Advertisment

Police SI Scam :: ‘ବଣିକ’ରେ କ୍ରାଇମବ୍ରାଂଚ ଚଢ଼ାଉ, ମୁହଁ ଖୋଲିଲେ ସୁବ୍ରତ, ଓପିଆରବି ଅଧ୍ୟକ୍ଷଙ୍କ ୟୁ-ଟର୍ଣ୍ଣ

ଭୁବନେଶ୍ୱରରେ ଥିବା ଏହି ସେଂଟରର ମୁଖ୍ୟ କାର୍ଯ୍ୟାଳୟରେ କ୍ରାଇମବ୍ରାଂଚ ଚଢ଼ାଉ କରି ଗିରଫ ହୋଇଥିବା ୧୧୪ଜଣ ପରୀକ୍ଷାର୍ଥୀ ଓ ଅନ୍ୟ ଦଲାଲମାନଙ୍କ ସହ ‘ବଣିକ’ର କ’ଣ ସମ୍ପର୍କ ରହିଛି ତାହା ଜାଣିବାକୁ କ୍ରାଇମବ୍ରାଂଚ ପ୍ରୟାସ କରିଛି ।

Vanik-Institution

Vanik Institution-Bhubaneswar

Advertisment

ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଅନିୟମିତତା ମାମଲାରେ ଆଜି କ୍ରାଇମବ୍ରାଂଚ ପକ୍ଷରୁ ‘ବଣିକ’ କୋଚିଂ ସେଂଟର ଉପରେ ଚଢ଼ାଉ କରାଯାଇଛି । ପରୀକ୍ଷା ଦୁର୍ନୀତିରେ ଏହି କୋଚିଂ ସେଂଟରର ସମ୍ପୃକ୍ତି ଅଭିଯୋଗ ପରେ ଏହାର ମାଲିକ ତଥା ବିଜେଡି ନେତା ସୁବ୍ରତ ଛାଟୋଇ ମୁହଁ ଖୋଲିଛନ୍ତି । ଆଉ ସେପଟେ ସାମ୍ବାଦିକ ସମ୍ମିଳନୀ ଡାକିଥିବା ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି) ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥ ଅଚାନକ ଏହାକୁ ବାତିଲ କରିଦେଇଛନ୍ତି । ଓପିଆରବି ଦ୍ୱାରା ପରିଚାଳିତ ଏହି ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ତଦନ୍ତ କ୍ରାଇମବ୍ରାଂଚ କରୁଛି ।

Advertisment

‘ବଣିକ' କୋଚିଂ ସେଂଟରରେ କ୍ରାଇମବ୍ରାଂଚ ଚଢ଼ାଉ ଓ ତଦନ୍ତର ମୋଡ଼

କ୍ରାଇମବ୍ରାଂଚ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁଲିସ ଏସଆଇ ପରୀକ୍ଷା(Odisha Police SI Exam Scam) ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ସୃଷ୍ଟି କରିବା, ପରୀକ୍ଷା ଫିକ୍ସିଂ କରିବା ଓ କିଛି ପ୍ରାର୍ଥୀଙ୍କୁ ବେଆଇନ ଉପାୟରେ ସୁବିଧା ଯୋଗାଇବାରେ ଏହି କେନ୍ଦ୍ରର ସମ୍ଭାବ୍ୟ ଭୂମିକା ଥିବାର ବିଶ୍ୱସନୀୟ ଖବରକୁ ଆଧାର କରି ଏହି ଚଢ଼ାଉ ହୋଇଥିଲା । ଭୁବନେଶ୍ୱରରେ ଥିବା ଏହି ସେଂଟରର ମୁଖ୍ୟ କାର୍ଯ୍ୟାଳୟରେ କ୍ରାଇମବ୍ରାଂଚ ଚଢ଼ାଉ କରି ଗିରଫ ହୋଇଥିବା ୧୧୪ଜଣ ପରୀକ୍ଷାର୍ଥୀ ଓ ଅନ୍ୟ ଦଲାଲମାନଙ୍କ ସହ ‘ବଣିକ’ର କ’ଣ ସମ୍ପର୍କ ରହିଛି ତାହା ଜାଣିବାକୁ କ୍ରାଇମବ୍ରାଂଚ ପ୍ରୟାସ କରିଛି । ‘ବଣିକ’ର ମାଲିକ ସୁବ୍ରତ ଛାଟୋଇ ଓ ଏହି ପରୀକ୍ଷା ସ୍କାମରେ ଫେରାର ଥିବା ପଂଚସଫ୍ଟର ମୁଖ୍ୟ ଶଙ୍କର ପୃଷ୍ଟିଙ୍କ ମଧ୍ୟରେ ଥିବା ଲିଙ୍କକୁ ମଧ୍ୟ ଖୋଳତାଡ଼ କରାଯାଉଥିବା ଜଣାପଡ଼ିଛି ।

କ୍ରାଇମବ୍ରାଂଚ(Crime Branch) ଡିଏସପି ନରେନ୍ଦ୍ର ବେହେରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପୁଲିସ ଏସଆଇ ପରୀକ୍ଷା ସହ ଜଡ଼ିତ କିଛି ଛାତ୍ରଙ୍କ ତାଲିକା ପାଇଛୁ ଓ ସେଥିପାଇଁ ‘ବଣିକ’ର ଗତ ୫ ବର୍ଷର ରେକର୍ଡକୁ ଯାଂଚ କରୁଛୁ । ସ୍କାମରେ ବଡ଼ ସାନ ନଥାଏ । ଆମର ଲକ୍ଷ୍ୟ ହେଉଛି, ଏହି ସ୍କାମର ମାଷ୍ଟରମାଇଣ୍ଡ କିଏ, ତାହା ଖୋଜି ବାହାର କରିବା । 

Advertisment

ତଳ ଦଲାଲଙ୍କୁ ନୁହେଁ ବଡ଼ମାଛ ଧରନ୍ତୁ: ସୁବ୍ରତ ଛାଟୋଇ

‘ବଣିକ’ରେ କ୍ରାଇମବ୍ରାଂଚ ଚଢ଼ାଉ ପରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ନେତା ତଥା ‘ବଣିକ’ର ମାଲିକ ସୁବ୍ରତ ଛାଟୋଇ । ସେ କହିଛନ୍ତି ଯେ, ରାଜନୀତି ପାଇଁ ରାଜ୍ୟର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ‘ବଣିକ’କୁ ବଦନାମ କରାନଯାଉ। ‘ବଣିକ’ ହେଉଛି ଓଡ଼ିଶାର ଏକ ବ୍ରାଣ୍ଡ, ତାକୁ ନଷ୍ଟ କରାନଯାଉ । ମିଡିଆ ଟ୍ରାଏଲ କରନ୍ତୁ ନାହିଁ । ‘ବଣିକ’ରୁ କୋଚିଂ ନେଇ ଅନେକ ପିଲା ବିଭିନ୍ନ ସରକାରୀ ଅଫିସରେ କାର୍ଯ୍ୟ କରୁଛନ୍ତି । ସେମାନେ ଏଭଳି ଅପପ୍ରଚାର ଦ୍ୱାରା ନିଜକୁ ଅପମାନିତ ଅନୁଭବ କରୁଛନ୍ତି । ‘ବଣିକ’ର ୮ଟି ସେଂଟରରେ ୮ହଜାରୁ ଅଧିକ ପିଲା ପଢ଼ୁଛନ୍ତି । ୩ଶହରୁ ଅଧିକ ଷ୍ଟାଫ ମଧ୍ୟ କାର୍ଯ୍ୟ କରୁଛନ୍ତି । ୧୨ବର୍ଷ ମଧ୍ୟରେ ହଜାର ହଜାର ପିଲା କୋଚିଂ ନେଇଛନ୍ତି । ଯେଉଁ ୧୧୪ଜଣ ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଆମ ସଂସ୍ଥାରୁ ମାତ୍ର ୬ଜଣ କୋଚିଂ ନେଇଛନ୍ତି, ତାହାପୁଣି ୨୦୨୧-୨୨ରୁ । କିନ୍ତୁ ଅନ୍ୟ କେବଳ ଆମ ସଂସ୍ଥା ଉପରେ ଚଢ଼ାଉ ହେଉଛି, ଅନ୍ୟ ସଂସ୍ଥାକୁ ଛାଡ଼ି ଦିଆଯାଇଛି। ସେ କ୍ରାଇମବ୍ରାଂଚକୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ, "ଏସଆଇ ନିଯୁକ୍ତି ପରୀକ୍ଷା ରାକେଟରେ ତଳ ଦଲାଲକୁ ଧରିଲେ ହେବ ନାହିଁ, ବଡ଼ମାଛ ଧରନ୍ତୁ । ପୂର୍ବରୁ କେନ୍ଦ୍ରୀୟ ଜିଏସଟି ଓ ଆୟକର ବିଭାଗ ରେଡ୍ କରିଥିଲେ । କିନ୍ତୁ ସେମାନଙ୍କୁ ଏପର୍ଯ୍ୟନ୍ତ କିଛି ମିଳିନାହିଁ ବୋଲି ଶ୍ରୀ ଛାଟୋଇ କହିଛନ୍ତି ।

ଚର୍ଚ୍ଚାରେ ଓପିଆରବି ଅଧ୍ୟକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ

ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷାରେ ବିବାଦୀୟ ହୋଇ ପଡ଼ିଥିବା ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି) ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକି ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରିଦେଇଥିଲେ । ପ୍ରାୟ ଦିନ ସାଢ଼େ ୪ଟା ବେଳେ ଏହି ସାମ୍ବାଦିକ ସମ୍ମିଳନୀ ହେବ ବୋଲି ଶ୍ରୀ ନାଥଙ୍କ ପକ୍ଷରୁ ପୂର୍ବାହ୍ନ ସାଢ଼େ ୧୧ଟାବେଳେ ସୂଚନା ଦିଆଯାଇଥିଲା। ସମସ୍ତେ ମଧ୍ୟ ଉତ୍ସୁକ ଥିଲେ, କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ । ମାତ୍ର ଶେଷ ମୁହୂର୍ତ୍ତରେ ଏହି ସାମ୍ବାଦିକ ସମ୍ମିଳନୀକୁ ବାତିଲ କରିଦିଆଯାଇଥିଲା । ଆଉ ବିବାଦଘେରରେ ଥିବା ଓପିଆରବି ଅଧ୍ୟକ୍ଷ ଶ୍ରୀ ନାଥ ସମସ୍ତ ପ୍ରାର୍ଥୀଙ୍କୁ ଧେର୍ଯ୍ୟ ଧରି ଅପେକ୍ଷା  କରିବାକୁ ପରାମର୍ଶ ଦେଇଛନ୍ତି । ଯଥାଶୀଘ୍ର ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯାଇ ଏହି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି। କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରୁଛି ଓ ମାମଲାରେ ଜଡ଼ିତ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ ଏହି ସମଗ୍ର ନିଯୁକ୍ତି ପରୀକ୍ଷା ଅନିୟମିତତାରେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ଓପିଆରବି ଅଧ୍ୟକ୍ଷ ଓ ଗୃହ ସଚିବଙ୍କୁ କାଠଗଡ଼ାରେ ଛିଡ଼ା କରିସାରିଛି।

Crime Branch Odisha Police SI Exam Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe