ଓଡ଼ିଶାକୁ ମିଳିଲା ଆଉ ଦୁଇଟି ସ୍ୱତନ୍ତ୍ର ନୂଆ ରେଳ ପ୍ରକଳ୍ପ। ନୂଆ କରି ନିର୍ମାଣ ହେବ ତାଳଚେର-ଅନୁଗୁଳ ରେଳ ଲାଇନ। ତାଳଚେରଠାରୁ ଏହା ୱାଇ କନେକସନ ରହିବ। ଏହି ନୂଆ ରେଳ ଲାଇନର ମୋଟ ଦୂରତା ହେଉଛି ୧୬.୫୦ କିଲୋମିଟର।
ସେହିପରି ବରଗଡ ରୋଡଠାରୁ ନୂଆପଡା ନୂଆ ରେଳ ଲାଇନ ହେବ। ଏହି ଟ୍ରେନ୍ ଲାଇନର ଦୂରତା ରହିବ ୧୪୨ କିଲୋମିଟର। ଏହି ରେଳପଥ ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ ଅଧିନରେ ରହିବ । କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ଲାଗି ସ୍ୱତନ୍ତ୍ର ରେଳ ପ୍ରକଳ୍ପ ବିଜ୍ଞପ୍ତି ପ୍ରକାଶ ପାଇଛି।
ପଦ୍ମପୁର ଉପନିର୍ବାଚନ ବେଳେ ବରଗଡ଼-ନୂଆପଡ଼ା ଲାଇନକୁ ନେଇ ଉଠିଥିଲା ପ୍ରସଙ୍ଗ। କିଛି ମାସ ତଳେ ସଡକ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ପଦ୍ମପୁର ଦେଇ ବରଗଡ-ନୂଆପଡା ରେଳଲାଇନ ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ। ଗତବର୍ଷ ନଭେମ୍ବର ୨୧ତାରିଖରେ ଏକ ଚିଠି ମାଧ୍ୟମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଉତ୍ତର ରଖିଥିଲେ। ଯେଉଁଥିରେ ଜଣାଇଥିଲେ ଓଡିଶା ସରକାରଙ୍କ ଆବେଦନ କ୍ରମେ ପ୍ରକଳ୍ପର ଡିଟେଲ ପ୍ରୋଜେକଟ ରିପୋର୍ଟ ବା ଡିପିଆର ଅନୁମୋଦନ ହୋଇଛି।