ଆଉ ୧୦ ଖଣିର ନିଲାମ କରିବ ଓଡ଼ିଶା

ପୂର୍ବରୁ ୪୧ଟି ଖଣିର ନିଲାମ ପ୍ରକ୍ରିୟା ଶେଷ କରିଥିବା ରାଜ୍ୟ ସରକାର ଏବେ ୫ଟି ଖଣିର ନିଲାମ ପ୍ରକ୍ରିୟା ଜାରି ରଖିଛନ୍ତି ।

Mines PhotoOR

representational image

Ordigital Desk
  • Published: Monday, 20 March 2023
  • Updated: 20 March 2023, 10:26 PM IST

Sports

Latest News

ରାଜ୍ୟ ସରକାର ଆଉ ୧୦ଟି ଖଣିର ନିଲାମ କରିବା ନିମନ୍ତେ ଯୋଜନା କରିଛନ୍ତି । ପୂର୍ବରୁ ୪୧ଟି ଖଣିର ନିଲାମ ପ୍ରକ୍ରିୟା ଶେଷ କରିଥିବା ରାଜ୍ୟ ସରକାର ଏବେ ୫ଟି ଖଣିର ନିଲାମ ପ୍ରକ୍ରିୟା ଜାରି ରଖିଛନ୍ତି । ଆଉ ନିଲାମ ପ୍ରକ୍ରିୟା ଶେଷ ହୋଇଥିବା ୪୧ଟି ଖଣି ମଧ୍ୟରୁ ଏବେ ୨୩ଟି ଖଣି କାର୍ଯ୍ୟକ୍ଷମ ହୋଇସାରିଛି । ଖଣି ନିଲାମ ହେବା ପରେ ରାଜ୍ୟ ସରକାରଙ୍କ ଖଣି ରାଜସ୍ୱ ପରିମାଣରେ ଆଖିଦୃଶିଆ ବୃଦ୍ଧି ହୋଇଛି । ୨୦୨୧-୨୨ରେ ଖଣି ରାଜସ୍ୱ ବାବଦରେ ଓଡ଼ିଶାକୁ ୪୯୮୫୮.୮୭କୋଟି ଟଙ୍କା ମିଳିଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଫେବୃୟାରୀ ଶେଷ ସୁଦ୍ଧା ୩୩୮୫୫.୧୧କୋଟି ଟଙ୍କା ମିଳିଛି ।

ଆଜି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୨୦୨୩ ଜାନୁୟାରୀ ୯ତାରିଖରେ ରାଜ୍ୟରେ ୫ଟି ଖଣି ନିଲାମ କରିବା ଉଦ୍ଦେଶ୍ୟରେ ଏନଆଇଟି ପ୍ରକାଶ କରାଯାଇ ନିଲାମ ପ୍ରକ୍ରିୟା ଏବେ ଚାଲୁ ରହିଛି । ଏହି ୫ଟି ଖଣି ମଧ୍ୟରୁ ୨ଟି ଲୁହାପଥର ଓ ୩ଟି ମାଙ୍ଗାନିଜ୍ ଖଣି । କେନ୍ଦୁଝରର କେନ୍ଦୁଡିହି ନର୍ଥ ଲୁହାପଥର ଖଣି ସମେତ ସୁନ୍ଦରଗଡ଼ ଜିଲ୍ଲାରେ ୪ଟି ଖଣି ରହିଛି ।

Also Read

ସେହିଭଳି ଯେଉଁ ୧୦ଟି ଖଣି ନିଲାମ ହେବା ପାଇଁ ସରକାର ଯୋଜନା କରୁଛନ୍ତି । ଏହି ୧୦ଟି ଖଣି ମଧ୍ୟରୁ ୩ଟି ଖଣିର ଲିଜ୍ ଅବଧି ଶେଷ ହୋଇଥିବାବେଳେ ବାକି ୭ଟି ନୂଆ ଖଣି ରହିଛି । ମୋଟ ୧୦ଟି ଖଣିରୁ ୬ଟି ଲୁହାପଥର, ୨ଟି ବକ୍ସାଇଟ୍ , ଗୋଟିଏ ଗ୍ରାଫାଇଟ୍ ଓ ଗୋଟିଏ ଚୂନପଥର ଖଣି ରହିଛି । ସୁନ୍ଦରଗଡ଼ ଜିଲ୍ଲାରେ ୫ଟି ଖଣି ଥିବାବେଳେ ଗୋଟିଏ ବକ୍ସାଇଟ୍ ଖଣି କଳାହାଣ୍ଡିରେ ଓ ଅନ୍ୟ ବକ୍ସାଇଟ୍ ଖଣି ରାୟଗଡ଼ା ଜିଲ୍ଲାରେ ରହିଛି । ଗ୍ରାଫାଇଟ୍ ଖଣି ମଧ୍ୟ ରାୟଗଡ଼ା ଜିଲ୍ଲାରେ ଅଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟର ୧୩ଟି ସ୍ଥାନରେ ଇସ୍ପାତ କାରଖାନା ସ୍ଥାପନ କରିବାକୁ ବିଭିନ୍ନ କମ୍ପାନୀ ଆଗ୍ରହ ଦେଖାଇଛନ୍ତି । କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ଆର୍ସେଲର ମିତ୍ତଲ, ବଅଁରପାଳରେ ଜିନ୍ଦଲ ଷ୍ଟିଲ ଓଡ଼ିଶା ଲିଃ, ନୟାଗଡ଼ରେ ଓଡ଼ିଶା ମେଟାଲିକ୍ସ ଲିଃ, କେନ୍ଦୁଝରରେ ସିଦ୍ଧିରିଦ୍ଧି ଇଣ୍ଟରନ୍ୟାସନାଲ, କେନ୍ଦୁଝରରେ ରୁଙ୍ଗଟା ମାଇନ୍ସ ୨ଟି ଇସ୍ପାତ କମ୍ପାନୀ, ମୟୂରଭଞ୍ଜରେ ରୁଙ୍ଗଟା ମେଟାଲିକ୍ସ , ସୁନ୍ଦରଗଡ଼ରେ ଫେଡରସ ଇଲେକ୍ଟ୍ରି ଆଣ୍ଡ ଇଞ୍ଜିନିୟରିଂ, ସୁନ୍ଦରଗଡ଼ରେ ଏନଭିରୋକେୟାର ଇନଫ୍ରା ସଲ୍ୟୁସନ୍ , ଯାଜପୁରର କଳିଙ୍ଗନଗରରେ ବିକେ ଉତ୍କଳ ଷ୍ଟିଲ ଏବଂ ଓଡ଼ିଶା ଆଲୋ ଷ୍ଟିଲ ପ୍ରାଃ, ଜଗତସିଂହପୁର ଢିଙ୍କିଆରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଓ କ୍ରେୁଝରର ବଡ଼ବିଲରେ ଆର‌୍ୟନ ଆଇରନ୍ ଆଣ୍ଡ ଷ୍ଟିଲ କମ୍ପାନୀ ନିଜର ଇସ୍ପାତ କାରଖାନା କରିବାକୁ ଆଗ୍ରହ ଦେଖାଇଛନ୍ତି । ଏହି ୧୩ଟି କମ୍ପାନୀ ମୋଟ ବାର୍ଷିକ ୬୪.୨୮ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବେ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos