ନିକୁଞ୍ଜ ଧଳ ମୁଖ୍ୟ ନିର୍ବାଚନ ଅଧିକାରୀ, ଅତିରିକ୍ତ ନିଯୁକ୍ତି ନଦେବାକୁ ନିର୍ଦ୍ଦେଶ

୧୯୯୩ ବ୍ୟାଚ୍ ଆଇଏଏସ୍ ତଥା ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ନିଯୁକ୍ତି ମିଳିଛି ।

ସଚିବ ନିକୁଞ୍ଜ ବିହାରୀ ଧଳ

  • Published: Friday, 24 March 2023
  • , Updated: 24 March 2023, 10:14 PM IST

୧୯୯୩ ବ୍ୟାଚ୍ ଆଇଏଏସ୍ ତଥା ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ନିଯୁକ୍ତି ମିଳିଛି । ଏ ନେଇ ଭାରତର ନିର୍ବାଚନ କମିଶନଙ୍କ ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ରାଜ୍ୟ ସରକାର ଆଇଏଏସସ୍ତରରେ କେତେକ ବଦଳି କରିଛନ୍ତି ।

ଜାତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀ ଧଳ ଦାୟିତ୍ୱ ନନେବା ପର୍ଯ୍ୟନ୍ତ ସୁଶୀଲ କୁମାର ଲୋହାନୀ ସିଇଓ ଭାବେ କାର୍ଯ୍ୟ ଜାରି ରଖିବେ । ଶ୍ରୀ ଧଳଙ୍କୁ ରାଜ୍ୟ ସରକାରରେ କୌଣସି ପ୍ରକାରର ଅତିରିକ୍ତ ନିଯୁକ୍ତି ନଦେବା ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ସେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ସରକାରଙ୍କ ନିର୍ବାଚନ ବିଭାଗ(ଗୃହ)ର ଦାୟିତ୍ୱ ତୁଲାଇବେ ତଥା ପ୍ରମୁଖ ସଚିବ ପାହ୍ୟାରେ କାର୍ଯ୍ୟ କରିବେ । ଏବେ ସିଇଓ ଥିବା ଶ୍ରୀ ଲୋହାନୀ ରାଜ୍ୟ ସରକାରରେ ବିଭିନ୍ନ ସଚିବ ଭାବେ କାର୍ଯ୍ୟ କରୁଥିବା ନେଇ ବିଭିନ୍ନସ୍ତରରେ ଆପତ୍ତି ଉଠିଥିଲା । ଯାହାକୁ ଦୃଷ୍ଟିରେ ରଖି ଆଇଏଏସ୍ ଶ୍ରୀ ଧଳଙ୍କୁ କୌଣସି ପ୍ରକାରର ଅତିରିକ୍ତ ଦାୟିତ୍ୱ ନଦେବା ପାଇଁ ରାଜ୍ୟ ସରକାରଙ୍କୁ ଜାତୀୟ ନିର୍ବାଚନ କମିଶନ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀ ଧଳ ଏବେ ରାଜ୍ୟ ସରକାରଙ୍କ ଶକ୍ତି ଓ ଅବକାରୀ ବିଭାଗର ପ୍ରମୁଖ ସଚିବ ସମେତ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ କାର୍ଯ୍ୟ କରୁଛନ୍ତି।

Related story