Advertisment

୩ ବର୍ଷ ହେଲା IPS ଏନ୍‌.ବି.ଭାରତୀଙ୍କର ଖୋଜଖବର ନାହିଁ, ଖବରକାଗଜରେ ବିଜ୍ଞାପନ ନୋଟିସ୍ ଦେଲା ରାଜ୍ୟ ପୁଲିସ୍ ମୁଖ୍ୟାଳୟ

୨୦୧୭ରେ କଟକ ସ୍ଥିତି ପୁଲିସ ମୁଖ୍ୟାଳୟରେ ହ୍ୟୁମାନ ରାଇଟସ୍ ପ୍ରୋଟେକସନ ସେଲରେ ଆଇଜି ଭାବେ ଅବସ୍ଥାପିତ ହୋଇଥିଲେ ୧୯୯୮ ବ୍ୟାଚର ଆଇପିଏସ୍ ଅଧିକାରୀ ଏନବି ଭାରତୀ।

author-image
Jitendra Garnayak
N.B Bharati

N.B Bharati

କୁଆଡ଼େ ଗଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ଏନ୍.ବି. ଭାରତୀ? ପ୍ରାୟ ୩ ବର୍ଷ ହେଲା ତାଙ୍କର କୌଣସି ଖୋଜଖବର ନାହିଁ । ଅଫିସ୍ ଆସୁ ନାହାନ୍ତି କି ସରକାରଙ୍କ କୌଣସି ନୋଟିସ୍ ର ଉତ୍ତର ଦେଉ ନାହାନ୍ତି। ତେଣୁ ତାଙ୍କ ବିରୋଧରେ ରାଜ୍ୟ ପୁଲିସ ମୁଖ୍ୟାଳୟ ତରଫରୁ ଖବର କାଗଜରେ ଦିଆଯାଇଛି ବିଜ୍ଞାପନ ନୋଟିସ୍। ୧୫ ଦିନ ଭିତରେ ଭାରତୀ ଏହି ନୋଟିସର କୌଣସି ଉତ୍ତର ନ ରଖିଲେ ବିଭାଗ ତରଫରୁ ଏକତରଫା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରାଯାଇଛି।

Advertisment

୨୦୧୭ରେ କଟକ ସ୍ଥିତି ପୁଲିସ ମୁଖ୍ୟାଳୟରେ ହ୍ୟୁମାନ ରାଇଟସ୍ ପ୍ରୋଟେକସନ ସେଲରେ ଆଇଜି ଭାବେ ଅବସ୍ଥାପିତ ହୋଇଥିଲେ ୧୯୯୮ ବ୍ୟାଚର ଆଇପିଏସ୍ ଅଧିକାରୀ ଏନବି ଭାରତୀ। ଅଭିଯୋଗ ଅନୁସାରେ ସେ ବିନା ଅନୁମତିରେ କିଛି ଦିନ କାର୍ଯ୍ୟରେ ଅନୁପସ୍ଥିତ ରହିଥିଲେ। ତେଣୁ ତାଙ୍କ ବିରୋଧରେ ୨୦୧୭ ନଭେମ୍ବର ୨୩ରେ ଆରମ୍ଭ ହୋଇଥିଲା ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ପ୍ରକ୍ରିୟା। ଅବଶ୍ୟ ଏହା ପରେ କିଛି ମାସ ସେ ଅଫିସ ଆସିଥିଲେ। କିନ୍ତୁ ୨୦୧୯ ନଭେମ୍ବରରୁ ତାଙ୍କର ଆଉ କୌଣସି ପତ୍ତା ମିଳୁନି।

୨୦୨୦ ଜାନୁଆରୀ ୩ରେ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା ରାଜ୍ୟ କ୍ରାଇମ ରେକର୍ଡସ ବ୍ୟୁରୋ ନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କୁ। ତଦନ୍ତରେ ସହଯୋଗ ପାଇଁ ରେଜିଷ୍ଟ୍ରି, ସ୍ପିଡ୍ ପୋଷ୍ଟ ଓ ଇମେଲରେ ବାରମ୍ବାର ନୋଟିସ୍ ସତ୍ତ୍ୱେ ସେସବୁକୁ ଭାରତୀ ଗ୍ରହଣ ନ କରିବାରୁ ତାହା ଫେରି ଆସିଥିଲା। ତେଣୁ ଏକ ତରଫା ଭାବେ ତଦନ୍ତର ପରିଚାଳନା କରାଯାଇଥିଲା। ତଦନ୍ତ ରିପୋର୍ଟର ନକଲ ସହିତ ଗୃହ ବିଭାଗର ନୋଟିସକୁ ଭାରତୀଙ୍କୁ ଦିଆଯାଇଥିଲା ୨୦୨୨ ଫେବ୍ରୁଆରୀ ୨୮ରେ। ବେଙ୍ଗାଲୁରୁର ୩ଟି ଠିକଣାରେ ଚିଠି ପଠାଯାଇଥିଲେ ମଧ୍ୟ ତାର ଉତ୍ତର ଆସି ନଥିଲା।। ବର୍ତ୍ତମାନ ରାଜ୍ୟ ପୁଲିସ ମୁଖ୍ୟାଳୟ ତରଫରୁ ଖବର କାଗଜରେ ପ୍ରକାଶ ପାଇଥିବା ବିଜ୍ଞାପନ ନୋଟିସରେ ଭାରତୀଙ୍କୁ କୁହାଯାଇଛି ଯେ, ୧୫ ଦିନ ଭିତରେ ସେ ଲିଖିତ ଆବେଦନ କରିପାରିବେ। ଏହି ସମୟ ସୀମା ଭିତରେ ଯଦି ଭାରତୀ କିଛି ମତାମତ ନ ଦିଅନ୍ତି, ତେବେ ତଦନ୍ତ ରିପୋର୍ଟର ସିଦ୍ଧାନ୍ତ ଉପରେ ତାଙ୍କର କିଛି କହିବାର ନାହିଁ ଓ ସେହି ଅନୁସାରେ ଉକ୍ତ ଶୃଙ୍ଖଳାଗତ କାର୍ଯ୍ୟବିଧି ଏକତରଫା ଭାବେ ସମାପ୍ତ କରିଦିଆଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି।

Advertisment
Cuttack Ips