Advertisment

ଆଜି ଆନ୍ଦୋଳନକୁ ଓହ୍ଲାଇ ଥାନ୍ତେ ସ୍ୱାସ୍ଥ୍ୟ କର୍ମଚାରୀ, ସରକାର ଲାଗୁ କଲେ ଏସ୍‌ମା

ସମସ୍ତ ପ୍ରକାର ସରକାରୀ ଚିକିତ୍ସାଳୟରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ଏହି ନିର୍ଦ୍ଦେଶ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଲାଗୁ ହୋଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
nurses, pharmacists Union

nurses, pharmacists Union

ସରକାରୀ ଡାକ୍ତରଖାନାରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ଲାଗୁ ହେଲା ଏସ୍‌ମା। ରାଜ୍ୟ ସରକାର ନେଇଛନ୍ତି ଏହି ଜରୁରୀକାଳୀନ ପଦକ୍ଷେପ। ନର୍ସ, ଫାର୍ମାସିଷ୍ଟ, ପାରାମେଡିକ, ଟେକ୍ନିସିଆନଙ୍କ ପ୍ରତି ଏହି ନିୟମ ଲାଗୁ ହୋଇଛି। ଏହାଛଡ଼ା ଅନ୍ୟ ତୃତୀୟ ଶ୍ରେଣୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସମେତ ଡାକ୍ତରଖାନା ଯତ୍ନ ନେବା ନିମନ୍ତେ ନିଯୁକ୍ତି ପାଇଥିବା ଠିକା କର୍ମଚାରୀଙ୍କ ପ୍ରତି ବି ଏହା କାର୍ଯ୍ୟକାରୀ ହେବ।

Advertisment

ଜରୁରୀ ସେବାରେ ବ୍ୟାଘାତ ନଘଟାଇବା ପାଇଁ ଏସମା ଲାଗୁ କରାଯାଇଛି । ସମସ୍ତ ପ୍ରକାର ସରକାରୀ ଚିକିତ୍ସାଳୟରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ଏହି ନିର୍ଦ୍ଦେଶ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଲାଗୁ ହୋଇଛି। ଫଳରେ କର୍ମଚାରୀମାନେ ସେମାନଙ୍କ ଦାବି ପାଇଁ ଆନ୍ଦୋଳନକୁ ଓହ୍ଲାଇବା ବାଟ ବନ୍ଦ ହୋଇଯାଇଛି। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଇଥିବା ନିର୍ଦ୍ଦେଶନାମାରୁ ଜଣାପଡ଼ିଛି।

ତେବେ ଏହି ନିର୍ଦ୍ଦେଶ ଜାରି କରି ସରକାର ସେମାନଙ୍କ କଣ୍ଠରୋଧପାଇଁ ଉଦ୍ୟମ କରିଛନ୍ତି ବୋଲି ଫାର୍ମାସିଷ୍ଟ ଓ ନର୍ସ ସଂଘ କହିଛନ୍ତି। ସଂଘ ସଭାପତି ସୁଚିସ୍ମିତା ଦାଶ ଓ ସମ୍ପାଦକ ସବ୍ୟସଚୀ ପଣ୍ଡା କହିଛନ୍ତି, ଯେଉଁ କଟକଣା ଜାରି କରାଗଲା, ଏହା ଠିକ୍‌ ନିଷ୍ପତ୍ତି ନୁହେଁ। କାରଣ ସେମାନେ ବି ମଣିଷ। ସେମାନଙ୍କ ପ୍ରତି ହେଉଥିବା ଦରମା ଅସଙ୍ଗତି ଓ ଚାକିରି ନିୟମିତ କରିବା ପ୍ରଭୃତିକୁ ଠିକ୍‌ ଭାବେ ସରକାର ଲାଗୁ କରୁନାହାନ୍ତି। ୨୦୧୩ ପୂର୍ବରୁ ଠିକାରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଏ ପର୍ଯ୍ୟନ୍ତ ସରକାର ରେଗୁଲାର କଲେନାହିଁ। ସରକାରଙ୍କ ଐତିହାସିକ ନିଷ୍ପତ୍ତିରେ ସେମାନଙ୍କୁ ନ୍ୟାୟ ମିଳିଲାନି। ଯଦି ସରକାର କଟକଣା ଲାଗୁ କରୁଛନ୍ତି, ତେବେ ଏହା ପୂର୍ବରୁ କର୍ମଚାରୀଙ୍କ ସ୍ୱାର୍ଥ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାର ଥିଲା। ଆଜି ସଂଘ ୧୨ ଦଫା ଦାବି ନେଇ ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରିବାର ଥିଲା। ହେଲେ ସରକାର ଅନୁମତି ଦେଲେନି। ଆଲୋଚନା କରି ସେମାନଙ୍କ ସମସ୍ୟା ସମାଧାନ କରା ନ ଯାଇ ଓଲଟା ସେମାନଙ୍କ କଣ୍ଠରୋଧ କରାଯାଇଛି। ତେଣୁ ଆଗକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଜରିଆରେ ସରକାରଙ୍କୁ ପ୍ରତିବାଦମୂଳକ ଦାବିପତ୍ର ପ୍ରଦାନ କରାଯିବ।

Advertisment
Health Service Odisha Medical Staf