Advertisment

ନୂଆ ସଂସଦ ଭବନ: କର୍ମଦ୍ୱାରରେ ସ୍ଥାପିତ ହୋଇଛି କୋଣାର୍କ ସୂର୍ଯ୍ୟମନ୍ଦିର ଚକର କାଂସ୍ୟ ପ୍ରତିରୂପ

ଅନ୍ୟପକ୍ଷରେ ଆଜିର ଉତ୍ସବରେ ନୂଆ ସଂସଦ ଭବନ ନିର୍ମାଣରେ ଉଲ୍ଲେଖନୀୟ ଅବଦାନ ରଖିଥିବା କର୍ମଚାରୀମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ମାନିତ କରିଥିଲେ। ଯାହାଙ୍କ ମଧ୍ୟରେ ଓଡ଼ିଶା ଚାନ୍ଦିପୁରର ପୁରଞ୍ଜନ ଦଳାଇ ଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
bronze replica of the Sun Temple wheel

bronze replica of the Sun Temple wheel

ନୂଆ ସଂସଦ ଭବନ ଉଦ୍‌ଘାଟନ ହୋଇଛି। ଗଣତନ୍ତ୍ରର ମନ୍ଦିରରେ ଉତ୍କର୍ଷ କଳାର ମାଟି ଉତ୍କଳର ଝଲକ ମଧ୍ୟ ଦେଖିବାକୁ ମିଳିଛି। ସଂସଦ ଭବନରେ ୩ଟି ପ୍ରମୁଖ ପ୍ରବେଶ ପଥ ଜ୍ଞାନ ଦ୍ୱାର, ଶକ୍ତିଦ୍ୱାର ଓ କର୍ମଦ୍ୱାର ଥିବା ବେଳେ, କର୍ମଦ୍ୱାରରେ ସ୍ଥାପିତ ହୋଇଛି କୋଣାର୍କ ସୂର୍ଯ୍ୟମନ୍ଦିର ଚକର ବିଶାଳ କାଂସ୍ୟ ପ୍ରତିରୂପ।

Advertisment

ଅନ୍ୟପକ୍ଷରେ ଆଜିର ଉତ୍ସବରେ ନୂଆ ସଂସଦ ଭବନ ନିର୍ମାଣରେ ଉଲ୍ଲେଖନୀୟ ଅବଦାନ ରଖିଥିବା କର୍ମଚାରୀମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ମାନିତ କରିଥିଲେ। ଯାହାଙ୍କ ମଧ୍ୟରେ ଓଡ଼ିଶା ଚାନ୍ଦିପୁରର ପୁରଞ୍ଜନ ଦଳାଇ ଥିଲେ। ଯିଏ କି ସଂସଦ ଭବନ ନିର୍ମାଣ ବେଳେ ସମସ୍ତଙ୍କ ପାଇଁ ଚା ଜଳଖିଆର ବ୍ୟବସ୍ଥା କରୁଥିଲେ।

ଏହି ମହାନ ଅବସର ସହ ସଂସଦର ସ୍ୱର୍ଣ୍ଣିମ ଇତିହାସର ଲଲାଟରେ ଲିପିବଦ୍ଧ ହୋଇଛି ଆଉ ଏକ ଅନନ୍ୟ ଅଧ୍ୟାୟ। ସଂସଦ ଭବନରେ ସେଙ୍ଗୋଲ୍ ବା ରାଜଦଣ୍ଡ ସ୍ଥାପନ ହୋଇଛି। ସାଧୁ ସନ୍ଥଙ୍କ ପୂଜାର୍ଚ୍ଚନା ଓ ବେଦ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ ପ୍ରଦାନ କରିଥିଲେ ତାମିଲନାଡୁ ଧର୍ମପୁରମ୍ ଅଧୀନମ୍।

Advertisment
Puranjanaଓଡ଼ିଶାର ପୁରଞ୍ଜନଙ୍କୁ ସମ୍ମାନିତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ସାଷ୍ଟାଙ୍ଗ ପ୍ରଣାମ କରିବା ସହ ଅଧିନମ୍‌ମାନଙ୍କ ଆଶୀର୍ବାଦ ଲୋଡିଥିଲେ। ଏହାପରେ ନୂଆ ସଂସଦ ଭବନର ଠିକ୍ ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ସ୍ଥାପିତ ହୋଇଥିଲା ଏହି ପାରମ୍ପରିକ ରାଜଦଣ୍ଡ। ପରେ ପରେ ନୂଆ ସଂସଦ ଭବନର ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ। ଏହାପରେ ଅନୁଷ୍ଠିତ ହୋଇଥିଲା ସର୍ବଧର୍ମ ପ୍ରାର୍ଥନା ସଭା।

ମଧ୍ୟାହ୍ନରେ ଆରମ୍ଭ ହୋଇଥିଲା ଲୋକାର୍ପଣ ଉତ୍ସବର ଦ୍ୱିତୀୟ ପର୍ବ। ନୂଆ ସଂସଦରୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ସାରଗର୍ଭକ ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି।

ନୂଆ ସଂସଦ ଭବନର ଲୋକାର୍ପଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କ ଶୁଭେଚ୍ଛା ବର୍ତ୍ତା ପଢ଼ା ଯାଇଥିଲା। ବାଚସ୍ପତି ଓର୍ମ ବିର୍ଲା ମଧ୍ୟ ନିଜର ଅଭିଭାଷଣ ରଖିଥିଲେ।

ଆଜିର ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି- ନୂଆ ୭୫ ଟଙ୍କିଆ ମୁଦ୍ରା ଜାରି କରିଥିଲେ। ରୁପା, ତମ୍ବା, ନିକେଲ ଓ ଦସ୍ତା ଧାତୁକୁ ମିଶାଇ ତିଆରି ହୋଇଛି ଏହି ନୂଆ କଏନ୍।

ଆଜି ଦେଶକୁ ମିଳିଥିବା ନୂଆ ସଂସଦ ଭବନ ନୂଆ ଭାରତ, ବିବିଧ ଭାରତ ଓ ଆତ୍ମନିର୍ଭର ଭାରତର ପ୍ରତୀକ। ଏହାର ସଂରଚନା ଅଦ୍ୱିତୀୟ, ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ। ଏଠି ସମ୍ମିଳିତ ହୋଇଛି ଦେଶର କୋଣ ଅନୁକୋଣରୁ ଆସିଥିବା ବିଭିନ୍ନ ନିର୍ମାଣ ସାମଗ୍ରୀ। ପ୍ରଦର୍ଶିତ ହୋଇଛି ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତର ଐତିହ୍ୟର ଝଲକ।

ନୂଆ ସଂସଦ ଭବନରେ ଲାଗିଛି ରାଜସ୍ଥାନର ପଥର, ମହାରାଷ୍ଟ୍ରର ଶାଗୁଆନ କାଠ, ଉତ୍ତରପ୍ରଦେଶର କାର୍ପେଟ୍, ତ୍ରିପୁରାର ବାଉଁଶ ଚଟାଣ, ଗୁଜରାଟର ଶଙ୍ଖମଲମଲ ପଥର ଓ ପିତ୍ତଳ କାରୁକାର୍ଯ୍ୟ। ଲୋକସଭା ଓ ରାଜ୍ୟସଭାର ଫଲ୍ସ ସିଲିଂରେ ଲାଗିଛି ଡାମନ-ଡିୟୁରୁ ଆସିଥିବା ଷ୍ଟିଲ୍ ଷ୍ଟ୍ରକଚର୍। ମୁମ୍ବାଇରେ ତିଆରି ହୋଇଛି ଫର୍ଣ୍ଣିଚର୍। ହରିୟାଣାରୁ ଆସିଛି ବାଲି ଓ ଇଟା। ମଧ୍ୟପ୍ରଦେଶରୁ ଆସିଛି ସଂସଦଭବନ ମୁଖ୍ୟ ପ୍ରବେଶପଥ, ଲୋକସଭା ଓ  ରାଜ୍ୟସଭାରେ ଲାଗିଥିବା ବିରାଟ ଅଶୋକ ଚକ୍ର।

ନୂଆ ସଂସଦ ସୌଧରେ 'ଏକ୍ ଭାରତ ଶ୍ରେଷ୍ଠ ଭାରତ'ର ଭାବନା ପ୍ରତିଫଳିତ ହେଉଛି ବୋଲି ଆଜି ଲୋକାର୍ପଣ ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଖାଲି ଐତିହ୍ୟ ନୁହେଁ, ଆଧୁନିକତା ଦୃଷ୍ଟିରୁ ବି ଏହା ଅଦ୍ୱିତୀୟ। ୬୪ ହଜାର ୫ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ୪ ମହଲାଯୁକ୍ତ ନୂଆ ସଂସଦ ଭବନ- ଇକୋ ଫ୍ରେଣ୍ଡଲି, ଦିବ୍ୟାଙ୍ଗ ଫ୍ରେଣ୍ଡଲି, ଭୂକଂପରୋଧୀ। ଏଠାରେ ରହିଛି ସୌରଶକ୍ତି ବିନିଯୋଗ ଏବଂ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା। ୧୭ଶହରୁ ଅଧିକ କବାଟ-ଝରକା, ସାଢ଼େ ୩ କିଲୋମିଟର ଲମ୍ବା କରିଡର ଏବଂ ୧୨ଶହ ୭୨ ସାଂସଦଙ୍କ ପାଇଁ ବସିବା ସୁବିଧା, ଯାହାକି ପୁରୁଣା ପାର୍ଲାମେଣ୍ଟ ଠାରୁ ପ୍ରାୟ ୫ଶହ ଅଧିକ। ଜାତୀୟ ପକ୍ଷୀ ମୟୂର ଡିଜାଇନରେ ନିର୍ମିତ ଲୋକସଭାରେ ୮୮୮ ସିଟ୍ କ୍ଷମତା, ଜାତୀୟ ପୁଷ୍ପ ପଦ୍ମ ଡିଜାଇନରେ ନିର୍ମିତ ରାଜ୍ୟସଭାର ଅଛି ୩୮୪ ସିଟ୍ କ୍ଷମତା । ମିଳିତ ଅଧିବେଶନ ପାଇଁ କେବଳ ଲୋକସଭା ଗୃହ ହିଁ ପର୍ଯ୍ୟାପ୍ତ। ଉଭୟ ଗୃହରେ ବିରାଟ ମଲ୍ଟିମିଡିଆ ଡିସପ୍ଲେ ଏବଂ ପ୍ରତି ସାଂସଦଙ୍କ ପାଇଁ ଡେସ୍କରେ ଟଚ୍ ସ୍କ୍ରିନ୍ ଡିସପ୍ଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ବସିବା ପାଇଁ ୫୩୦ ସିଟ୍ ଏବଂ ସାଧାରଣ ଲୋକଙ୍କୁ ସଂସଦୀୟ କାର୍ଯ୍ୟଧାରା ଦେଖିବାର ସୁଯୋଗ ଦେବା ପାଇଁ ଗ୍ୟାଲେରି ମଧ୍ୟ ରହିଛି । ଏସବୁ ସହିତ ଏଠାରେ ସାଂସଦ ମାନଙ୍କ ପାଇଁ ଲାଉଞ୍ଜ, ଲାଇବ୍ରେରି, ଏକାଧିକ କମିଟି ରୁମ୍, ଡାଇନିଂ ଏରିଆ ଇତ୍ୟାଦି ସୁବିଧା ବି ସାମିଲ ରହିଛି।

ନୂଆ ସଂସଦ ସୌଧର ଅନ୍ୟତମ ଆକର୍ଷଣ ସାଜିଛି ଏହାର କେନ୍ଦ୍ରସ୍ଥଳରେ ନିର୍ମିତ ବିଶାଳ ସମ୍ବିଧାନ କକ୍ଷ। ପ୍ରଦର୍ଶିତ ହୋଇଛି ଭାରତର ଗଣତାନ୍ତ୍ରିକ ଐତିହ୍ୟ । ୯୭୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ଅଦ୍ୱିତୀୟ ସଂସଦ ଭବନକୁ ନିର୍ମାଣ କରାଯାଇଛି ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧୀନରେ।

ଏଥିସହ ପ୍ରାୟ ଶହେ ବର୍ଷ ପୁରୁଣା ସଂସଦ ଗୃହକୁ ଗଣତନ୍ତ୍ରର ସଂଗ୍ରହାଳୟରେ ପରଣିତ କରାଯିବ ବୋଲି ସୂଚନା ମିଳିଛି ।

Odia Culture New Parliament Building