Advertisment

ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ଗୃହରେ ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଗତ କରି କହିଥିଲେ ଯେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଧାନସଭାକୁ ବିଭ୍ରାନ୍ତ କରାଯାଇଛି ।

author-image
Ordigital Desk
CM Naveen Patnaik

CM Naveen Patnaik

ମିଥ୍ୟା ତଥ୍ୟ ଦେଇ ଗୃହକୁ ଜାଣିଶୁଣି ବିଭ୍ରାନ୍ତ କରିଥିବାର ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବିରୁଦ୍ଧରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ସ୍ୱାଧିକାର ଭଙ୍ଗ ନୋଟିସ ଦେଇଛନ୍ତି । ଏହି ନୋଟିସକୁ ସ୍ୱାଧିକାର କମିଟିକୁ ପଠାଇବାକୁ ଶ୍ରୀ ମିଶ୍ର ଦାବି କରିଥିବାବେଳେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ନୋଟିସକୁ ଅନୁଧ୍ୟାନ କରୁଛନ୍ତି ବୋଲି କହିଛନ୍ତି ।

Advertisment

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ଗୃହରେ ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଗତ କରି କହିଥିଲେ ଯେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଧାନସଭାକୁ ବିଭ୍ରାନ୍ତ କରାଯାଇଛି । ଗତ ୨୭ତାରିଖରେ ନବ ଦାସ ହତ୍ୟାର ତଦନ୍ତ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା ଦେଇଛନ୍ତି । ଏହି ଉତ୍ତରରେ ଅସତ୍ୟ ତଥ୍ୟ ରହିଛି । ଗୃହକୁ ଜାଣିଶୁଣି ବିଭ୍ରାନ୍ତ କରାଯାଇଛି । ଅସତ୍ୟର ଆଶ୍ରୟ ନିଆଯାଇଛି । ମିଛ ତଥ୍ୟ ଦେଇ ଗୃହର ସ୍ୱାଧିକାର ଭଙ୍ଗ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି,ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା ଯେଉଁ ଲିଖିତ ଉତ୍ତର ଫେବୃୟାରୀ ୨୭ତାରିଖରେ ରଖିଛନ୍ତି ସେଥିରେ ଉଲ୍ଲେଖ ଅଛି ଯେ, ନବ ଦାସଙ୍କ ହତ୍ୟା ମାମଲାର ତଦାରଖ ପାଇଁ ଜଷ୍ଟିସ ଜେପି ଦାସଙ୍କୁ ନିଯୁକ୍ତି ମିଳିଛି । କିନ୍ତୁ ଜଷ୍ଟିସ ଦାଙ୍କ ନିଯୁକ୍ତି ଜୁଡିସିଆଲ ଅର୍ଡର ନୁହେଁ । ଉତ୍ତରପ୍ରଦେଶର ଲଖିମପୁର ଖେରୀ ଘଟଣାକୁ ପ୍ରସିଡେଣ୍ଟ ଭାବେ ନିଆଯାଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି । ମାତ୍ର ଲଖିମପୁର ଖେରୀ ଘଟଣାର ତଦନ୍ତ ତଦାରଖ ପାଇଁ ବିଚାରପତିଙ୍କ ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟ ଜୁଡିସିଆଲ ଅର୍ଡର ଦେଇଛନ୍ତି । କିନ୍ତୁ ଜଷ୍ଟିସ ଜେପି ଦାସଙ୍କ ନିଯୁକ୍ତି ଜୁଡିସିଆଲ ଅର୍ଡର ନୁହେଁ । ତେଣୁ ଗୃହକୁ ବିଭ୍ରାନ୍ତ କରାଯାଇଛି । ନବ ଦାସ ହତ୍ୟା ଘଟଣାରେ କ’ଣ ଷଡ଼ଯନ୍ତ୍ର ହୋଇଛି ସେ କଥା ପୂର୍ବରୁ ମୁଖ୍ୟମନ୍ତ୍ରୀ କିମ୍ବା ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭରେ ନିଜର ବୟାନ ରଖିବାବେଳେ କହିନଥିଲେ, କିନ୍ତୁ ୨୭ତାରିଖର ଲିଖିତ ଉତ୍ତରରେ ଷଡ଼ଯନ୍ତ୍ର କଥା କୁହାଯାଇଛି । ଏହି ହତ୍ୟା ଘଟଣାରେ କାହାକୁ ସନ୍ଦେହ କରାଯାଉଛି, କେଉଁମାନଙ୍କୁ ସାକ୍ଷୀ କରିଛନ୍ତି ତାହା ଗୃହକୁ ଜଣାନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି । ଏହାସହିତ ସେ ତାଙ୍କର ନୋଟିସକୁ ସ୍ୱାଧିକାର କମିଟି ପଠାଇବା ସହ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ ।

ସେହିପରି ଗୃହ ବାହାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ ଯେ, ନବ ଦାସ ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗୃହକୁ ଠିକ୍ ତଥ୍ୟ ଦେଇନାହାନ୍ତି । ସରକାରଙ୍କ ଉତ୍ତର ମଧ୍ୟରେ ସାମଞ୍ଜସ୍ୟ ରହୁନି । ଷଡ଼ଯନ୍ତ୍ର କ’ଣ ରହିଛି ତାହା ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ନଥିବାବେଳେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତରରେ ଷଡ଼ଯନ୍ତ୍ର କଥା ଉଲ୍ଲେଖ  ଅଛି । କିନ୍ତୁ ଷଡ଼ଯନ୍ତ୍ର ପାଇଁ ଯେଉଁ ଦଫା ଏଫଆଇଆର କପିରେ ରହିବା କଥା ତାହା ଉଲ୍ଲେଖ ହୋଇନି । ଏଥିରୁ ସରକାର ଦ୍ୱନ୍ଦ୍ୱରେ ଥିବା ଭଳି ଲାଗୁଛି । ନବ ଦାସଙ୍କ ହତ୍ୟା ମାମଲାରେ ସରକାର ବହୁ କଥା ଲୁଚାଉଛନ୍ତି ବୋଲି ଏଥିରୁ ପ୍ରମାଣିତ ହୋଇଛି ।

Advertisment

ଅନ୍ୟପକ୍ଷରେ ନରସିଂହଙ୍କ ସ୍ୱାଧିକାର ଭଙ୍ଗ ନୋଟିସ ଉପରେ ପ୍ରତିକ୍ରିୟା ରଖି ଗୃହ ବାହାରେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ନବ ଦାସ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଜଷ୍ଟିସ ଜେପି ଦାସଙ୍କୁ ହାଇକୋର୍ଟ ନିଯୁକ୍ତି ଦେଇଛନ୍ତି । ଏହା ମୁଖ୍ୟ ବିଚାରପତିଙ୍କ ପ୍ରତି ଅସମ୍ମାନ । ତେଣୁ କଂଗ୍ରେସ ବିଧାୟକ ଶ୍ରୀ ମିଶ୍ର ପ୍ରଥମେ ଏନେଇ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି ।

Naveen Patnaik Narasingha Mishra Cmo Of Odisha Odisha Assembly