ଅଭିବୃଦ୍ଧି ହାର କମିବ: ସ୍ୱାସ୍ଥ୍ୟ ଓ ଶିକ୍ଷାରେ ମୁଣ୍ଡପିଛା ବ୍ୟୟରେ ପଡ଼ୋଶୀଙ୍କଠୁ ଓଡ଼ିଶା ପଛରେ

୨୦୨୧-୧୨ ମସିହା ତୁଳନାରେ ରାଜ୍ୟରେ ମୁଣ୍ଡପିଛା ଆୟ ପ୍ରାୟ ୩ଗୁଣ ବୃଦ୍ଧି ପାଇଛି ଓ ଏହି ଅବଧି ମଧ୍ୟରେ ଭାରତର ମୁଣ୍ଡପିଛା ଆୟ ୨.୭ଗୁଣ ବୃଦ୍ଧି ପାଇଛି ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି ।

Economic Survey Report 2022-23

  • Published: Thursday, 23 February 2023
  • , Updated: 23 February 2023, 08:14 PM IST

ଓଡ଼ିଶା ଏବେ ଦେଶର ସବୁଠୁ ଦ୍ରୁତ ଗତିରେ ଅଭିବୃଦ୍ଧି  କରୁଥିବା ଅନ୍ୟତମ ରାଜ୍ୟ । ରାଜ୍ୟର ଆର୍ଥିକ ଶୃୃଙ୍ଖଳା ଓଡ଼ିଶାର ଅର୍ଥନୀତିକୁ ବେଶ୍ ସୁଦୃଢ଼ ସ୍ଥିତିରେ ରଖିଛି । ଜାତୀୟ ହାର ତୁଳନାରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର କ୍ରମାଗତ ଅଧିକ ରହିଛି । ୧୫ବର୍ଷ ଧରି ରାଜସ୍ୱ ବଳକା ରାଜ୍ୟ ହୋଇ ରହିଛି । ରାଜ୍ୟ  ଜିଡିପି ଓ ଋଣ ବୋଝ ଅନୁପାତ କ୍ରମାଗତ ହ୍ରାସ ପାଇ ୧୪.୭%କୁ ପହଂଚିବ । କୋଭିଡ୍ ମହାମାରୀ ଓ ୟୁକ୍ରେନ ଯୁଦ୍ଧ ସତ୍ତ୍ୱେ ଓଡ଼ିଶାର ଅଭିବୃଦ୍ଧି ହାର ୨୦୨୨-୨୩ରେ ୭.୮% ରହିବ । ଏପରିକି ୨୦୨୩-୨୪ରେ ଏହି ଅଭିବୃଦ୍ଧି ୮ରୁ ସାଢ଼େ ୮ ପ୍ରତିଶତକୁ ଛୁଇଁପାରେ ବୋଲି ସରକାର ଆକଳନ କରିଛନ୍ତି । ଅର୍ଥନୀତିକ ସର୍ଭେ ରିପୋର୍ଟରେ ରାଜ୍ୟ ଅର୍ଥନୀତିର ଏଭଳି ଗୋଲାପୀ ଚିତ୍ର ଦେଇଥିବା ଓଡ଼ିଶା ସରକାର କିନ୍ତୁ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଆଦି କ୍ଷେତ୍ରରେ ପଡ଼ୋଶୀ ରାଜ୍ୟଗୁଡ଼ିକ ତୁଳନାରେ ମୁଣ୍ଡପିଛା ବ୍ୟୟରେ ବହୁ ପଛରେ ରହିଛନ୍ତି । ତା’ଛଡ଼ା ୨୦୨୧-୨୨ରେ ୧୧.୫% ହାରରେ ଆର୍ଥିକ ଅଭିବୃଦ୍ଧି କରିଥିବା  ଓଡ଼ିଶା ୨୦୨୨-୨୩ରେ ୭.୮%କୁ ଖସିଆସିବ ବୋଲି ଅର୍ଥନୀତିକ ସର୍ଭେରେ ଅଗ୍ରୀମ ଆକଳନ ହୋଇଛି । କିନ୍ତୁ ଏହି ନୈରାଶ୍ୟଜନକ ଅଭିବୃଦ୍ଧି ହ୍ରାସର କାରଣ ସମ୍ପର୍କରେ କିଛି ଦର୍ଶାଇନଥିବା ସରକାର ୨୦୨୧-୨୨ର ଅଭିବୃଦ୍ଧି ହାର ଜାରି ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

ଆସନ୍ତାକାଲି ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ଆସିବା ପୂର୍ବରୁ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟ ୨୦୨୨-୨୩କୁ ଉପସ୍ଥାପନ କରିଛନ୍ତି । ରାଜ୍ୟର ମୁଣ୍ଡପିଛା ଆୟ ୨୦୨୨-୨୩ ଆର୍ଥିକ ବର୍ଷରେ ୧ଲକ୍ଷ ୫୦ହଜାର ୬୭୬ଟଙ୍କାର ଅଗ୍ରୀମ ଆକଳନ ହୋଇଛି । ଏହି ମୁଣ୍ଡ ପିଛା ଆୟ ୨୦୧୫-୧୬ରେ ୯୪,୭୯୭ଟଙ୍କା ରହିଥିଲା । ୨୦୨୧-୧୨ ମସିହା ତୁଳନାରେ ରାଜ୍ୟରେ ମୁଣ୍ଡପିଛା ଆୟ ପ୍ରାୟ ୩ଗୁଣ ବୃଦ୍ଧି ପାଇଛି ଓ ଏହି ଅବଧି ମଧ୍ୟରେ ଭାରତର ମୁଣ୍ଡପିଛା ଆୟ ୨.୭ଗୁଣ ବୃଦ୍ଧି ପାଇଛି ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି । ସେହିପରି ୨୦୧୨-୧୩ରୁ ୨୦୧୯-୨୦ ମସିହା ମଧ୍ୟରେ ରାଜ୍ୟରେ ୭.୧% ହାରରେ ଆର୍ଥିକ ଅଭିବୃଦ୍ଧି ହେଉଥିବାବେଳେ କୋଭିଡ୍ ମହାମାରୀ ସତ୍ତ୍ୱେ ୨୦୨୧-୨୨ରେ ୧୧.୫% ହାରରେ ଅଭିବୃଦ୍ଧି ହୋଇଥିଲା । କିନ୍ତୁ ୨୦୨୨-୨୩ରେ ଏହି ଅଭିବୃଦ୍ଧି ହାର ତୁଳନାତ୍ମକ ଭାବେ ନୈରାଶ୍ୟଜନକ ରହିଛି ତଥା ୭.୮%କୁ ହ୍ରାସ ପାଇବ ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟ ଆକଳନ ହୋଇଛି । ଯଦିଓ ଆନ୍ତର୍ଜାତିକ ଯୁଦ୍ଧ ପରିସ୍ଥିତି, ଜିଏସଟି କ୍ଷତିପୂରଣ ବନ୍ଦ, ଅସ୍ଥିର ଖଣି ରାଜସ୍ୱ, କେନ୍ଦ୍ରୀୟ ଟିକସ ଭାଗିଦାରୀ ହ୍ରାସ, ପିପିପି ମୋଡରେ ଭିତ୍ତିଭୂମି ବ୍ୟୟ , ଶକ୍ତି କ୍ଷେତ୍ର ପାଇଁ ଗ୍ୟାରେଣ୍ଟର ଏବଂ  ବାରମ୍ବାର ବିପର୍ଯ୍ୟୟ ପରିଚାଳନା ଆଦିର ମୁକାବିଲା ପାଇଁ ସରକାର ଏକାଧିକ ଆର୍ଥିକ ପଦକ୍ଷେପ ନେଇଥିବା ଅର୍ଥନୀତିକ ସର୍ଭେ ରିପୋର୍ଟରେ ଦାବି କରିଛନ୍ତି । ୨୦୨୧-୨୨ରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଓ ପ୍ରଦର୍ଶନକୁ ସନ୍ତୋଷ ବ୍ୟକ୍ତ କରିଥିବା ସରକାର ୨୦୨୨-୨୩ରେ ଏହି ଟ୍ରେଣ୍ଡ ଜାରି ରହିବ ବୋଲି ଆଶା ରଖିଛନ୍ତି ।

ସେହିପରି ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ୨୦୧୮-୧୯ରେ ୬୧୮୨ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରୁଥିବାବେଳେ ତାହା ୨୦୨୨-୨୩ରେ ପ୍ରାୟ ଦ୍ୱିଗୁଣ ଅର୍ଥାତ ୧୨୩୪୨କୋଟି ଟଙ୍କାରେ ପହଂଚିଛି ଓ ମୋଟ ବଜେଟର ୬.୨% ସ୍ୱାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ ହେଉଥିବା ସରକାର ଦାବି କରୁଛନ୍ତି । କିନ୍ତୁ ୨୦୧୭-୧୮ରୁ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟ ସରକାର ବିକାଶମୂଳକ କାର୍ଯ୍ୟରେ ବାର୍ଷିକ ମୁଣ୍ଡପିଛା ୨୦୭୩୧ଟଙ୍କା ଖର୍ଚ୍ଚ କରୁଥିବାବେଳେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଜଳସେଚନରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା,ଛତିଶଗଡ଼ ଆଦିଠୁ ପଛରେ ରହିଛନ୍ତି । ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ୨୦୨୨-୨୩ରେ ୨୬୭୪ ଟଙ୍କା ମୁଣ୍ଡପିଛା ବ୍ୟୟବରାଦ କରିଥିଲେ ମଧ୍ୟ ଖର୍ଚ୍ଚ ମାତ୍ର ୧୭୬୯ଟଙ୍କା କରୁଛି ।   ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଣ୍ଡପିଛା ୧୮୫୫ଟଙ୍କା, ଛତିଶଗଡ଼ ୧୮୨୮ଟଙ୍କା ଓ ତେଲେଙ୍ଗାନା ୧୮୧୩ଟଙ୍କା ଖର୍ଚ୍ଚ କରୁଛନ୍ତି । ସେହିପରି ଶିକ୍ଷା କ୍ଷେତ୍ରରେ ଓଡ଼ିଶା ହାରାହାରି ମୁଣ୍ଡପିଛା ୪୨୧୧ଟଙ୍କା ଖର୍ଚ୍ଚ କରୁଥିବାବେଳେ ଆନ୍ଧ୍ରପ୍ରଦେଶ ୪୬୫୮ଟଙ୍କା, ଛତିଶଗଡ଼ ୫୩୯୨ଟଙ୍କା ଖର୍ଚ୍ଚ କରୁଛି । ସେହିପରି ଜଳସେଚନରେ ଓଡ଼ିଶା ହାରାହାରି ମୁଣ୍ଡପିଛା ୧୬୮୦ଟଙ୍କା ଖର୍ଚ୍ଚ କରୁଥିବାବେଳେ ତେଲେଙ୍ଗାନା ୩୭୦୭ଟଙ୍କା ଖର୍ଚ୍ଚ କରୁଛି । ଯଦିଓ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିଚ୍ଛନ୍ନତାକୁ ପ୍ରାଥମିକତା ଦେଇ ଓଡ଼ିଶା ସରକାର ବଜେଟରେ ସାମାଜିକ କ୍ଷେତ୍ରରେ ୫୩.୨% ବ୍ୟୟବରାଦ କରୁଛନ୍ତି ।

୨୦୨୨-୨୩ ଆର୍ଥିକ ବର୍ଷରେ ଆଡ଼ଭାନ୍ସ ଏଷ୍ଟିମେଂଟ ଅନୁସାରେ ରାଜ୍ୟରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ବାର୍ଷିକ ଅଭିବୃଦ୍ଧି ହାର ୫.୯%, ଶିଳ୍ପ କ୍ଷେତ୍ରରେ ୬.୦୫% ଓ ସେବା କ୍ଷେତ୍ରରେ ୮.୭୯% ହାରରେ ଅଭିବୃଦ୍ଧି ହେବ । ତେବେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୩.୫% ଅଧିକ ରହିଥିଲେ ମଧ୍ୟ ଶିଳ୍ପ କ୍ଷେତ୍ରରେ ପ୍ରାୟ ୬% ଓ ସେବା କ୍ଷେତ୍ରରେ ପ୍ରାୟ ୦.୦୭% ଅଭିବୃଦ୍ଧି ହ୍ରାସ ପାଇବ ବୋଲି ଆକଳନ ହୋଇଛି ।

ତେବେ କୋଭିଡ୍ ମହାମାରୀ, ୟୁକ୍ରେନ୍ ଯୁଦ୍ଧ ପରିସ୍ଥିତି ସତ୍ୱେ ୨୦୨୨-୨୩(ଏପ୍ରିଲ-ଡିସେମ୍ବର ମଧ୍ୟରେ) ଦେଶର ମୁଦ୍ରାସ୍ପୀତି ହାର ହାରାହାରି ୬.୮୧% ଥିବାବେଳେ ଓଡ଼ିଶାରେ ତା’ ତୁଳନାରେ କମ୍ ଅର୍ଥାତ ୬.୫୬% ରହିଥିବା ଆକଳନ ହୋଇଛି । ସେହିପରି ରାଜ୍ୟର ବେକାରୀ ହାର ୨୦୧୮-୧୯ରେ ୭.୧% ଥିବାବେଳେ ଏହା ୨୦୨୦-୨୧ରେ ୫.୩%କୁ ହ୍ରାସ ପାଇଛି ।

Related story