Advertisment

ପୁରୁଣା ଲକ୍ଷ୍ୟ ପୂରଣ ହୋଇନି, ବିଜୁ ଏକ୍ସପ୍ରେସ୍ ୱେ-୨ ସ୍ୱପ୍ନ ଦେଖାଇଲେ ମନ୍ତ୍ରୀ ଓ ସଚିବ

୨୦୨୩-୨୪ରେ ଆରମ୍ଭ ହେବ ବିଜୁ ଏକ୍ସପ୍ରେସ ୱେ-୨। ଏଥିପାଇଁ ୬ ହଜାର କୋଟି ଟଙ୍କା ଖର୍ଚ୍ଚ ଅଟକଳ ରଖାଯାଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
PWD Secretary Vir Vikram Yadav and minister Prafula Malik

PWD Secretary Vir Vikram Yadav and minister Prafula Malik

ଗତ ଆର୍ଥିକ ବର୍ଷରେ ରାସ୍ତା ଓ କୋଠା ନିର୍ମାଣ ସହ ମରାମତି ନିମନ୍ତେ ପୂର୍ତ୍ତ ବିଭାଗ ଯେଉଁ ଲକ୍ଷ୍ୟ ରଖିଥିଲା ତାହା ପୂରଣ ହୋଇନି। ମାତ୍ର ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ସରକାର ବଜେଟ ବ୍ୟୟବରାଦ କରିସାରିଛନ୍ତି। ସରକାରଙ୍କ ଏହି ବଜେଟ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ସଚିବ ବୀର ବିକ୍ରମ ଯାଦବ।

Advertisment

ସଚିବଙ୍କ ସୂଚନା ମୁତାବକ, ତ୍ରିଶୁଳିଆରେ କାଠଯୋଡ଼ି ନଦୀ ଉପରେ ହେବ ଦ୍ୱିତୀୟ ସେତୁ। ଚଳିତ ବର୍ଷ ଆରମ୍ଭ ହେବ କାମ। ବଜେଟରେ ଏନେଇ ବ୍ୟୟ ବରାଦ ହୋଇଛି।

୨୦୨୩-୨୪ରେ ଆରମ୍ଭ ହେବ ବିଜୁ ଏକ୍ସପ୍ରେସ ୱେ-୨। ବ୍ରହ୍ମପୁରରୁ ଜୟପୁର ଯାଏଁ ହେବ ୪- ଲେନ ବିଶିଷ୍ଟ ୩୩୫ କିମି ରାସ୍ତା ନିର୍ମାଣ ହେବ। ଏ ବର୍ଷ ବଜେଟରେ ଏବାବଦରେ ୧୦୦ କୋଟି ବ୍ୟୟ ବରାଦ ହୋଇଛି। ତେବେ ଏଥିପାଇଁ ୬ ହଜାର କୋଟି ଟଙ୍କା ଖର୍ଚ୍ଚ ଅଟକଳ ରଖାଯାଇଛି।

Advertisment

କଟକ ରିଙ୍ଗ ରୋଡ୍, ତାଳଦଣ୍ଡା କେନାଲ ରାସ୍ତା ୬ ଲାଇନ୍ ବିଶିଷ୍ଟ ହେବ। କଟକ-ପାରାଦୀପ ରାସ୍ତା ଓ କପିଳପ୍ରସାଦ-ଜଟଣୀ ରାସ୍ତା ୪ ଲାଇନ୍ ବିଶିଷ୍ଟ ହେବ। ବୈତରଣୀ ନଦୀ ଚାନ୍ଦବାଲି ଠାରେ ବ୍ରିଜ୍ ଓ ବ୍ରାହ୍ମଣୀର ଆନ୍ଦନପୁର ଠାରେ ବ୍ରିଜ୍ ନିର୍ମାଣ ହେବ। ଭୁବେନଶ୍ୱର ଦୟା ୱେଷ୍ଟ କେନାଲ ରାସ୍ତା ମଧ୍ୟ ୬ ଲାଇନ୍ ବିଶିଷ୍ଟ ହେବ।

୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଅବଢ଼ା ଯୋଜନାରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ୨୨୩.୯୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହି ଅର୍ଥରେ ଅବଢ଼ା ଯୋଜନା ଅଧୀନରେ ଥିବା ପରିକ୍ରମା ପ୍ରକଳ୍ପ ସମେତ ଶ୍ରୀ ସେତୁ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ ସ୍ଥଳୀ, ମୂଷା ନଦୀ ଓ ସ୍ମାରକୀ ପୋଖରୀ ପୁନରୁଦ୍ଧାର ସହ ବେଳାଭୂମି ସମ୍ମୁଖ ଭାଗ ବିକାଶ କାମ ସମ୍ପୂର୍ଣ୍ଣ ପାଇଁ ଲକ୍ଷ୍ୟ ରଖାଯାଇଛି।

ସେହିପରି ଐତିହ୍ୟ ଓ ଧାର୍ମିକସ୍ଥଳୀର ଉନ୍ନତିକରଣ ନିମନ୍ତେ ଚଳିତ ଆର୍ଥିକ ବଜେଟରେ ୧୫୮ କୋଟି ଟଙ୍କା ବ୍ୟବସ୍ଥା ହୋଇଛି।

ଚଳିତ ବର୍ଷ ଜୁନ ସୁଦ୍ଧା ସରିବ ବହୁ ପ୍ରତିକ୍ଷିତ କଟକ-ସମ୍ବଲପୁର ଏନ୍‌ଏଚ୍‌ ଗୋଟିଏ ପାର୍ଶ୍ଵ କାମ। ଏନେଇ ଏନ୍‌ଏଚ୍‌ଏଆଇ ପୂର୍ତ୍ତ ବିଭାଗକୁ ପ୍ରତିଶ୍ରୁତି ଦେଇଛି।

ସେହିପରି ରାସ୍ତାଗୁଡ଼ିକର ବାରମ୍ବାର ମରାମତି ଓ ଉନ୍ନତିକରଣ ନାମରେ ରାସ୍ତାଗୁଡ଼ିକୁ ଉଚ୍ଚ କରି ଦିଆଯାଇଛି। ଫଳରେ ରାସ୍ତା ପାର୍ଶ୍ୱରେ ରହିଥିବା ଘରଗୁଡ଼ିକ ରାସ୍ତା ଠାରୁ ତଳକୁ ଚାଲି ଯାଉଛି। ଲୋକେ ଏହା ଯୋଗୁ ଅସୁବିଧା ଭୋଗୁଥିବାରୁ ରାସ୍ତା କାମରେ ବିଭାଗ ଏଣିକି ବ୍ୟବହାର କରିବ ମାଇନିଂ ଟେକ୍ନୋଲୋଜି । ପ୍ରଥମେ ପୁରୁଣା ରାସ୍ତା ଖୋଳି ବାହାର କରିବ ମେସିନ। ଏହାପରେ ନିର୍ମାଣ ହେବ ନୂଆ ରାସ୍ତା । ୨୦୨୩-୨୪ରୁ ଆରମ୍ଭ ହେବ ଏବାବଦ ପାଇଲଟ୍ ପ୍ରକଳ୍ପ।

କେନ୍ଦ୍ରାପଡ଼ା ତିନିମୁହାଣିରେ ନିର୍ମାଣଧିନ ବ୍ରିଜ ଭୁଶୁଡ଼ିବା ଘଟଣାର ତଦନ୍ତ କରିବେ EIC ଓ ଚିଫ ଇଞ୍ଜିନିୟର। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟନୁଷ୍ଠାନ ହେବ।

ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ, ରାଜ୍ୟରେ ଥିବା ରାସ୍ତା ଓ କୋଠାଗୁଡ଼ିକର ନିର୍ମାଣ ମରାମତି ନିମନ୍ତେ ୯ ହଜାର ୧୩୩ କୋଟି ଟଙ୍କା ବଜେଟ ରହିଛି। ରାଜ୍ୟରେ ରାସ୍ତା ଉନ୍ନତିକରଣ ନିମନ୍ତେ ୨୦୨୩-୨୪ରେ ୪୬ ଶହ କୋଟି ଟଙ୍କା ଖର୍ଚ୍ଚ ବଜେଟ ରହିଛି। ଯାହା ଗତବର୍ଷ ୧୮୯୦ କୋଟି ଥିଲା। ୩ ହଜାର କିମି ରାସ୍ତା ଓ ୯ଟି ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍‌ର ଉନ୍ନତିକରଣ ନିମନ୍ତେ ଚଳିତ ବଜେଟରେ ମଂଜୁର ଟଙ୍କା ଖର୍ଚ୍ଚ ହେବ।

୨୦୦୦ ମସିହା ପୂର୍ବରୁ ରାଜ୍ୟରେ ପୂର୍ତ୍ତ ବିଭାଗ ଦ୍ୱାରା ୧୬ ହଜାର ୪୧ କିମି ରାସ୍ତା ନିର୍ମାଣ ଓ ଉନ୍ନତିକରଣ ଦାୟିତ୍ୱ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ୱ ନେବା ପରଠୁ ୩୧ ହଜାର ୩୧୭ କିଲୋମିଟର ରାସ୍ତା ନିର୍ମାଣ କରିଛି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ପୂର୍ତ୍ତ ବିଭାଗ ହାତରେ ରହିଛି। ଏହା ଭିତରେ ପୂର୍ତ୍ତ ବିଭାଗ ଅଧିନରେ ଥିବା ରାସ୍ତା ସମେତ ଜାତୀୟ ଓ ରାଜ୍ୟ ରାଜପଥ ସମେତ ପ୍ରମୁଖ ଜିଲ୍ଲା ରାସ୍ତା ମଧ୍ୟ ରହିଛି। ରାସ୍ତା ନିର୍ମାଣ ନବୀନଙ୍କ ଅମଳରେ ଦୁଇଗୁଣ ହୋଇଛି। ୨୦୦୧ ମସିହାରେ ରାସ୍ତା ନିର୍ମାଣ ବାବଦ ବଜେଟ ୨୯୮ କୋଟି ଥିବା ବେଳେ ୨୦୨୩-୨୪ ବେଳକୁ ୯ ହଜାର ୫୦୦ କୋଟି ଟଙ୍କାରେ ପହଞ୍ଚିଛି। ଯାହା ପ୍ରାୟ ୩୦ଗୁଣ ଅଧିକ।

୨୦୨୨-୨୩ରେ ରାଜ୍ୟରେ ୩୨୨ କୋଟି ୧୪ ଲକ୍ଷ ୪୧ କୋଟି ଟଙ୍କା ବ୍ୟୟରେ ୧୫୬୦ କିଲୋମିଟର ରାସ୍ତା, ୪୮ଟି ସେତୁ, ୩ ଆରଓବି ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ଆର୍ଥିକ ବର୍ଷ ସରିବାକୁ ବସିଥିବା ବେଳେ ଏ ପର୍ଯ୍ୟନ୍ତ ମାତ୍ର ୮୧୮.୦୩ କିମି ରାସ୍ତା, ୨୬ଟି ସେତୁ, ୨ ଆରଓବି କାମ ସରିଛି। ସେହିପରି ନାବାଡ଼ ସହାୟତାରେ ଚଳିତ ଆର୍ଥିକ ବର୍ଷ ସଡ଼କ ବିକାଶ କାର୍ଯ୍ୟକ୍ରମ ଅଧୀନରେ ୨୫୩୩. ୫୦ କୋଟି ଟଙ୍କା ଖର୍ଚ୍ଚରେ ୩୩ ସେତୁ, ୩ ଆରଓବି, ୧୧୪୦ କିମିଟି ରାସ୍ତା କରିବାକୁ ଲକ୍ଷ୍ୟ ଥିଲା। ହେଲେ ମାତ୍ର ୫୦୯ କିମି ରାସ୍ତା, ୧୬ ସେତୁ, ୨ ଆରଓବି କାମ ସରିଛି।

ସେହିପରି ୩୧୪ ବ୍ଲକ ମଧ୍ୟରୁ ୩୦୪ ବ୍ଲକକୁ ଦୋହରା ରାସ୍ତା ହୋଇପାରିଛି। ୨୯ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ୯ ସ୍ଥାନକୁ, ୭୯ ଶିଳ୍ପାଞ୍ଚଳ ମଧ୍ୟରୁ ୩୯ ସ୍ଥାନକୁ ଦୋହରା ରାସ୍ତା ହୋଇପାରିଛି ବୋଲି ମନ୍ତ୍ରୀଙ୍କ ସୂଚନାରୁ ଜଣାପଡ଼ିଛି।

ସୂଚନା ଥାଉକି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ୨ ବର୍ଷ ଭିତରେ ସାରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। ୨୦୨୦ ମସିହାରେ ଏନେଇ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଥିଲା। ହେଲେ ଏହା ଆସନ୍ତା ଆର୍ଥିକବର୍ଷ ବେଳକୁ ସରିବ ବୋଲି ପୁଣି ନୂଆ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

Odisha Budget 2022-23