/odisha-reporter/media/post_attachments/uploadimage/library/16_9/16_9_0/Bus_1678772109.jpg)
Bus
ଆସନ୍ତାକାଲିଠାରୁ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ଅଖ, ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଘରୋଇ ବସ୍ ମାଲିକ ସଂଘ ଯାତ୍ରୀବାହୀ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ୍କୁ ସ୍ଥିତି ଉପରେ ନଜର ରଖିବାକୁ ସଂଘ ଅନୁରୋଧ କରିଛି। ଡିଜିପି ମଧ୍ୟ ସେମାନଙ୍କୁ ନିର୍ଭୟରେ ଯାତ୍ରୀବାହୀ ବସ୍ ଚଳାଚଳ କରିବାକୁ କହିଥିବା ଜଣାପଡ଼ିଛି।
ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଡ୍ରାଇଭର ସଂଘ ଆମକୁ କିଛି ଦାବିପତ୍ର ଦେଇନି। ଆମେ ଆମର ବସ୍ ଚଳାଚଳ ସ୍ୱାଭାବିକ କରିବୁ। ଏନେଇ ଆମେ ସରକାରଙ୍କୁ ଲିଖିତ ଭାବେ ଜଣାଇ ଦେଇଛୁ। ଗତକାଲି ଆମେ ପୁଲିସ୍ ମହାନିର୍ଦ୍ଦେଶକ (ଡିଜି) ଓ ଏଡିଜି (ଆଇନ ଶୃଙ୍ଖଳା)ଙ୍କ ପାଖକୁ ଯାଇଥିଲୁ ଏବଂ ୧୫ ତାରିଖରେ ଯାତ୍ରୀବାହୀ ବସ୍ ଚଳାଚଳ ହେଲେ ଯେମିତି କେହି ହଇରାଣ ନ କରନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲୁ। ଯାତ୍ରୀବାହୀ ବସ୍ ଗୁଡ଼ିକୁ କୌଣସି ସ୍ଥାନରେ କେହି ଅଟକାଇବେ ନାହିଁ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।
ସେ ଆହୁରି କହିଛନ୍ତି, ଆମ ପାଖରେ ଯେଉଁ କର୍ମଚାରୀ ଅଛନ୍ତି, ସେମାନେ ଡ୍ରାଇଭର ସଂଘରେ ସାମିଲ ନାହାନ୍ତି। ସେମାନେ (ଡ୍ରାଇଭର ସଂଘ) ଯେଉଁ ଦାବି କରୁଛନ୍ତି, ତା’ଠାରୁ ଅଧିକ ସୁବିଧା ଆମେ ଆମ କର୍ମଚାରୀମାନଙ୍କୁ ଦେଉଛୁ। ଡ୍ରାଇଭର ସଂଘ ପୂର୍ବରୁ କରିଥିବା ଧର୍ମଘଟରେ ବସ୍କୁ ସାମିଲ କରି ନଥିଲେ। କିନ୍ତୁ ଏଥର ଯାତ୍ରୀବାହୀ ବସ୍ ଗୁଡ଼ିକ ଚାଲିପାରିବନି ବୋଲି କହିଛନ୍ତି। ଏହି ବନ୍ଦରୁ ନିବୃତ୍ତ ରହିବାକୁ ମୁଁ ଡ୍ରାଇଭର ସଂଘକୁ ଅନୁରୋଧ କରୁଛି। ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ପ୍ରତ୍ୟାହାର କରି ସରକାରଙ୍କ ସହିତ ଆଲୋଚନା କରନ୍ତୁ। ସରକାରଙ୍କ ନିକଟରେ ଅନଶନ କରନ୍ତୁ ଓ ଧାରଣା ଦିଅନ୍ତୁ। ଆମର ସେଥିରେ କିଛି ସମସ୍ୟା ନାହିଁ। କିନ୍ତୁ ଯାତ୍ରୀବାହୀ ପରିବହନ ବ୍ୟବସ୍ଥାକୁ ଅସୁବିଧାରେ ନପକାନ୍ତୁ।
୧୦ ଦଫା ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରାଯିବ ବୋଲି ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଘୋଷଣା କରାଯାଇଥିଲା। ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ କହିଥିଲା ଯେ ମହାମଞ୍ଚ ଅଧୀନରେ ଥିବା ରାଜ୍ୟର ୫ ଡ୍ରାଇଭର ସଂଘ ଓ ମହାସଂଘ ଏହି ଧର୍ମଘଟରେ ସାମିଲ ହେବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
