ମାଳମାଳ କଲେଜ ଓ ବିଶ୍ୱବିଦ୍ୟାଳୟ। ହେଲେ ଭିତ୍ତିଭୂମି ସମ୍ପୂର୍ଣ୍ଣ ଦୁର୍ବଳ। ନା ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ଅଛନ୍ତି, ନା ଠିକ୍ ଭାବେ ପାଠପଢ଼ା ହେଉଛି। ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକର କାୟା ବଢୁଛି। ହେଲେ ଗୁଣବତ୍ତା କମୁଛି। ଯେଉଁଥିପାଇଁ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରୁ ମୁହଁ ମୋଡୁଛି ନାକ୍। ଉପାନ୍ତରୁ ଉପକୂଳ ଯାଏ ନାକ୍ ମାନ୍ୟତାପ୍ରାପ୍ତ ଡିଗ୍ରୀ କଲେଜ ସଂଖ୍ୟା ନିରୁତ୍ସାହଜନକ। ଖାଲି କଲେଜ ନୁହେଁ ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡିକ ବି ନାକ୍ ମାନ୍ୟତାରୁ ବାଦ ପଡୁଛନ୍ତି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶିକ୍ଷାବିତ।
ନାକ୍ ମାନ୍ୟତା ମିଳୁ ନ ଥିବାରୁ ଅଟକୁଛି ଅନୁଦାନ। ପ୍ରଭାବିତ ହେଉଛି ଉଚ୍ଚ ଶିକ୍ଷା। ବିଶ୍ୱବିଦ୍ୟାଳୟ ସହ ରାଜ୍ୟର ଅଧିକାଂଶ ଡିଗ୍ରୀ କଲେଜର ନାହିଁ ନାକ୍ ମାନ୍ୟତା। ଯାହାକି ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ଲଗାଇଛି। ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଗତ ବିଧାନସଭାରେ ଯେଉଁ ଉତ୍ତର ରଖିଛନ୍ତି ତାହା ବିବ୍ରତ କଲାଭଳି।
ରାଜ୍ୟର ୧୬ ସରକାରୀ ବିଶ୍ୱବିଦ୍ୟାଳୟରୁ ମାତ୍ର ୭ଟିର ନ୍ୟାସନାଲ୍ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ୍ ବା ନାକ୍ ମାନ୍ୟତା ଅଛି। ସେହିପରି ୫୧୭ ପଞ୍ଜୀକୃତ ଡିଗ୍ରୀ କଲେଜରୁ ମାତ୍ର ୧୮୮ଟିକୁ ନାକ୍ ମାନ୍ୟତା ମିଳିଛି। ଜିଲ୍ଲାୱାରୀ ତଥ୍ୟ ତ ଆହୁରି ସାଂଘାତିକ।
ନବରଙ୍ଗପୁରର କୌଣସି ଡିଗ୍ରୀ କଲେଜ ନାକ୍ ମାନ୍ୟତା ପାଇନଥିବାବେଳେ ଦେବଗଡ, ମାଲକାନଗିରି, ସୋନପୁର ଓ କନ୍ଧମାଳରେ ଗୋଟିଏ ଲେଖାଏଁ ନାକ୍ ମାନ୍ୟତା ଥିବା କଲେଜ ରହିଛି। ସରକାର ଉପାନ୍ତ ଅଞ୍ଚଳରେ ଶିକ୍ଷାର ବିକାଶ ଲାଗି ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଆଶ୍ଚର୍ଯ୍ୟର କଥା ହେଉଛି ଅଧିକାଂଶ ଶିକ୍ଷାନୁଷ୍ଠାନ ନାକ୍ ପ୍ରକ୍ରିୟାରେ ସାମିଲ ହୋଇପାରୁନାହାଁନ୍ତି।
ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ନୂଆ ବିଶ୍ୱବିଦ୍ୟାଳୟ ଖୋଲୁଛନ୍ତି। ହେଲେ ଅନୁନ୍ନତ ଭିତ୍ତିଭୂମି ଓ ଶିକ୍ଷକ ଅଭାବ ଲାଗି ନାକ୍ ମାନ୍ୟତାରୁ ବାଦ ପଡୁଛନ୍ତି। ନାକ୍ ନିଜ ମାନ୍ୟତା ଦେବା ପୂର୍ବରୁ ଶିକ୍ଷାନୁଷ୍ଠାନର ତିନିଟି ଦିଗ ଉପରେ ତର୍ଜମା କରିଥାଏ। ପ୍ରଥମଟି ହେଲା ଭିତ୍ତିଭୂମି ଓ ଶିକ୍ଷକ, ଦ୍ୱିତୀୟଟି ହେଲା ଗବେଷଣା ଓ ତୃତୀୟଟି ହେଲା ପାରଦର୍ଶିତା। ଏହା ଅନୁଯାୟୀ, ୟୁଜିସି ଠାରୁ ଆରମ୍ଭ କରି, ରୁସା ଓ ବିଶ୍ୱବ୍ୟାଙ୍କ ପାଣ୍ଠି ଆସିଥାଏ।
ଉଚ୍ଚ ଶିକ୍ଷାନୁଷ୍ଠାନ ନାକ୍ ପାଇଁ ପ୍ରସ୍ତୁତ କରି ବିଭିନ୍ନ ଅନୁଦାନ ଆଣିବା ଲାଗି ଉଚ୍ଚଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ପରିଷଦ ଗଠନ କରିଛି। ମାତ୍ର ପରିଷଦ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକୁ କେତେ ପ୍ରସ୍ତୁତ କରୁଛି ତାହା ଜଳଜଳ ଦେଖାଯାଉଛି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତରରୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।