Advertisment

ଆଉ ଟ୍ରେନ୍‌ରେ ବସିବିନି; ଟ୍ରେନ୍‌ ଟ୍ରାଜେଡିର ଛାତିଥରା ଦୃଶ୍ୟ ବଖାଣିଲେ ଗୁରୁତର ରିନୁ

୩ ପରିବାର ବଖାଣିଛନ୍ତି ଜୀବନ ଫେରିବାର ସେହି ଦାରୁଣ ଦୃଶ୍ୟ ଓ ଅଭୁଲା ଅନୁଭୂତିକୁ।

ଅଦ୍ୟତନ ହୋଇଛି
Ranu

Ranu

Advertisment

ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟି ଯାଇଥିବା କରମଣ୍ଡଳ ଟ୍ରେନ୍ ଟ୍ରାଜେଡି ଦିନ ମୃତ୍ୟୁର ଆଁରୁ ଅଳ୍ପକେ ବର୍ତ୍ତିଛନ୍ତି ଅନେକ ପରିବାର ଓ ବ୍ୟକ୍ତି ବିଶେଷ। କିଏ ଝିଅର ଚିକିତ୍ସା ପାଇଁ ସପରିବାର ଚେନ୍ନାଇ ଯାଉଥିଲା ତ କିଏ ନୂଆ ଚାକିରିରେ ଯୋଗ ଦେବାକୁ କଟକ ଆସୁଥିଲା। ପୁଣି କିଏ ବଗି ବଦଳାଇ ଅନ୍ୟ ବଗିରେ ବସିଥିଲା। ତେବେ ମୃତ୍ୟୁର ଶକ୍ତ ପଞ୍ଛାରୁ ଜୀବନ ଫେରି ପାଇବା ଯେମିତି ସମସ୍ତଙ୍କ ପାଇଁ ପାଲଟିଛି କେବଳ ଈଶ୍ୱର ଆଶୀର୍ବାଦ। କାଳ ଶୁକ୍ରବାର ରାତିର ସେ ଛାତିଥରା କାହାଣୀ ବଖାଣିବାକୁ ଶବ୍ଦ ନାହିଁ। ତେବେ ବି ୩ ପରିବାର ବଖାଣିଛନ୍ତି ଜୀବନ ଫେରିବାର ସେହି ଦାରୁଣ ଦୃଶ୍ୟ ଓ ଅଭୁଲା ଅନୁଭୂତିକୁ।

Advertisment

ବାହାନଗା ଟ୍ରେନ୍ ଟ୍ରାଜେଡିରୁ ଅଳ୍ପକେ ବର୍ତ୍ତିଯାଇଥିବା ବିହାର ପାଟନାର ଅଟଳ ବିହାରୀଙ୍କ ପରିବାର। ସେ ପତ୍ନୀ ସାବିତ୍ରୀ, ଦୁଇ ଝିଅ ରୁନୁ-ମୁନୁ ଓ ପୁଅ ସ୍ୱାଧୀନଙ୍କ ସହ ଟ୍ରେନ୍‌ରେ ବସିଥିଲେ। ସମସ୍ତଙ୍କ ଜୀବନ ଯେ ଅକ୍ଷତ ରହିଛି, ଏକଥା ସେମାନଙ୍କ ବିଶ୍ୱାସ ହେଉନି। କାରଣ ଦୁର୍ଘଟଣାରେ ଧ୍ୱସ୍ତ ଏସ୍-୨ ବଗିରୁ ଉଦ୍ଧାର ପାଇଛନ୍ତି ଅଟଳ ବିହାରୀ ଓ ତାଙ୍କ ପରିବାର। ବ୍ରେନ୍ ଟ୍ୟୁମର ଅପରେସନ ପରେ ବଡ଼ଝିଅର ଚେକଅପ୍ ପାଇଁ ସପରିବାର ଧରି ଚେନ୍ନାଇ ଯାଉଥିଲେ ଅଟଳବିହାରୀ। କରମଣ୍ଡଳ ଏସ୍-୨ ବଗିର ୫୧ରୁ ୫୪ ଯାଏଁ ସିଟରେ ବସିଥିଲେ। ସନ୍ଧ୍ୟାରେ ଜଳଖିଆ ଖାଇବାକୁ ପ୍ରସ୍ତୁତ ହେଉଥିବାବେଳେ ହଠାତ୍ ଭୟଙ୍କର ଶବ୍ଦ ସହ ପଲଟି ମାରୁଥିଲା ତାଙ୍କ ବଗି।

ସାରା ବଗି ଧୂଳିରେ ଭରି ଯାଇଥିଲା। ଜଣକ ଉପରେ ଜଣେ ଛିଟିକି ପଡୁଥିଲେ। ଜୀବନ ବିକଳରେ ପତ୍ନୀ ସାବିତ୍ରୀ ବଡ଼ ଝିଅର ହାତକୁ ଜାବୁଡ଼ି ଧରି ସାନ ଝିଅ ଓ ପୁଅକୁ ଡାକ ପକାଉଥିଲେ। ତେଣେ କିନ୍ତୁ ସାନ ଝିଅ ଓ ପୁଅ ହାତକୁ ଛାଡ଼ି ନଥିଲେ ସ୍ୱାମୀ ଅଟଳ। ସମସ୍ତେ ସୁରକ୍ଷିତ ଉଦ୍ଧାର ପାଇଛନ୍ତି। ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ପୁଣି ଆଉ ଏକ ଟ୍ରେନ୍‌ରେ ଚେନ୍ନାଇ ଯାଇଛନ୍ତି ନୂଆ ଜୀବନ ପାଇଥିବା ଏ ପରିବାର।

Advertisment
Family

ସେହିପରି ବ୍ରହ୍ମପୁର ଗୋଷାଣୀ ନୂଆଗାଁର ଏଜିକେଲ୍ ଦାସଙ୍କ ପରିବାର ମଧ୍ୟ କାଳ ଆଁରୁ ବର୍ତ୍ତି ଯାଇଛନ୍ତି। ସେଦିନ ବଗି ବଦଳାଇନଥିଲେ ହୁଏତ ଆଜି ଜୀବନ ନଥାନ୍ତା ବୋଲି କହୁଛନ୍ତି ଏଜିକେଲ୍‌ଙ୍କ ପତ୍ନୀ ସୁମିତା ଓ ପୁଅ ଜ୍ୟାକବ୍। ଖଡଗପୁରରେ ବଡ଼ବାପାଙ୍କ ଜନ୍ମଦିନ ପାଳିବା ପାଇଁ କରମଣ୍ଡଳ ଏକ୍ସପ୍ରେସର ବି-ଟୁ ବଗିରେ ଚଢ଼ିଥିଲେ ଏହି ପରିବାର। ହେଲେ ପୁଅ ଜ୍ୟାକବ୍‌ର ସିଟ୍ ବି-ଏଇଟ୍ ବଗିରେ ଥିବାରୁ ତାହା ବଦଳାଇବାକୁ ଚାହିଁଥିଲେ ଏଜିକେଲ୍।

କିନ୍ତୁ ସେହି ବଗିକୁ ଯାଇ ଟିଟିଇଙ୍କୁ ଭେଟିବାକୁ ଥିବାରୁ କଟକରେ ଡିନର ସାରି ଏହା କରିବାକୁ କହିଥିଲେ ପୁଅ ଜ୍ୟାକବ। କିନ୍ତୁ ତାର ମାତ୍ର ୧୦ ମିନିଟ୍ ପରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁ ବି-ଏଇଟ୍ ବଗିକୁ ଯିବାକୁ ଏଜିକେଲ୍ ବାହାରିଥିଲେ, ତାହା ଆଜି ୧୦ ଫୁଟ୍ ତଳକୁ ଗଡ଼ି ଛିନଛତ୍ର। ଅନେକ ନିରୀହ ଯାତ୍ରୀଙ୍କ ମୃତ୍ୟୁର ସାଜିଛି ମୂକସାକ୍ଷୀ।

Family

ସେମିତି ସେଦିନର ଆକ୍ସିଟେଣ୍ଟ କଥା ମନେ ପଡ଼ିଲେ ଛାତି ଥରି ଉଠୁଛି, ପଟ୍ଟାମୁଣ୍ଡାଇ ବ୍ଲକ ଅଳତାଙ୍ଗ ଗାଁର ରିନୁ ଲତାଙ୍କର। କଲିକତାରୁ ବ୍ୟାଙ୍କ ଚାକିରି ପାଇଁ ଟ୍ରେନିଂ ସାରି ସାଙ୍ଗଙ୍କ ସହ କରମଣ୍ଡଳରେ କଟକ ଫେରୁଥିଲେ ରିନୁ। ନୂଆ ଚାକିରି ପାଇଥିବାରୁ ଦୁଇ ସାଙ୍ଗ ଗପସପରେ ମାତିଥିଲେ, ହେଲେ ହଠାତ୍ ତାଙ୍କ ବଗି ଓଲଟି ପଡ଼ିଥିଲା। ଆର୍ତ୍ତଚିତ୍କାର ସହ କିଏ ରକ୍ତାକ୍ତ ତ କିଏ ଚାପି ହୋଇ ପଡ଼ିଥିଲେ। ବହୁକଷ୍ଟରେ ଦୁହେଁ ଉଦ୍ଧାର ପାଇ ମେଡିକାଲ ଆସିଥିଲେ। ସେଠୁ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ଗୋଡ଼ରେ ଗୁରୁତର ଆଘାତ ଲାଗିଛି, ତାହା କିଛିଦିନ ପରେ ଭଲ ହୋଇଯିବ। ହେଲେ ଆଉ ଟ୍ରେନ୍ ରେ ବସିବାକୁ ଡର ଲାଗୁଛି ବୋଲି କହିଛନ୍ତି ରିନୁଲତା। ରିନୁକୁ ଫେରିପାଇ ତାଙ୍କ ପରିବାର ଲୋକେ ଅଶ୍ରୁଝରା ଆଖିରେ ଭାବବିହ୍ୟୁଳ ହୋଇପଡ଼ିଛନ୍ତି। ଈଶ୍ୱରଙ୍କୁ ବାରମ୍ବାର ମୁଣ୍ଡିଆ ମାରି ଧନ୍ୟବାଦ ଦେଉଛନ୍ତି।

ଏସବୁ ଭିତରେ ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ରକ୍ଷା ପାଇ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରର ଅନେକ ଯାତ୍ରୀ। ଯାହାଙ୍କୁ ଭଦ୍ରକ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଗାଡ଼ି କରି ସେମାନଙ୍କ ଘରକୁ ପଠାଇଛି।

Balasore Train Accident BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe