ଝାରସୁଗୁଡ଼ା ଜିଲ୍ଲାରେ ନୂଆ ଆଇଟିଡିଏ ପାଇଁ ୯ଟି ନୂଆ ପଦବୀକୁ ମଞ୍ଜୁରୀ

ଏହି ନୂଆ ଆଇଟିଡିଏ ଅଧୀନରେ ଲାଇକେରା ଓ କିରିମେରା ବ୍ଲକର ସମସ୍ତ ଗାଁ ରହିବ।

ଲୋକସେବା ଭବନ

  • Published: Tuesday, 23 May 2023
  • , Updated: 23 May 2023, 08:30 PM IST

ଝାରସୁଗୁଡ଼ା ଜିଲ୍ଲାର ଦୁଇ ବ୍ଲକ ଲାଇକେରା ଓ କିରିମେରାକୁ ନେଇ ନବଗଠିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) ପାଇଁ ୯ଟି ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ଗତ ନଭେମ୍ବର ମାସରେ ଏହି ନୂଆ ଆଇଟିଡିଏକୁ ଅନୁମୋଦନ କରିଥିଲେ ।

ଏହି ନୂଆ ଆଇଟିଡିଏ ଅଧୀନରେ ଲାଇକେରା ଓ କିରିମେରା ବ୍ଲକର ସମସ୍ତ ଗାଁ ରହିବ ତଥା ଜନଜାତି ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୂଆ ଆଇଟିଡିଏ ପାଇଁ ଜଣେ ପ୍ରକଳ୍ପ ପ୍ରଶାସକ, ଜଣେ ସ୍ପେଶାଲ ଅଫିସର, ଜଣେ ଆସିଷ୍ଟାଣ୍ଟ ଏକଜ୍ୟୁକୁଟିଭ ଇଞ୍ଜିନିୟର, ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଆକାଉଣ୍ଟାଣ୍ଟ, ଜଣେ ହେଡକ୍ଲର୍କ, କନିଷ୍ଠ ଷ୍ଟେନୋଗ୍ରାଫର,ଜଣେ ବରିଷ୍ଠ କ୍ଲର୍କ ଓ ଜଣେ କନିଷ୍ଠ କ୍ଲର୍କ ପଦବୀ ରହିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଲାଇକେରା ଓ କିରିମେରା ବ୍ଲକରେ ମୁଖ୍ୟତଃ ଗଣ୍ଡ, ଭୁଇଆଁ ଓ କିଷାନ ବର୍ଗର ଆଦିବାସୀମାୋନ ରହୁଥିବାବେଳେ ମୁଣ୍ଡା, କୋଲ୍‌ହ , ଓରାଓଁ, ଶବର, ଖରିଆ ଓ ସାରା ବର୍ଗର ଆଦିବାସୀମାନେ ମଧ୍ୟ ଅଛନ୍ତି । ଲାଇକେରା ବ୍ଲକରେ ୫୧.୭୮ ପ୍ରତିଶତ ଆଦିବାସୀ ଥିବାବେଳେ କିରିମେରା ବ୍ଲକରେ ୧୮.୪୭ ପ୍ରତିଶତ ଆଦିବାସୀ ବସବାସ କରୁଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ମୋଟ ୨୨ଟି ଆଇଟିଡିଏ ଥିବାବେଳେ ଏହାକୁ ମିଶାଇଲେ ୨୩ଟି ଆଇଟିଡିଏ କାର୍ଯ୍ୟକ୍ଷମ ହେବ । ଏହି ନୂଆ ଆଇଟିଡିଏ ଖୋଲିବା ନିମନ୍ତେ ରାଜ୍ୟ ସରକାରଙ୍କ ସୁପାରିଶରେ କେନ୍ଦ୍ର ସରକାର ଗତବର୍ଷ ନଭେମ୍ବର ମାସରେ ଅନୁମତି ଦେଇଥିଲେ ।

Related story