Advertisment

କୋଟିଆରେ ଆନ୍ଧ୍ର ଅନୁପ୍ରବେଶର ଖବର ସରକାରଙ୍କ ପାଖେ ନାହିଁ : ରାଜସ୍ୱ ମନ୍ତ୍ରୀ

ସୀମାବର୍ତ୍ତୀ କୋଟିଆ ପଂଚାୟତରେ ଆନ୍ଧ୍ରପ୍ରଦେଶ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଜାରି ରହିଥିଲେ ମଧ୍ୟ ଓଡ଼ିଶା ସରକାର ଏହାକୁ ନେଇ ବେପରୁୱା ମନୋଭାବ ପୋଷଣ କରିଛନ୍ତି ।

author-image
Ordigital Desk
Pramila Mallik

Pramila Mallik

କୋରାପୁଟ ଜିଲ୍ଲାର ସୀମାବର୍ତ୍ତୀ କୋଟିଆ ପଂଚାୟତରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ସହ ନିୟମିତ ଭାବେ ଅନୁପ୍ରବେଶ ହେଉଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ପାଖରେ ଏନେଇ କୌଣସି ତଥ୍ୟ ନାହିଁ । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଶୁକ୍ରବାର ବିଧାନସଭାରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଅଫିସରମାନେ କୋଟିଆରେ ରାସନ କାର୍ଡ କିମ୍ବା ଭତ୍ତା ବଂଟନ କରିବାର ତଥ୍ୟ ଜିଲ୍ଲା ପ୍ରଶାସନ ପାଖରେ ଉପଲବ୍ଧ ନାହିଁ ବୋଲି କହି ପରୋକ୍ଷରେ ଆନ୍ଧ୍ରପ୍ରଦେଶର ମନମାନୀକୁ ଲୁଚାଇବାକୁ ଉଦ୍ୟମ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Advertisment

ସୀମାବର୍ତ୍ତୀ କୋଟିଆ ପଂଚାୟତରେ ଆନ୍ଧ୍ରପ୍ରଦେଶ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଜାରି ରହିଥିଲେ ମଧ୍ୟ ଓଡ଼ିଶା ସରକାର ଏହାକୁ ନେଇ ବେପରୁୱା ମନୋଭାବ ପୋଷଣ କରିଛନ୍ତି । ଆଜି ରାଜସ୍ୱ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକଙ୍କ ବିଧାନସଭାରେ ଲିଖିତ ଉତ୍ତର ଓଡ଼ିଶା ସରକାରଙ୍କ କୋଟିଆକୁ ନେଇ ଆଭିମୁଖ୍ୟକୁ ପଦାରେ ପକାଇଛି ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ସରକାରଙ୍କ ଅଧିକାରୀମାନେ ୨୦୨୧ ମସିହାରେ କୋଟିଆ ଗ୍ରାମପଂଚାୟତରେ ଅନୁପ୍ରବେଶ କରିବା ସହିତ ଏଠାରେ ରାସନ କିମ୍ବା ଭତ୍ତା ବଂଟନ କରିବାର ତଥ୍ୟ ଜିଲ୍ଲା ପ୍ରଶାସନ ନିକଟରେ ଉପଲବ୍ଧ ନାହିଁ । କୋଟିଆରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ତରଫରୁ ରାସ୍ତା ନିର୍ମାଣ ହୋଇନାହିଁ । ସେଭଳି କିଛି କାର୍ଯ୍ୟକଳାପ ଦୃଷ୍ଟି ଗୋଚର ହେଲେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

Advertisment

ମାତ୍ର ୨୦୧୯ ମସିହାରୁ କୋଟିଆ ପଂଚାୟତରେ ଆନ୍ଧ୍ରପ୍ରଦେଶ ପ୍ରଶାସନର ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ଓ ଏହାକୁ ନେଇ ବିଧାନସଭାରେ ଅନେକ ଥର ଆଲୋଚନା ହେବା ସହ ଖୋଦ୍ ମୁଖ୍ୟମନ୍ତ୍ରୀ ନିଜେ ବାରମ୍ବାର ସମୀକ୍ଷା କରିଥିବା ସତ୍ତ୍ୱେ ଆନ୍ଧ୍ରର ଅନୁପ୍ରବେଶ ଖବରକୁ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ତଥ୍ୟ ଉପଲବ୍ଧ ନାହିଁ କହି ଏଡ଼ାଇଯିବା ଭବିଷ୍ୟତରେ ଓଡ଼ିଶା ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Odisha Assembly Kotia Issue Kotia Odisha Assembly Budget Session Pramila Mallick