Advertisment

ଖୁବ୍ ଶୀଘ୍ର ୪୦ ହଜାର ଶିକ୍ଷକ ନିଯୁକ୍ତି : ଗଣଶିକ୍ଷା ମନ୍ତ୍ରୀ

ଖୁବ୍ ଶୀଘ୍ର ପ୍ରାଥମିକ ସ୍କୁଲ ପାଇଁ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ।

author-image
Niranjan Mishra
ଅଦ୍ୟତନ ହୋଇଛି
School and Mass Education Minister Samir Dash

School and Mass Education Minister Samir Dash

ଖୁବ୍ ଶୀଘ୍ର ପ୍ରାଥମିକ ସ୍କୁଲ ପାଇଁ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ଏନେଇ ବିଜ୍ଞାପନ ପ୍ରକାଶ ସରିଛି। ସେହିପରି ହାଇ ସ୍କୁଲ ପାଇଁ ମଧ୍ୟ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ଏନେଇ ବିଜ୍ଞାପନ ମଧ୍ୟ ବାହାରି ସାରିଛି। ମୋଟ ୪୦ ହଜାର ନିଯୁକ୍ତି ଶିକ୍ଷକ ନିଯୁକ୍ତି ନିମନ୍ତେ ସରକାର ପଦକ୍ଷେପ ନେଇ ସାରିଥିବା ଆଜି ଗଣମଧ୍ୟମକୁ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ। କମ୍ପ୍ୟୁଟର ବେସ୍ ଟେଷ୍ଟ ମାଧ୍ୟମରେ ଏହି ପରୀକ୍ଷା ହେବ ଓ ସମସ୍ତଙ୍କୁ ନିଯୁକ୍ତିରେ ଭାଗ ନେବାକୁ ସୁଯୋଗ ମିଳିବ। ଏନେଇ ବିଧାନସଭାରେ ଜଣେ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦିଆଯାଇଛି ବୋଲି ସେ କହିଛନ୍ତି।

Advertisment

ଆସନ୍ତା ଏପ୍ରିଲ ଠାରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେଉଥିବା ବେଳେ ନୂଆ ନିଯୁକ୍ତି ମିଳିବା ନେଇ ମନ୍ତ୍ରୀଙ୍କ ସୂଚନା ସ୍କୁଲରେ ଖାଲି ପଡ଼ିଥିବା ଶିକ୍ଷକ ପଦ ପୂରଣରେ ସହାୟକ ହେବ ବୋଲି ଆଶା କରାଯାଉଛି।

ସେହିପରି ଯୁକ୍ତ ୨ ପ୍ରଶ୍ନପତ୍ର ଭାଇରାଲ ହେବା ନେଇ ସାଇବର ଥାନାରେ ଏତଲା ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।

Advertisment

ଅନ୍ୟପଟେ ସେ ଯୁକ୍ତ ୨ ପରୀକ୍ଷା ପରିଚାଳନା ତଦାରଖ ପାଇଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଯାଇଥିଲେ। ସେଠାରେ ବିଶ୍ୱାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ପରୀକ୍ଷା ପରିଚାଳନା ବ୍ୟବସ୍ଥା ନେଇ ପଚାରି ବୁଝିଥିଲେ। ରମାଦେବୀ ହାଇୟର ସେକେଣ୍ଡାରୀ ସ୍କୁଲ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ।

ସେ କହିଛନ୍ତି, ସମସ୍ତ ଜିଲ୍ଲାରେ ପରୀକ୍ଷା ଠିକ୍ ଭାବେ ଚାଲୁଥିବା ପଚାରି ବୁଝିଛନ୍ତି। ସୋସିଆଲ ମିଡ଼ିଆରେ ଜାଲ୍ ପ୍ରଶ୍ନପତ୍ର ଭାଇରାଲ ହେଉଛି। ଯିଏ ଭାଇରଲ କରିଛି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଛାତ୍ରଛାତ୍ରୀମାନେ ଏନେଇ ଭୟଭୀତ ହେବାର କିଛି ନାହିଁ ।

ହାଇସ୍କୁଲଗୁଡିକରେ ଶିକ୍ଷକ ଅଭାବ ରହୁଥିବା ପରିଲିକ୍ଷିତ ହେଉଥିବାରୁ ପୂର୍ଣ୍ଣ ଅନୁଦାନ ଏବଂ ବ୍ଲକ ଗ୍ରାଣ୍ଟ ପ୍ରାପ୍ତ ହାଇସ୍କୁଲ ଗୁଡିକରେ ଶିକ୍ଷକ ନିଯୁକ୍ତି କରାଯିବା ପାଇଁ କ’ଣ ବ୍ୟବସ୍ଥା ନେଇଛନ୍ତି ବୋଲି ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପ୍ରଶ୍ନ ପଚାରିଥିଲେ।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହାର ଉତ୍ତର ରଖି କହିଥିଲେ, ଶିକ୍ଷକ ଅଭାବକୁ ଦୃଷ୍ଟିରେ ରଖି ୨୦୨୧-୨୨ରେ ୭୧୧୩ ଓ ୬୮୯୧ ଏପରି ମୋଟ ୧୪, ୦୦୪ ଶିକ୍ଷକ ପଦବୀ ପୂରଣ କରାଯାଇଛି। ଏଥିସହ ୭୫୪୦ ଗୋଟି ଖାଲିଥିବା ଶିକ୍ଷକ ପଦବୀ ପୂରଣ ପାଇଁ OSSCକୁ ଦାୟିତ୍ୱ ଦିଆଯାଇଛି।

ଏଥିସହ ସରକାର ପୁନଶ୍ଚ ୬୦୨୫ ଗୋଟି LTR ପଦବୀ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି। ପୁନଃ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଖାଲି ଥିବା ବିଭିନ୍ନ ବର୍ଗର ୨୦୬୪ ଗୋଟି ପଦବୀ ପୂରଣ ପାଇଁ ସରକାର ଆଦେଶ ଦେଇଛନ୍ତି। ଯାହାକି ଖୁବ ଶୀଘ୍ର ପୂରଣ କରାଯିବ।

ସେହିପରି ରାଜ୍ୟ କେଉଁ ହାଇସ୍କୁଲ ଗୁଡିକରେ ଯୁକ୍ତ ୨ ଖୋଲାଯିବାର ସରକାର ଯୋଜନା ରଖିଛନ୍ତି ଓ ଗଞ୍ଜାମର କେଉଁ ସ୍କୁଲ ଏହା ଭିତରେ ରହିଛି ବୋଲି ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ମନ୍ତ୍ରୀ କହିଛନ୍ତି ୨୦୨୨-୨୩ରେ ୧୦୬ ଟି ଉଚ୍ଚ ବିଦ୍ୟାଳୟକୁ ଉନ୍ନତି କରାଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲାଯିବାର ନିଷ୍ପତି ଗ୍ରହଣ କରାଯାଇଛି। ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ୯ ଗୋଟି ସ୍କୁଲ ରହିଛି।

Job Vacancy Odisha Mass Education Minister Primary Teachers