Advertisment

ବିଧାନସଭାରେ ହଙ୍ଗାମା: ଦିଲ୍ଲୀ ବିଧାୟକ ପାଉଛନ୍ତି ୪ ଲକ୍ଷ, ଆମେ ଲକ୍ଷେ ଟଙ୍କା ବି ପାଉନୁ

ଆଜି ବିଧାସଭାରେ ଏ ପ୍ରସଙ୍ଗ ଉଠାଇଥିଲେ ବିଜେପି, ବିଜେଡି ଓ କଂଗ୍ରେସର ଅନେକ ବିଧାୟକ ।

author-image
Niranjan Mishra
ଅଦ୍ୟତନ ହୋଇଛି
odisha assembly

odisha assembly

ଆମ ଦରମା ବଢ଼ାଅ। ଦିଲ୍ଲୀ ବିଧାୟକ ୪ ଲକ୍ଷ ଟଙ୍କା ଦରମା ପାଉଛନ୍ତି, ଆମେ ୧ ଲକ୍ଷ ଟଙ୍କା ବି ପାଉନୁ। ଆଜି ବିଧାସଭାରେ ଏ ପ୍ରସଙ୍ଗ ଉଠାଇଥିଲେ ବିଜେପି, ବିଜେଡି ଓ କଂଗ୍ରେସର ଅନେକ ବିଧାୟକ । ବିଧାୟକ ପ୍ରଶ୍ନକୁ ନେଇ ବାଚସ୍ପତି ମଧ୍ୟ ପଦକ୍ଷେପ ନେଇଛନ୍ତି। ବିଧାୟକଙ୍କ ଦରମା ବୃଦ୍ଧି ସମ୍ପର୍କିତ ବିଲ୍ ଆଗତ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଗୃହର ବହୁ ସଦସ୍ୟ ପ୍ରସଙ୍ଗକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ପରେ ବାଚସ୍ପତି କହିଥିଲେ, ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ କମିଟି ରିପୋର୍ଟ ଦେଇ ସାରିଛି। ସେହି ରିପୋର୍ଟକୁ ସଂସଦୀୟ ବ୍ୟାପର ବିଭାଗକୁ ପଠାଇ ଦେଇଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହର ନେତାଙ୍କ ସହ ଆଲୋଚନା କରନ୍ତୁ। ଗୃହକୁ ବିଲ୍ କେମିତି ଆସିବ ସମୟୋଚିତ ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ ବାଚସ୍ପତି।

ଏନେଇ କଂଗ୍ରେସ ବିଧାୟକ ତାରାବାହିନୀ ପତି କହିଛନ୍ତି, ଓଡ଼ିଶା ବିଧାୟକମାନେ ବେସିକ୍ ଦରମା ୩୫ ହଜାର ପାଉଛନ୍ତି। ଟିଏ, ଡିଏ ମିଶାଇଲେ ମୋଟ ଦରମା ଲକ୍ଷେ ଟଙ୍କା ବି ହଉନି। ଯେତେବେଳେ କି ଦିଲ୍ଲୀର ବିଧାୟକମାନେ ୪ ଲକ୍ଷ ଟଙ୍କା ଦରମା ପାଉଛନ୍ତି। ୫ ବର୍ଷ ତଳେ ଯାହା ଦରମା ବଢ଼ିଥିଲା ସେଥିରେ ଚଳିବାକୁ ପଡ଼ୁଛି। ବିଧାୟକଙ୍କ ଦରମା ବଢ଼ିବା ଉପରେ ସରକାର ନିଷ୍ପତ୍ତି ନେଇପାରିବେ ବୋଲି ହାଇକୋର୍ଟ କହି ସାରିଥିବାରୁ ଦରଦାମ୍ ବୃଦ୍ଧିକୁ ନଜରରେ ରଖି ଦରମା ବଢ଼ିବା ଉଚିତ। 

Advertisment

ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି, ପେଟ୍ରୋଲ ଡିଜେଲ ଠାରୁ ଆରମ୍ଭ କରି ସମସ୍ତ ଜରୁରୀ ଜିନିଷର ଦରଦାମ୍ ବଢ଼ିଛି। ତେଣୁ ବିଧାୟକମାନଙ୍କ ଚଳିବାରେ ଅସୁବିଧା ସୃଷ୍ଟି ହୋଇଛି। ମାତ୍ର ୫ ହଜାର ଟଙ୍କାରେ ଜଣେ ପିଏ ରଖିବାକୁ ଯେଉଁ ବ୍ୟବସ୍ଥା ହୋଇଛି, ତାହା ଏତେ କମ୍ ଟଙ୍କାରେ ସମ୍ଭବ ହେଉନି। ତାକୁ ୨୫ ହଜାର ଟଙ୍କା କରାଯାଉ। ତେଣୁ ବିଧାୟକଙ୍କ ଦରମା ବଢ଼ିବା ନିହାତି ଆବଶ୍ୟକ।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ରାତି ପାହିଲେ ବିଧାୟକମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି। ଅନେକ ଲୋକଙ୍କୁ ସହାୟତା କରିବାକୁ ପଡ଼ୁଛି। ତେଣୁ ବିଧାୟକଙ୍କ ଦରମା ବଢ଼ିବା ଉଚିତ୍।

ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ଓଡ଼ିଶା ବିଧାୟକଙ୍କ ଦରମା ବଢ଼ିବା ପୂର୍ବରୁ ଅନ୍ୟ ରାଜ୍ୟମାନଙ୍କ ବିଧାୟକଙ୍କ ଦରମା ଓ ଅନ୍ୟାନ୍ୟ ସୁବିଧା ବାବଦରେ ଅନୁଧ୍ୟାନ କରାଯାଇଥିଲା। ଦରବୃଦ୍ଧିକୁ ମଧ୍ୟ ବିଚାରକୁ ନିଆଯାଇଛି। ଦରମା ବଢ଼ିବା ପ୍ରସଙ୍ଗରେ କମିଟି ସୁପାରିଶ କରିସାରିଛି। ଏହାକୁ ସଂସଦୀୟ ବିଭାଗକୁ ବାଚସ୍ପତି ପଠାଇ ସାରିଥିବା କହିଛନ୍ତି। ବିଧିବ୍ୟବସ୍ଥା ଅନୁସାରେ ଏହା ବିଲ୍ ଆକାରରେ ଆସିବ। ବିଲ୍ ଆଣିବାକୁ ମଧ୍ୟ ବାଚସ୍ପତି ତାଙ୍କ ପ୍ରସ୍ତାବ ଦେଇସାରିଛନ୍ତି।

Odisha Assembly Odisha Mla Salary