Advertisment

୯ରୁ ୨୩ ଜିଲ୍ଲାକୁ ବଢ଼ିଲା ଏସ୍‌ଡିସି କଳେବର, ଯାଉନି ଆଦିବାସୀ ଦୁଃଖ

ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼ ଓ ସମ୍ୱଲପୁର।

author-image
Niranjan Mishra
ଅଦ୍ୟତନ ହୋଇଛି
CM Naveen Patnaik

CM Naveen Patnaik

ରାଜ୍ୟର ଆଉ ୧୪ ଜିଲ୍ଲାରେ ଗଠନ ହେଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା ଏସ୍‌ଡିସି। ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼ ଓ ସମ୍ୱଲପୁର। ଆଜି ଭୁବନେଶ୍ୱର ୟୁନିଟ୍-୧ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ବିରାଟ ଉତ୍ସବ ସହ ପରିଷଦ କାର୍ଯ୍ୟକ୍ଷମ ହେବାର ଶୁଭାରମ୍ଭ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ୨୩ ଜିଲ୍ଲାକୁ ବଢ଼ିଲା ଏସ୍‌ଡିସି କଳେବର। ହେଲେ ଆଦିବାସୀଙ୍କ ବିକାଶ ଲାଗି ଗଠନ ହୋଇଥିବା ଏସବୁ ଏସ୍‌ଡିସିର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ଆଦିବାସୀ। ସେମାନଙ୍କ ପ୍ରଶ୍ନ, ଯଦି ଆଦିବାସୀଙ୍କ ଉନ୍ନତି ନିମନ୍ତେ ସରକାର ତତ୍ପର ତେବେ ପ୍ରତିଦିନ ରାଜ୍ୟର ଆଦିବାସୀ ଅଞ୍ଚଳ ଲୋକେ ଖାଦ୍ୟ, ପାନୀୟ, ବାସଗୃହ, ରୋଜଗାର, ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ପାଇଁ ହନ୍ତସନ୍ତ ହେଉଥିବା ଖବର ଆଲୋଚନାର ବିଷୟ ହେଉଛି କାହିଁକି? ମେଡିକାଲ ପହଞ୍ଚିବାରେ ଆଦିବାସୀ ଜନନୀ ଯନ୍ତ୍ରଣା ଭୋଗୁଛି କାହିଁକି?

Advertisment

ଏପଟେ ନୂଆ ଏସ୍‌ଡିସି ଗଠନକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ବିରୋଧୀଙ୍କ ଅଭିଯୋଗ, ଜନଜାତିଙ୍କ ପ୍ରତି ନାହିଁ ସରକାରଙ୍କ ଆନ୍ତରିତକା। ସାଧାରଣ ନିର୍ବାଚନ ପୂର୍ବରୁ କେବଳ ଅସନ୍ତୁଷ୍ଟଙ୍କ ଥଇଥାନ ଲାଗି ଖୋଲାଯାଉଛି ଏସ୍‌ଡିସି। କାହା ସ୍ୱାର୍ଥରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ? ଆଦିବାସୀଙ୍କ ବିକାଶ ନା ଭୋଟ୍ ବ୍ୟାଙ୍କ? ଏସ୍‌ଡିସି ନାଁରେ ଆଦିବାସୀଙ୍କୁ ଭୁଆଁ ବୁଲାଉନାହାନ୍ତି ତ’ ସରକାର?

ଆଦିବାସୀଙ୍କ ନିଜସ୍ୱ ପରିଚୟ ଓ ସଂସ୍କୃତିକୁ ବଜାୟ ରଖିବାକୁ ୨୦୧୮ରେ ୯ଟି ଜିଲ୍ଲାରେ ଶୁଭାରମ୍ଭ ହୋଇଥିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ। ଏହି ୯ ଜିଲ୍ଲାରେ ଆଦିବାସୀମାନେ ମୌଳିକ ସମସ୍ୟାକୁ ନେଇ କିପରି ସଂଗ୍ରାମ କରୁଛନ୍ତି, ତାହା କ’ଣ ରାଜ୍ୟ ସରକାର କିମ୍ବା ଏସ୍‌ଡିସିକୁ ଦେଖାଯାଉନି।  ୨୦୧୯ ନିର୍ବାଚନ ପରେ ଆଦିବାସୀଙ୍କ ବିକାଶ କଥା ଭୁଲିଗଲେ ସରକାର। ହୋଇପାରିଲାନି ଆଦିବାସୀଙ୍କ ଉନ୍ନତି। ଏସବୁ ଭିତରେ ୨୪ ନିର୍ବାଚନ ପୂର୍ବରୁ ପୁଣି ୧୪ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ଏସ୍‌ଡିସି ପକ୍ଷରୁ ଆୟୋଜି ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ୧୪ ଜିଲ୍ଲା ଅନ୍ତର୍ଗତ ୧୭୨ ବ୍ଲକର ୮୦ ଲକ୍ଷରୁ ଅଧିକ ଜନଜାତିର ଲୋକେ ଏହି ଉନ୍ନୟନ ପରିଷଦରେ ସାମିଲ ହେଲେ।

ହେଲେ ଆଦିବାସୀଙ୍କ ଅଭିଯୋଗ ଯେ, ନିର୍ବାଚନ ପାଖେଇ ଆସିଲେ ଆଦିବାସୀଙ୍କ କଥା ସରକାରଙ୍କର ମନେ ପଡ଼େ। ଏହା କେବଳ ନିର୍ବାଚନୀ ଥୋପ। ପୂର୍ବରୁ ୯ ଜିଲ୍ଲାରେ ଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦ କେବଳ ରାଜନୈତିକ ଫାଇଦା ପାଇଁ ହିଁ ବ୍ୟବହାର ହେଉଛି। ଏହା ଏବେ କେବଳ ନିଜ ଦଳର କର୍ମୀଙ୍କୁ ଠିକା କାମ ଯୋଗାଣ ଲାଗି ଉଦ୍ଦିଷ୍ଟ।

ଆଦିବାସୀ ନେତା ଚନ୍ଦ୍ରଧ୍ୱଜ ମାଝୀ କହିଛନ୍ତି, ଏଥିରେ ଆଦିବାସୀଙ୍କର କୌଣସି ଉନ୍ନତି ହେଉନି। ଏହା କେବଳ ସରକାରଙ୍କର ନେତା ଥଇଥାନ ଯୋଜନା ହୋଇଛି।

ମାଲକାନଗିରି ବାସିନ୍ଦା ପର୍ଶୁରାମ ଭକ୍ତ କହିଛନ୍ତି, ଏହି ପରିଷଦ ନାଁରେ କେବଳ ନେତା ଓ କର୍ମୀ ମାଲେମାଲ ହେଉଛନ୍ତି। ଆଦିବାସୀଙ୍କ ନାଁ’ରେ ଟଙ୍କା ବ୍ୟୟ ବରାଦ କରି ନେତାଙ୍କ ପକେଟରେ ରଖାଯାଉଛି। ଆଦିବାସୀଙ୍କ ଉନ୍ନତି ପାଇଁ କୌଣସି ଆଖି ଦୃଶିଆ କାମ ହେଉନି।

ଏପଟେ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନକୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଆରମ୍ଭରୁ ଏପର୍ଯ୍ୟନ୍ତ କେତେଥର ଏସ୍‌ଡିର ବୈଠକ ହୋଇଛି ? କେଉଁଠି କେତେ ଟଙ୍କା ଖର୍ଚ୍ଚ ହୋଇଛି? ଯେହେତୁ କିଛି କରିନାହାନ୍ତି, ଏବେ ନିର୍ବାଚନ ଦେଖି ସରକାରୀ ଦଳ ରାଜନୀତିକ ଗୋଟି ଚାଳନା କରୁଛନ୍ତି। ଏବେ ବିଜେଡିରେ ଅନେକ ଅସନ୍ତୁଷ୍ଟ ନେତା ଅଛନ୍ତି। ନିର୍ବାଚନ ପୂର୍ବରୁ ସେମାନଙ୍କୁ ଲଲିପପ୍ ଧରାଇ ଥଇଥାନ କରିବାକୁ ଏ ସ୍ୱତନ୍ତ୍ର ବିକାଶ ପରିଷଦ ହୋଇଛି। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏ ସରକାରର କେବେ ବି ଜନଜାତିଙ୍କ ପ୍ରତି କୌଣସି ଆନ୍ତରିକତା ନାହିଁ। କାରଣ ପରିଷଦର ଗୋଟିଏ ଥର ବୈଠକ ବସିଛି। ଏହାଛଡ଼ା ଅନ୍ୟକିଛି ଉନ୍ନତି କାମ ହୋଇନି। ଏହାକୁ କ’ଣ ବିଜେଡି ନେତାଙ୍କ ଥଇଥାନ ପାଇଁ କରାଯାଇଥିଲା କି ?

ଯାହାର ଜବାବ ରଖି ଏସ୍‌ଡିସିର ଉପଦେଷ୍ଟା ପ୍ରଦୀପ ମାଝୀ କହିଛନ୍ତି, ଯେଉଁ ଜିଲ୍ଲାରେ ୫୦ ପ୍ରତିଶତରୁ ଅଧିକ ଆଦିବାସୀ ରହିଛନ୍ତି ସେଠାରେ ସେମାନଙ୍କ ଜୀବନର ଆମୂଳ ଚୂଳ ପରିବର୍ତ୍ତନ ପାଇଁ ତଥା କଳା ଓ ସଂସ୍କୃତିର ବିକାଶ ପାଇଁ ପରିଷଦ ଜରିଆରେ କାମ କରାଯାଉଛି।

ସୂଚନା ଥାଉକି, ରାଜ୍ୟ ଜନସଂଖ୍ୟାର ପ୍ରାୟ ୨୪ ପ୍ରତିଶତ ଆଦିବାସୀ ହୋଇଥିବା ବେଳେ ସେମାନଙ୍କ ସଂସ୍କୃତି, ପରଂପରା ଓ ଐତିହ୍ୟର ସଂରକ୍ଷଣ ଉଦ୍ଦେଶ୍ୟରେ ଏସ୍‌ଡିସି ଗଠନ କରାଯାଇଛି।

Bjd Politics Tribal Issues