ସିବିଆଇ ତଦନ୍ତ ନସରିବା ପର୍ଯ୍ୟନ୍ତ ବାହାନଗା ଷ୍ଟେସନରେ ଅଟକିବ ନାହିଁ କୌଣସି ଟ୍ରେନ

ସେହିପରି ଜୁନ୍ ୨ରେ ବାହାନଗା ଟ୍ରେନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ୧୨୦୮ଜଣ ଯାତ୍ରୀଙ୍କ ମଧ୍ୟରୁ ୭୦୯ଜଣଙ୍କୁ  କ୍ଷତିପୂରଣ ଓ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇ ସାରିଛି ।

ବାହାନଗା ଷ୍ଟେଶନ ନିକଟରେ ଦୁର୍ଘଟଣା ଘଟିବା ବେଳର ଦୃଶ୍ୟ

  • Published: Saturday, 10 June 2023
  • , Updated: 10 June 2023, 09:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଭୟାବହ ଟ୍ରେନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ରେଳ ଧାରଣାର ମରାମତି ପରେ ଉକ୍ତ ମାର୍ଗରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲେ ମଧ୍ୟ ସିବିଆଇ ତଦନ୍ତ ନସରିବା ପର୍ଯ୍ୟନ୍ତ ବାହାନଗା ବଜାର ରେଳ ଷ୍ଟେସନରେ କୌଣସି ଟ୍ରେନ ଅଟକିବ ନାହିଁ ।

ଦକ୍ଷିଣ ପୂର୍ବ ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଆଦିତ୍ୟ କୁମାର ଚୌଧୁରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଜୁନ୍ ୨ ତାରିଖରେ ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହେବା ପଛର କାରଣ ଜାଣିବାକୁ ଏବେ ସିବିଆଇ ତଦନ୍ତ ଜାରି ରହିଛି । ଲଗବୁକ୍ ସମେତ ରିଲେ ପ୍ୟାନେଲ ଓ ଅନ୍ୟାନ୍ୟ ଉପକରଣକୁ ଜବତ ସହ ବାହାନଗା ବଜାର ରେଳଷ୍ଟେସନକୁ ସିବିଆଇ ଅଧିକାରୀମାନେ ସିଲ୍ କରିଦେଇଛନ୍ତି । ଯେହେତୁ ସିଗନାଲ ସିଷ୍ଟମର ଗୁରୁତ୍ୱପୂର୍ଣ୍ଣ ରିଲେ ଇଂଟରଲକିଂ ପ୍ୟାନେଲକୁ ସିଲ୍ କରାଯାଇଛି ଓ ସେଠାକୁ ଷ୍ଟେସନର କର୍ମଚାରୀଙ୍କ ପ୍ରବେଶ ଉପରେ କଟକଣା ରହିଛି, ତେଣୁ ବାହାନଗା ବଜାର ଷ୍ଟେସନରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୌଣସି ଯାତ୍ରୀବାହୀ କିମ୍ବା ମାଲବାହୀ ଟ୍ରେନ ଅଟକିବ ନାହିଁ ବୋଲି ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି । ସେହିପରି ଜୁନ୍ ୨ରେ ବାହାନଗା ଟ୍ରେନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ୧୨୦୮ଜଣ ଯାତ୍ରୀଙ୍କ ମଧ୍ୟରୁ ୭୦୯ଜଣଙ୍କୁ  କ୍ଷତିପୂରଣ ଓ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇ ସାରିଛି । ବାକି ଯାତ୍ରୀଙ୍କୁ ଏହି ଅର୍ଥ ପ୍ରଦାନ କରିବା ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି ।

ରେଳବାଇ ସୂତ୍ରରୁ ଜଣାପଡ଼ିଛି ଯେ, ଜୁନ୍ ୨ ତାରିଖରେ ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଓ କରମଣ୍ଡଳ ଏକ୍ସପ୍ରେସରେ ମୋଟ ୨୨୯୬ଜଣ ଯାତ୍ରୀ ଦୁର୍ଘଟଣା ସମୟରେ ଟ୍ରେନରେ ଯାତ୍ରା କରୁଥିଲେ ।

ଉଲ୍ଲେଖଯୋଗ୍ୟ, ବାହାନଗା ବଜାର ରେଳଷ୍ଟେସନ ମାର୍ଗ ଦେଇ ପ୍ରତିଦିନ ୧୭୦ଟି ଟ୍ରେନ ଅତିକ୍ରମ କରିଥାଏ । ସେଥିରୁ କେବଳ ୭ଟି ପାସେଞ୍ଜର ଟ୍ରେନ ସେଠାରେ ପ୍ରତିଦିନ ୧ରୁ ୨ମିନିଟ୍ ପର୍ଯ୍ୟନ୍ତ ଅଟକି ରହିଥାଏ । ଏହି ଟ୍ରେନ ଭିତରେ ଭଦ୍ରକ-ବାଲେଶ୍ୱର ମେମୁ, ହାୱାଡ଼ା-ଭଦ୍ରକ ବାଘାଯତୀନ ଫାଷ୍ଟ ପାସେଞ୍ଜର, ଖଡ଼ଗପୁର-ଖୋର୍ଦ୍ଧା ରୋଡ୍ ଫାଷ୍ଟ ପାସେଞ୍ଜର ଭଳି ଟ୍ରେନ ଏହି ଷ୍ଟେସନରେ ଅଟକିଥାଏ ।

Related story