ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସକୁ ବାଚସ୍ପତି ଗ୍ରହଣ ନକରିବାକୁ ନେଇ ଆଜି ବିଧାନସଭାରେ ଶାସକ-ବିରୋଧୀ ସଦସ୍ୟମାନେ ମୁହାଁମୁହିଁ ହୋଇଛନ୍ତି ।

ବିଧାନସଭା

  • Published: Wednesday, 22 March 2023
  • , Updated: 22 March 2023, 08:35 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସକୁ ବାଚସ୍ପତି ଗ୍ରହଣ ନକରିବାକୁ ନେଇ ଆଜି ବିଧାନସଭାରେ ଶାସକ-ବିରୋଧୀ ସଦସ୍ୟମାନେ ମୁହାଁମୁହିଁ ହୋଇଛନ୍ତି ।  ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବିର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଏକ ଲିଖିତ ବିବୃତ୍ତି ପଢ଼ିବାକୁ ନେଇ ତାଙ୍କ ବିରୁଦ୍ଧରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ନୋଟିସ ଆଗତ କରିଥିଲେ । ମାତ୍ର ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କର ନୋଟିସକୁ ଗ୍ରହଣ କରିନଥିଲେ । ଯାହାକୁ ଉଭୟ ବିରୋଧୀ ଓ ଶାସକ ଦଳ ସଭ୍ୟମାନେ ମୁହାଁମୁହିଁ ହେବା ସହ ଆଜି ଶୂନ୍ୟକାଳରେ ଗୃହ ସରଗରମ ହୋଇଥିଲା ।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ ଯେ, ସେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଥିଲେ । କିନ୍ତୁ ତାହା ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଥିଲା ବୋଲି ଗ୍ରହଣ ହେଲାନି କି ବୋଲି ପ୍ରଶ୍ନ କରିବା ସହ ତାଙ୍କୁ ଏ ପ୍ରସଙ୍ଗରେ କହିବାକୁ ବି ସୁଯୋଗ ଦିଆଯାଉନି । ପୂର୍ବରୁ ଯେବେ ସେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଛନ୍ତି, ତାହା ସେହିଦିନ ଗ୍ରହଣ ହୋଇଛି । କିନ୍ତୁ ଆଜି ବାଚସ୍ପତି କହୁଛନ୍ତି ଯେ, ସ୍ୱାଧିକାର ଭଙ୍ଗ ନୋଟିସ୍ ପୂର୍ବଦିନ ଦିଆଯିବାର ନିୟମ ରହିଛି । ତା’ପରେ ତାକୁ ଅନୁଧ୍ୟାନ କରି ଉପସ୍ଥାପନ କରିବା ପାଇଁ କୁହାଯିବ । ତେବେ ଆଜି ସ୍ୱାଧିକାର ଭଙ୍ଗ ନୋଟିସ୍ ଆଗତ ହେବାକୁ ଦିଆନଯିବା ତାଙ୍କ ପ୍ରତି ଅନ୍ୟାୟ ବୋଲି ଶ୍ରୀ ମିଶ୍ର କହିଥିଲେ ।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ରଙ୍କ ସମର୍ଥନ କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ସ୍ୱାଧିକାର ଭଙ୍ଗ ନୋଟିସକୁ ଖାରଜ କରାଯିବା ପଛରେ କ’ଣ କାରଣ ରହିଛି ତାହା ଜାଣିବାକୁ ଚାହିଁଥିଲେ । ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖିବାବେଳେ ମୁଖ୍ୟମନ୍ତ୍ରୀ ଲିଖିତ ବିବୃତ୍ତିକୁ ପଢ଼ିବାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିଜେଡି ସଦସ୍ୟମାନଙ୍କ ମଧ୍ୟରେ ଗୃହରେ ବୟାନବାଜି ହୋଇଥିଲା ।

ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ଆସନରେ ଛିଡ଼ା ହୋଇ ସେ ଦେଇଥିବା ସ୍ୱାଧିକାର ଭଙ୍ଗ ନୋଟିସ ସମ୍ପର୍କରେ କହିବାକୁ ଚାହୁଁଥିଲେ । କିନ୍ତୁ ଶ୍ରୀ ମିଶ୍ରଙ୍କୁ ସ୍ୱାଧିକାର ନୋଟିସ୍ ସମ୍ପର୍କରେ କହିବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୁଯୋଗ ଦେଇନଥିଲେ ଓ ଏହାକୁ ସେ ତର୍ଜମା କରୁଛନ୍ତି ବୋଲି କହିଥିଲେ । ଏପରିକି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ ଉକ୍ତ ସ୍ୱାଧିକାର ନୋଟିସ୍ ପ୍ରସଙ୍ଗରେ କହିବା ନିମନ୍ତେ ନରସିଂହ ମିଶ୍ରଙ୍କୁ ଅନୁମତି ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ।

ଗୃହରେ ବିଭାଗୀୟ ଖର୍ଚ୍ଚଦାବିର ଉତ୍ତର ରଖିବାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲିଖିତ ବିବୃତ୍ତି ପଢ଼ିବାକୁ ନେଇ ଗୃହରେ କଂଗ୍ରେସ ଓ ବିଜେଡି ସଦସ୍ୟମାନଙ୍କ ମଧ୍ୟରେ ବୟାନବାଜିବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, ଲିଖିତ ବିବୃତ୍ତି କାହିଁକି ପଢ଼ୁଛନ୍ତି ବୋଲି ସବୁବେଳେ ବିରୋଧୀ ଦଳ ସଦସ୍ୟମାନେ ଏହି ଗୋଟିଏ କଥା କହୁଛନ୍ତି । ମନ୍ତ୍ରୀ ଗୋଟିଏ ଡକ୍ୟୁମେଂଟ ପଢ଼ିବାର ନିୟମ ରହିଛି । ଲୋକସଭାରେ ବି ଏଭଳି ବ୍ୟବସ୍ଥା ଅଛି । ସଂସଦୀୟ ବ୍ୟାପାର ବିଭାଗ ସହ ଅର୍ଥ ବିଭାଗର ମନ୍ତ୍ରୀ ଅଛି । ଗୃହରେ କ’ଣ ବଜେଟ୍ ପୁସ୍ତିକା ପଢ଼ୁନାହିଁ କି ବୋଲି ସେ ପ୍ରଶ୍ନ କରିବା ସହ ଗୃହରେ ଜଣେ ମନ୍ତ୍ରୀ ଲିଖିତ ବିବୃତ୍ତି ପଢ଼ିବାରେ କିଛି ଅସୁବିଧା ନାହିଁ ବୋଲି କହିଥିଲେ ।

ମାତ୍ର ଶ୍ରୀ ପୂଜାରୀଙ୍କ ଏଭଳି ଯୁକ୍ତିକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଖାରଜ କରି କହିଥିଲେ ଯେ, ଜଣେ ଅର୍ଥମନ୍ତ୍ରୀ ଗୃହରେ ବଜେଟ୍ ବିବୃତ୍ତି ପଢ଼ିପାରିବେ । ଯାହାକି ଗୃହରେ ଉପସ୍ଥାପିତ ହୋଇଥାଏ । ଜଣେ ସଦସ୍ୟ ଅବା ମନ୍ତ୍ରୀ ଗୃହରେ କୌଣସି ପୁସ୍ତକ, ସମ୍ବାଦପତ୍ର ଅବା ଅନ୍ୟ ଲିଖିତ କଥାକୁ ଉଲ୍ଲେଖ କରିପାରିବେ କିନ୍ତୁ ଲିଖିତ ବିବୃତ୍ତିକୁ ଯଥାବତ୍ ପଢ଼ିପାରିବେ ନାହିଁ ବୋଲି କହିଥିଲେ ।

Related story