Advertisment

“ନବ ଦାସଙ୍କ ହତ୍ୟାରେ ୫-ଟି ସଚିବ ଓ ଯାଜପୁର ବିଧାୟକ ସମ୍ପୃକ୍ତ, କଲ ରେକର୍ଡ ଯାଞ୍ଚ ହେଉ”

ନବଙ୍କ ହତ୍ୟାର ୪ଦିନ ପୂର୍ବରୁ ଫାଇଭ ଟି ସଚିବ ଓ ଯାଜପୁର ବିଧାୟକଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହୋଇଥିଲେ ତାହା ଯାଞ୍ଚ ପରିସରକୁ ଆସିବା ଦରକାର ବୋଲି ସେ କହିଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ବିସ୍ଫୋରକ ବୟାନ ଦେଇଛନ୍ତି ।

author-image
Ordigital Desk
ଅଦ୍ୟତନ ହୋଇଛି
Naba Das Murder case

Naba Das Murder case

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାର ୨୪ଦିନ ପରେ ବି ହତ୍ୟାର ରହସ୍ୟ ଉନ୍ମୋଚନ କରିବାରେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ବିଫଳ ରହିଥିବାବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ବିସ୍ଫୋରକ ବୟାନ ଦେଇଛନ୍ତି । ନବ ଦାସଙ୍କ ହତ୍ୟା ମାମଲାରେ ରାଜ୍ୟର ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସମ୍ପୃକ୍ତ ଥିବା ନେଇ ସେ ସିଧାସଳଖ ଅଭିଯୋଗ କରିବା ସହ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଛନ୍ତି । ନବଙ୍କ ହତ୍ୟାର ୪ଦିନ ପୂର୍ବରୁ ଫାଇଭ ଟି ସଚିବ ଓ ଯାଜପୁର ବିଧାୟକଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହୋଇଥିଲେ ତାହା ଯାଞ୍ଚ ପରିସରକୁ ଆସିବା ଦରକାର ବୋଲି ସେ କହିଛନ୍ତି ।

Advertisment

ଏପରିକି ଆଜି ଗୃହରେ ନବ ଦାସଙ୍କ ପାଇଁ ଆଗତ ଶୋକ ପ୍ରସ୍ତାବ ଉପରେ ଆଲୋଚନା ବେଳେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଷଡଯନ୍ତ୍ରପୂର୍ଣ୍ଣ ହତ୍ୟା କରାଯାଇଥିବା କହିଥିଲେ। ଶୋକ ପ୍ରସ୍ତାବ ଉପରେ ଆଲୋଚନା ବେଳେ ବିରୋଧୀ ଦଳ ନେତାଙ୍କ ଏଭଳି ସିଧାସଳଖ ଆକ୍ଷେପ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି। 

ଆଜି ବିଧାନସଭା ପରିସରରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଶ୍ରୀ ମିଶ୍ର କହିଥିଲେ ଯେ, “ନବ ଦାସଙ୍କ ହତ୍ୟାର ୪ଦିନ ପୂର୍ବରୁ ଫାଇଭ-ଟି ସଚିବ ଓ ଯାଜପୁର ବିଧାୟକ ଟେଲିଫୋନରେ କ’ଣ କଥାବାର୍ତ୍ତା ହୋଇଥିଲେ ତାହା ଯାଞ୍ଚର ପରିସରକୁ ଆସୁ। ତା’ହେଲେ ପ୍ରକୃତ ସତ୍ୟ ପଦାକୁ ଆସି ପାରିବ । କିନ୍ତୁ ଏହି ଦୁଇ ବ୍ୟକ୍ତିଙ୍କ ସମ୍ପୃକ୍ତି ଯୋଗୁ ଓଡ଼ିଶା ପୁଲିସ ସେମାନଙ୍କ ବିରୋଧରେ ତଦନ୍ତ କରିପାରିବ ନାହିଁ । ତେଣୁ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି । ନବ ଦାସଙ୍କ ହତ୍ୟା ହେଉଛି ସରକାରୀ ପ୍ରାୟୋଜିତ ହତ୍ୟା । ଯେଉଁଠି ସରକାର ନିଜେ ସରକାର(ସ୍ୱାସ୍ଥ୍ୟମନ୍ତ୍ରୀ)ଙ୍କୁ ମାରି ପାରୁଛନ୍ତି ସେଠାରେ ସାଧାରଣ ଲୋକ କ’ଣ ସୁରକ୍ଷିତ କି? ସେଥିପାଇଁ ସିବିଆଇ ତଦନ୍ତ ଦାବି କରୁଛି” ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Advertisment

ଉଲ୍ଲେଖଯୋଗ୍ୟ, ନବ ଦାସଙ୍କୁ ଜାନୁୟାରୀ ୨୯ତାରିଖରେ ପୁଲିସ ଏଏସଆଇ ଗୋପାଳ ଦାସ ଗୁଳି ମାରି ହତ୍ୟା କରିବାର ୨୪ ଦିନ ପରେ ବି କ୍ରାଇମବ୍ରାଞ୍ଚ ହତ୍ୟା ପଛର କାରଣ ଜାଣିବାରେ ସକ୍ଷମ ହୋଇପାରିନି । ଏହି ତଦନ୍ତ ସଂକ୍ରାନ୍ତୀୟ ଅଗ୍ରଗତି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ରମନ୍ତ୍ରୀ, ଗୃହ ସଚିବ, ପୁଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜି ସମସ୍ତେ ନିରବତା ଅବଲମ୍ବନ କରିଛି। ଏହି ଘଟଣାରେ ତଦନ୍ତର ଗତି କେବଳ ଗୋପାଳ ଦାସ ମଧ୍ୟରେ ସୀମିତ ରହିଛି । ଏହି ହତ୍ୟା ପଛରେ ରାଜନୀତିକ ଓ ବ୍ୟବସାୟିକ ଷଡ଼ଯନ୍ତ୍ର ରହିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିଲେ ମଧ୍ୟ କ୍ରାଇମବ୍ରାଂଚ ସେସବୁ ଦିଗ ପ୍ରତି ତଦନ୍ତ କରିନଥିବା ଜଣାପଡ଼ିଛି ।

କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ କାହିଁକି ରାଜନୀତିକ ଓ ବ୍ୟବସାୟିକ ଦିଗକୁ ତଦନ୍ତ କରୁନି, ନବଙ୍କ ପରିବାର ସଦସ୍ୟ, ବ୍ୟବସାୟିକ ସହଯୋଗୀ, ରାଜନୀତିକ ସହଯୋଗୀଙ୍କୁ ପଚରାଉଚୁରା କରୁନି, ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି । ବିରୋଧୀ ଦଳଠୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ନବ ଦାସ ହତ୍ୟା ମାମଲାରେ ତଦନ୍ତକୁ ବ୍ୟାପକ କରିବା ପାଇଁ ଦାବି କରୁଥିଲେ ମଧ୍ୟ କ୍ରାଇମବ୍ରାଞ୍ଚର ତଦନ୍ତ କେବଳ ଗୋପାଳ ମଧ୍ୟରେ ସୀମିତ ରହିଛି । ଏହି ହତ୍ୟା ପଛର କାରଣ ଉନ୍ମୋଚନ କରିବାରେ କ୍ରାଇମବ୍ରାଞ୍ଚ ବିଫଳ ରହିଛି ।

ଏପଟେ ଗୋପାଳ ଦାସ ଜଣେ ମାନସିକ ରୋଗୀ ବୋଲି ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ମେଡିକାଲ ଟିମ୍ ଇତିମଧ୍ୟରେ କ୍ରାଇମବ୍ରାଞ୍ଚକୁ ତାଙ୍କର ରିପୋର୍ଟ ଦେଇସାରିଛି । ତେଣୁ ନବ ଦାସଙ୍କ ହତ୍ୟାକାରୀ ଗୋପାଳଙ୍କୁ ମାନସିକ ରୋଗୀ ଦର୍ଶାଇ ତାଙ୍କୁ ସହଜରେ ଖସାଇବାର ମାର୍ଗକୁ ପ୍ରଶସ୍ତ କରାଯାଉଥିବା ଚର୍ଚ୍ଚା ହେଉଛି ।

BjD State Bjp Jaynarayan Mishra Naba Das Murder