Advertisment

ଓଃ ରୋଗୀ କି କଲବଲ, ବେଡସିଟ୍ ଆଣିଲେ ରୋଗୀ ଶୋଉଛି; ଫାର୍ମାସିଷ୍ଟ କରୁଛନ୍ତି ଡବଲ ରୋଲ

ସେହିପରି ମାଲକାନଗିରି ପଡ଼ିଆ ବ୍ଲକ କୁମ୍ଭଗୁଡ଼ା ଗାଁର। ଦେହ ଖରାପ ହେଲେ ଏଠି ହସପିଟାଲକୁ ଯିବା ଅପେକ୍ଷା ଲୋକଙ୍କ ଅଧିକ ଭରସା ଗୁଣିଆ ଉପରେ।

author-image
Niranjan Mishra
ଅଦ୍ୟତନ ହୋଇଛି
patient face problems

patient face problems

ଓଃ ରୋଗୀ କି କଲବଲ। ନିଜ ଘରୁ ତକିଆ, ବେଡ୍‌ସିଟ୍‌ ଆଣିଲେ ପକେଇ ଶୋଇଛି। ନହେଲେ ଚଟାଣରେ ଗଡ଼ୁଛି। ତେଣେ ପୁଣି ରୋଗୀ ଦେଖିବାକୁ ଡାକ୍ତର ନାହାନ୍ତି। ଫାର୍ମାସିଷ୍ଟ ଡବଲ ରୋଲ୍ କରୁଛନ୍ତି। ରୋଗୀର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି, ଔଷଧ ଓ ଇଞ୍ଜେକ୍‌ସନ ବି ଦେଉଛନ୍ତି। ସରକାରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ମେଡିକାଲ କଲେଜର ଏଭଳି ସ୍ଥିତି ଏବେ ରୋଗୀଙ୍କ ଜୀବନ ସୁରକ୍ଷାରେ ବିପଦ ସାଜିଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଏହି ବିପର୍ଯ୍ୟସ୍ତ ତଥା ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ପରିଚାଳନାଗତ ତ୍ରୁଟିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଏହାର ପ୍ରଥମ ନଗ୍ନ ଚିତ୍ର ଦେଖିବାକୁ ମିଳିଛି।

Advertisment

ଏଠାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ପାଇଁ ବେଡସିଟ୍ ଟିଏ ମିଳୁନି। ଫଳରେ କିଏ ଖାଲି ବେଡରେ ଗଡ଼ୁଛନ୍ତି, ତ କିଏ ଘରୁ ଆଣିଥିବା କନ୍ଥା, କମ୍ବଳ ନହେଲେ ଲୁଗାକୁ ବେଡରେ ବିଛାଇ ଶୋଇଛନ୍ତି। ସଂକ୍ରମଣ ରୋକିବା ଏବଂ ସ୍ୱଚ୍ଛତା ବଜାୟ ରଖିବାକୁ ପ୍ରତିଦିନ ରୋଗୀଙ୍କ ବେଡରେ ସଫା ବେଡସିଟ୍ ପକାଯିବାର ନିୟମ ଥିଲେ ବି ଏଠି କୁଆଡେ ୧୦ ଦିନ ହେବ କୌଣସି ରୋଗୀଙ୍କୁ ବେଡସିଟ୍ ଦିଆଯାଇ ନାହିଁ। ତାର କାରଣ ହେଉଛି, ହସପିଟାଲର ଦୁଇଟି ଯାକ ୱାସିଂ ମେସିନ୍ ଅଚଳ। ହେଲେ ନା ତାକୁ ସଜଡ଼ା ଯାଉଛି, ନା ଅନ୍ୟ କେଉଁଠି ବେଡସିଟ୍ ସଫେଇର ବିକଳ୍ପ ବ୍ୟବସ୍ଥା ହେଉଛି। ଏତେ ବଡ଼ ହସ୍ପିଟାଲରେ ଏଇ ସାମାନ୍ୟ ସମସ୍ୟାର ସମାଧାନ ନ ହେବା କର୍ତ୍ତୃପକ୍ଷଙ୍କ ବେପରୱା ମନୋଭାବକୁ ପଦାରେ ପକାଇଛି।

ସହିଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ହସ୍ପିଟାଲ ହସ୍ପିଟାଲ ପରିଚାଳକ ଶୁଭେନ୍ଦୁ ଦାଶ କହିଛନ୍ତି, ଖୁବ୍‌ ଶୀଘ୍ର ମେସିନ୍‌ଗୁଡ଼ିକ ଠିକ୍ ହୋଇଯିବ। ଏଥିନିମନ୍ତେ ପଦକ୍ଷେପ ନିଆଯାଇଛି। ମେସିନ୍‌ ଠିକ୍‌ ହେବା ପରେ ସଫା ବେଡ୍‌ସିଟ୍ ଲୋକଙ୍କୁ ମିଳିବ।

Advertisment

ସେହିପରି ମାଲକାନଗିରି ପଡ଼ିଆ ବ୍ଲକ କୁମ୍ଭଗୁଡ଼ା ଗାଁର। ଦେହ ଖରାପ ହେଲେ ଏଠି ହସପିଟାଲକୁ ଯିବା ଅପେକ୍ଷା ଲୋକଙ୍କ ଅଧିକ ଭରସା ଗୁଣିଆ ଉପରେ। ତାର ଏକ ବଡ଼ କାରଣ ହେଉଛି ଜିଲ୍ଲାରେ ହସପିଟାଲ ଓ ଡାକ୍ତର ଅଭାବ। ଏଇ ଯେମିତି ଧରମ ପଲ୍ଲୀରେ ଥିବା ଏ ସ୍ୱାସ୍ଥ୍ୟକେନ୍ଦ୍ର। ପ୍ରାୟ ୧୦ ହଜାର ଲୋକ ନିର୍ଭର କରୁଥିବା ଏ ଡାକ୍ତରଖାନାରେ ଡାକ୍ତର ନଥିବାରୁ ଏଇ ଫାର୍ମାସିଷ୍ଟ ଜଣକ ଏଠି ଡବଲ ରୋଲରେ। ରୋଗୀ ଦେଖୁଛନ୍ତି, ଔଷଧ ବି ଦେଉଛନ୍ତି।

Pharmacist treatmentଫାର୍ମାସିଷ୍ଟ ରୋଗୀ ଦେଖି ଔଷଧ ଦେଉଛନ୍ତି।

ଧର୍ମପଲ୍ଲୀ ସ୍ୱାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ ଉଜ୍ଜ୍ୱଳ ଚନ୍ଦ୍ର ନାୟକ କହିଛନ୍ତି, ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରତ୍ୟେକଦିନ ପ୍ରାୟ ୪୦ରୁ ୫୦ ଜଣ ରୋଗୀ ଆସୁଛନ୍ତି। ଏଠାରେ ମୁତୟନ କର୍ମୀ ତାଙ୍କ ଡ୍ୟୁଟି ମୁତାବକ କାମ କରୁଛନ୍ତି। ଗୁଡ଼ିଆମାନଙ୍କୁ ଚିକିତ୍ସା ନ କରିବା ନିମନ୍ତେ କୁହାଯାଇଥିବା ବେଳେ ସ୍ୱାସ୍ଥ୍ୟ କର୍ମୀମାନେ ବୁଲିବୁଲି ମଧ୍ୟ ଆବଶ୍ୟକ ବେଳେ ଚିକିତ୍ସା କରୁଛନ୍ତି।

Black Magic ଗୁଣିଗାରେଡିରେ ରୋଗୀ ଚିକିତ୍ସା

ଇଏ କେବଳ ଧରମପଲ୍ଲୀ ସ୍ୱାସ୍ଥ୍ୟକେଦ୍ର କଥା ନୁହେଁ, ୩ ଶହ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ୧୦୯ ଡାକ୍ତର ପଦବୀ ଥିବା ବେଳେ ଅଛନ୍ତି ମାତ୍ର ୩୩ ଜଣ ଡାକ୍ତର। ତେଣୁ ଏଠି କେମିତି ଚିକିତ୍ସା ସେବା ରୋଗୀ ପାଉଥିବେ ତାହା ସହଜରେ ଅନୁମେୟ।

କେବଳ ସେତିକୁ ନୁହେଁ ସାରା ଜିଲ୍ଲାରେ ୨୭୭ ଡାକ୍ତର ପଦବୀ ଥିବା ବେଳେ ଅଛନ୍ତି ମାତ୍ର ୧୦୯ ଜଣ। ପାଥୋଲୋଜି, କାର୍ଡିଓ ଲୋଜି, ଗ୍ୟାଷ୍ଟ୍ରୋଏଣ୍ଟୋଲୋଜି ଭଳି ବିଭାଗରେ ଜଣେ ବି ଡାକ୍ତର ନଥିଲାବେଳେ, ଅର୍ଥୋପେଡିକ ପରି ଅନେକ ବିଭାଗ ମାତ୍ର ଜଣେ ଲେଖାଏଁ ଡାକ୍ତରରେ ଚାଲିଛି। ସବୁଠୁ ବଡ଼ କଥା ହେଉଛି କିଛି ବର୍ଷ ତଳେ ଜାପାନିଜ୍ ଏନସେଫାଲିଟିସ ରୋଗରେ ଶତାଧିକ ଶିଶୁଙ୍କ ମୃତ୍ୟୁ ଦେଖିଥିବା ଏ ଜିଲ୍ଲାରେ ଅଛନ୍ତି ମାତ୍ର ଜଣେ ଶିଶୁ ରୋଗ ବିଶେଷଜ୍ଞ।

ହେଲେ ମାଲକାନଗିରି ସିଡିଏମ୍ଓ ପ୍ରଫୁଲ୍ଲ କୁମାର ନନ୍ଦ କହିବା କଥା ମାଲଗିରି ସମେତ  ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ସୁକମାରୁ ବହୁ ରୋଗୀ ଏଠାକୁ ଆସନ୍ତି।  ଅଳ୍ପ ସଂଖ୍ୟକ ଡାକ୍ତରରେ ରୋଗୀଙ୍କୁ ସେବା ଯୋଗାଇବାର ସଂପୂର୍ଣ୍ଣ ଚେଷ୍ଟା ଚାଲିଛି।

Medical Negligence Odisha Governance Health Service Odisha