Advertisment

ବିରୋଧୀଙ୍କ ଅଭିଯୋଗ: ଜାଲ ସାର୍ଟିଫିକେଟ ରାକେଟ ପଛରେ ସରକାରୀ ଦଳର ହାତ

ରାଜ୍ୟ ସରକାର ଏହାକୁ କାଉଣ୍ଟର କରି ଅଣ୍ଟା ସଳଖୁ ଥିବା ବେଳେ ଏବେ ବଲାଙ୍ଗିର ଜାଲ ସାର୍ଟିଫିକେଟ୍ ଘଟଣା ପୁଣି ଶାସକ ଦଳର ତଣ୍ଟିରେ କଣ୍ଟା ହେବାକୁ ବସିଛି।

BJP

BJP

Advertisment

ଆଇନଶୃଙ୍ଖଳା ପରିସ୍ଥିତି ଠାରୁ ବିଭିନ୍ନ ପ୍ରକାରର ଦୁର୍ନୀତି ପ୍ରସଙ୍ଗରେ ବିରୋଧୀଙ୍କ ଘନଘନ ଆକ୍ରମଣ ଏବେ ରାଜ୍ୟରେ କ୍ଷମତାସୀନ ବିଜେଡି ସରକାରକୁ ସାମାନ୍ୟ ବ୍ୟାକଫୁଟକୁ ଠେଲି ଦେଇଛି। ରାଜ୍ୟ ସରକାର ଏହାକୁ କାଉଣ୍ଟର କରି ଅଣ୍ଟା ସଳଖୁ ଥିବା ବେଳେ ଏବେ ବଲାଙ୍ଗିର ଜାଲ ସାର୍ଟିଫିକେଟ୍ ଘଟଣା ପୁଣି ଶାସକ ଦଳର ତଣ୍ଟିରେ କଣ୍ଟା ହେବାକୁ ବସିଛି। 

Advertisment

ବଲାଙ୍ଗିର ଜାଲ ସାର୍ଟିଫିକେଟ ରାକେଟ୍ ପଛର ଗୁମର ଖୋଲିବା ସହ ଏହା ପଛରେ ବି ସରକାରୀ ଦଳର ହାତ ଥିବା ଅଭିଯୋଗ କରିଛନ୍ତି ବିରୋଧୀ। ବିଜେଡିର ପ୍ରଭାବଶାଳୀ ନେତାଙ୍କ ପ୍ରୋତ୍ସାହନରେ ଏ କଳା କାରବାର ଚାଲିଥିଲା ବୋଲି ସେମାନେ କହିଛନ୍ତି। ଆଜି ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି।

ବିଜେଡିର ବଲାଙ୍ଗିର ଜିଲ୍ଲା ପ୍ରଭାରୀ ସୁଶାନ୍ତ ସିଂଙ୍କ ସହ ଜାଲ ସାର୍ଟିଫିକେଟ୍ ରାକେଟର ମୁଖ୍ୟ ମନୋଜ ମିଶ୍ରଙ୍କ ଏକ ଫଟୋ ଦେଖାଇ ଏହା ପଛରେ ସରକାରୀ ଦଳର ସଂପୃକ୍ତି ଥିବା କହିଛି ବିଜେପି। ସେହିପରି କଂଗ୍ରେସ ମଧ୍ୟ ସରକାରଙ୍କୁ ବାଣ ମାରି ଘାଇଲା କରିଛି। 

Advertisment

ବଲାଙ୍ଗିର ପୁଲିସ ଏ ଘଟଣାରେ ମୋଟ ୧୯ ଜଣଙ୍କୁ ଗିରଫ କରିବା ପରେ ପୂରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ବଲାଙ୍ଗିରରୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ଜାଲ୍ ସାର୍ଟିଫିକେଟ କରାବାରର ଚେର ଲମ୍ବିଛି। ଏବେ ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ଆସୁଛି ନକଲି ସାର୍ଟିଫିକେଟ କାରବାରର ସାଂଘାତିକ ଅଭିଯୋଗ। ଏହି ବଡ଼ ରାକେଟ ପଛରେ ରହିଛି ବିଜେଡି ଲିଙ୍କ୍। ବଲାଙ୍ଗିର ନକଲି ସାର୍ଟିଫିକେଟ୍ ସିଣ୍ଡିକେଟର ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଗରିଫ ହେବା ପରେ ତାଙ୍କ ସହ ବିଜେଡି ନେତାଙ୍କ ସଂପୃକ୍ତି ଥିବା ବିରୋଧୀ କହିବା ଆରମ୍ଭ କରିଛନ୍ତି। 

ଆଜି ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଜାଲ ସାର୍ଟିଫିକେଟ ରାକେଟ ପଛର ମାଷ୍ଟର ମାଇଣ୍ଡ ହେଉଛନ୍ତି ମନୋଜ ମିଶ୍ର। ତାଙ୍କ ସହ ବିଜେଡିର ପ୍ରଭାବଶାଳୀ ନେତା ସୁଶାନ୍ତ ସିଂଙ୍କ ଉଠାଇଥିବା ଫଟୋକୁ ଆଜି ବିଜେପି ଦେଖାଇଛି। ସରକାରୀ ଦଳ ଛତ୍ରଛାୟା ତଳେ ଏ ବେଧଡ଼କ କଳା କାରବାର ଚାଲିଥିବା ବିଜେପି ଗୃହ ବାହାରେ ଅଭିଯୋଗ କରିଛି।

ଫଟୋ ଦେଖାଇ ବିଜେପି ଅଭିଯୋଗ କରିଛି ଯେ ସରକାରୀ ଦଳର ସଂପୃକ୍ତି ପୂରା ନେଟୱର୍କ ସହ ରହିଛି। ଏହି ଫଟୋ ହିଁ ସବୁ କିଛି ଦର୍ଶାଉଛି। ସିଣ୍ଡିକେଟ ପଛରେ ଏକ ବଡ଼ ଷଡ଼ଯନ୍ତ୍ର କାମ କରୁଛି ଓ ସରକାର ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ବିଜେପି କହିଛି।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, “ସାମ୍ନାକୁ ଆସିଥିବା ଫଟୋ ହିଁ କହୁଛି ଯେ ମନୋଜ ମିଶ୍ର ଯେଉଁ ଜାଲ ପ୍ରମାଣପତ୍ର ଦେଉଥିଲେ, ସେଥିରେ ସରକାରଙ୍କ ପ୍ରମୁଖ ବ୍ୟକ୍ତିମାନଙ୍କ ହାତ ରହିଛି। ସୁଶାନ୍ତି ସିଂଙ୍କ ଫଟୋ ଥିବାରୁ ତାଙ୍କ ପ୍ରଭାବରେ ଓ ବେଶ ଅନାୟଶରେ ମନୋଜ ମିଶ୍ର ଜାଲ ପ୍ରମାଣପତ୍ର ଦେଉଥିଲେ। ଏହା ପଛରେ ବିରାଟ ଷଡ଼ଯନ୍ତ୍ର ରହିଛି ଓ କୋଟି କୋଟି ଟଙ୍କା ଆତ୍ମସାତ କରାଯାଇଛି।”

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ଗୋଟି ଗୋଟି କରି ସାରା ଓଡ଼ିଶାରେ ଏବେ ଜାଲ ସାର୍ଟିଫିକେଟ ଦେଖିବାକୁ ମିଳୁଛି। ଓଡ଼ିଶା ସରକାରଙ୍କ ଜଣେ ପୂର୍ବତନ ମନ୍ତ୍ରୀ ଓ ଯିଏ ବଲାଙ୍ଗିର ଜିଲ୍ଲାର ଦାୟିତ୍ୱ ନେଇଛନ୍ତି ତାଙ୍କ ଭୂମିକା ମଧ୍ୟ ଏହି ପ୍ରସଙ୍ଗରେ ସନ୍ଦେହ ଘେରକୁ ଆସି ଯାଇଛି।”

ତେବେ ଜାଲ ସାର୍ଟିଫିକେଟ ରାକେଟ ପଛରେ ବିଜେଡିର ହାତ ନଥିବା ଦଳର ବିଧାୟକ ଭାଗିରଥୀ ସେଠୀ କହିଛନ୍ତି। ସେ କହିଛନ୍ତି, “ସବୁ ପ୍ରସଙ୍ଗରେ ବିଜେଡି ନେତାଙ୍କ ନାଁ ନେବା ବିରୋଧୀଙ୍କ ଅଭ୍ୟାସ। କିନ୍ତୁ ବିଜେଡି ନେତାଙ୍କ କୌଣସି ସଂପୃକ୍ତି ନାହିଁ। ଫେକ ସାର୍ଟିଫିକେଟ ଥାଇପାରେ। ଏହି ଘଟଣାରେ କିଛି ଗିରଫ ହେଲେଣି। ତଦନ୍ତ ଚାଲିଛି। ତଦନ୍ତ ପରେ ଉପଯୁକ୍ତ ଦଣ୍ଡ ବିଧାନ କରାଯିବ।”

ଅନ୍ୟପକ୍ଷରେ ବଲାଙ୍ଗିର ଜାଲ ସାର୍ଟିଫିକେଟ୍ ସିଣ୍ଡିକେଟର ଚେର ପର୍ଯ୍ୟନ୍ତ ପହଞ୍ଚିବାକୁ ଜୋରଦାର ଉଦ୍ୟମ କରୁଛି ପୁଲିସ୍‌। ଜିଲ୍ଲାର ବଛାବଛା ଅଫିସରଙ୍କୁ ନେଇ ବଲାଙ୍ଗିର ଏସପି ଗଠନ କରିଛନ୍ତି ୪ଟି ସ୍ୱତନ୍ତ୍ର ଟିମ୍। ଏହି ଟିମ ରାକେଟ୍ ସହ ଜଡ଼ିତ ସାଇବର କ୍ରାଇମ୍, ଜିଲ୍ଲା ଭିତରେ ଥିବା ମନୋଜ ମିଶ୍ରଙ୍କ ନେଟୱର୍କ ସମ୍ପର୍କରେ ଖୋଳତାଡ଼, କାରବାରରେ ଜଡ଼ିତ ଥିବା ଜିଲ୍ଲା ଭିତରର ଦଲାଲଙ୍କୁ ଠାବ କରିବ।

ସେହିପରି ଆଉ ଗୋଟିଏ ଟିମ୍ ରାଜ୍ୟ ବାହାରକୁ ଯାଇ ମନୋଜ ମିଶ୍ରଙ୍କ ସହଯୋଗୀଙ୍କୁ ଧରିବାକୁ ଉଦ୍ୟମ କରିବ। ତେଣେ ମନୋଜ ମିଶ୍ରଠୁ ବାହାର ରାଜ୍ୟର ମାଧ୍ୟମିକ ଶିକ୍ଷା ବୋର୍ଡ ନାଁରେ ଜାଲ ସାର୍ଟିଫିକେଟ୍ ହାତେଇଥିବା ବଲାଙ୍ଗିର ସହରର ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ନାଁ ବି ସାମ୍ନାକୁ ଆସିଛି।

ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଥାନାରେ ବହୁ ସଙ୍ଗୀନ ମାମଲାରେ ଅଭିଯୁକ୍ତ ଥିବା ବବଲୁ ମହାନନ୍ଦ ହାତେଇଛି ଯୁକ୍ତ ୨ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀନ୍ନ ହୋଇଥିବାର ସାର୍ଟିଫିକେଟ୍ ଓ ମାର୍କଶିଟ୍। ତେବେ ସେ କେଉଁ ଉଦ୍ଦେଶ୍ୟରେ ଏ ସାର୍ଟିଫିକେଟ୍ ନେଇଛି, ସେ ନେଇ ବି ଛାନଭିନ୍ କରୁଛି ପୁଲିସ।

ରିପୋର୍ଟ: ଭୁବନେଶ୍ୱରରୁ ହରିହର ଚାନ୍ଦ ଓ ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Odisha BjD Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe