ ସକାଳ ସାଢ଼େ ୯ଟାରୁ ୧୦ ମଧ୍ୟରେ ଲୋକସେବା ଭବନ ପରିସରରେ ନୂଆ ମନ୍ତ୍ରୀମାନଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏଥିପାଇଁ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ରାଜଭବନକୁ ଆଜି ସନ୍ଧ୍ୟା ସୁଦ୍ଧା ଅବଗତ କରାଯିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନବୀନ ନିଜର ମନ୍ତ୍ରିମଣ୍ଡଳରୁ ଜଣେ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିପାରନ୍ତି । ଆଉ ମନ୍ତ୍ରିମଣ୍ଡଳରେ ମୋଟ ୪ଜଣଙ୍କୁ ସାମିଲ କରିପାରନ୍ତି । ଗଞ୍ଜାମ ଜିଲ୍ଲାର ରାଜନୀତିକ ସମୀକରଣକୁ ଦୃଷ୍ଟିରେ ରଖି ଶ୍ରୀକାନ୍ତ ସାହୁଙ୍କ ସ୍ଥାନରେ ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯିବାର ଯଥେଷ୍ଟ ସମ୍ଭାବନା ଥିବାବେଳେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ରାଉରକେଲା ବିଧାୟକ ସାରଦା ନାୟକ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବାର ସମ୍ଭାବନା ରହିଛି । ସେହିପରି ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ତଥା ଝାରସୁଗୁଡ଼ା ନବନିର୍ବାଚିତ ବିଧାୟିକା ଦୀପାଳି ଦାସଙ୍କ ନାଁ ବି ମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ରହିଛି । ଆସନ୍ତା ୨୯ତାରିଖ ମଧ୍ୟରେ କ୍ରାଇମବ୍ରାଂଚ ନବ ଦାସଙ୍କ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିବାର ଥିବାରୁ ତା’ପୂର୍ବରୁ ଝାରସୁଗୁଡ଼ାବାସୀ ଓ ବିଶେଷକରି ନବଙ୍କ ପରିବାରକୁ ମ୍ୟାନେଜ୍ ନିମନ୍ତେ ଦୀପାଳିଙ୍କୁ ମନ୍ତ୍ରିମଣ୍ଡଳରେ ଥଇଥାନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

Advertisment

ସେହିପରି ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ଯୋଗୁ ଖାଲି ପଡ଼ିଥିବା ବାଚସ୍ପତି ପଦରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ,ଅମରପ୍ରସାଦ ଶତପଥୀ, ଦେବୀପ୍ରସାଦ ମିଶ୍ରଙ୍କ ନାଁ ଚର୍ଚ୍ଚାରେ ରହିଥିବାବେଳେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପ୍ରଦୀପ ଅମାତଙ୍କ ମଧ୍ୟରୁ କାହାରିକୁ ବି ଶେଷ ମୁହୂର୍ତ୍ତରେ ବାଚସ୍ପତି ପଦରେ ନିଯୁକ୍ତି ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ଗତ ୧୨ତାରିଖରେ ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖଙ୍କ ସମେତ ମନ୍ତ୍ରୀପଦରୁ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁ ଅଚାନକ ଇସ୍ତଫା ଦେଇଥିଲେ । ବିଜେଡି ନେତ୍ରୀଙ୍କୁ ନିର୍ଯାତନା ମାମଲାରେ ମନ୍ତ୍ରୀ ଶ୍ରୀ ସାହୁ ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ ଶ୍ରୀ ଦାଶ ବିବାଦରେ ରହିଥିଲେ । ମନ୍ତ୍ରୀ ଶ୍ରୀ ଦାଶ ଓ ଶ୍ରୀ ସାହୁଙ୍କ ବିଭାଗ ଏବେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ତୁଲାଇବାକୁ ଦିଆଯାଇଛି । ରାଜ୍ୟପାଳଙ୍କ ଅନୁପସ୍ଥିତି ଯୋଗୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ବିଳମ୍ବ ହେଲା ବୋଲି ଚର୍ଚ୍ଚା ।

Odisha Politics Bjd Politics Odisha Minister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe