ଚଳିତବର୍ଷରେ ଦ୍ୱିତୀୟ କୋଭିଡ୍ ମୃତ୍ୟୁ, ଆଜି ଆଉ ୨୫୮ ସଂକ୍ରମିତ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଓ କରୋନାରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

representational image

  • Published: Friday, 14 April 2023
  • , Updated: 14 April 2023, 09:04 PM IST

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଓ କରୋନାରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚଳିତ ବର୍ଷ କରୋନାରେ ଏହା ଦ୍ୱିତୀୟ ମୃତ୍ୟୁ ବୋଲି ଜଣାପଡ଼ିଛି ।

ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇ କହିଛି ଯେ, ଝାରସୁଗୁଡ଼ା ଜିଲ୍ଲାର ଜଣେ ୬୫ବର୍ଷୀୟା ମହିଳା କରୋନା ସଂକ୍ରମିତ ଥାଇ ପ୍ରାଣ ହରାଇଛନ୍ତି । ସେ କିଡନୀ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ । ତେବେ ଏହି ମହିଳାଙ୍କ ମୃତ୍ୟୁ କେବେ ହୋଇଛି ସେ ସମ୍ପର୍କରେ ବିଭାଗ ପକ୍ଷରୁ କିଛି କୁହାଯାଇନି,ଆବଶ୍ୟକ ଅଡିଟ୍ ପରେ ମୃତ୍ୟୁ କରୋନାଜନିତ ବୋଲି ବିଭାଗ କହିଛି ।

ସେହିପରି ଏହି ମହିଳାଙ୍କ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାର ଜଣେ ୫୦ବର୍ଷୀୟ ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିଲେ । କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ୨୦୨୨ ନଭେମ୍ବର ୬ତାରିଖରେ ରାଜ୍ୟରେ ଶେଷଥର କରୋନାଜନିତ ମୃତ୍ୟୁ ଘଟଣା ରେକର୍ଡ କରାଯାଇଥିବାବେଳେ ଚଳିତ କ୍ୟାଲେଣ୍ଡର ବର୍ଷରେ ମୋଟ ୨ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

ଅନ୍ୟପକ୍ଷରେ ଆଜି ରାଜ୍ୟରେ ଆଉ ୨୫୮ଜଣ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୋନପୁରରେ ଏପ୍ରିଲ ୫ରୁ ୧୧ତାରିଖ ମଧ୍ୟରେ ସର୍ବାଧିକ ସଂକ୍ରମିତ ହାର ୧୦.୮% ରହିଥିବାବେଳେ ଏବେ ସମଗ୍ର ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧୮୬ରେ ପହଂଚିଛି । ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଥିବା ସୂଚନା ମିଳିଛି ।

Related story