Advertisment

ବିନୟତୋଷ ମିଶ୍ର ହେଲେ ହୋମଗାର୍ଡ ଓ ଅଗ୍ନିଶମ ଡିଜି, ଆଉ ୨ ଡିଜି ପାହ୍ୟା ଅଫିସରଙ୍କୁ ‘ଓଏସଡି’

ରାଜ୍ୟ ସରକାର ଆଜି ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ସ୍ୱତନ୍ତ୍ର ଡିଜି ପାହ୍ୟାର ୨ଜଣ ବରିଷ୍ଠ ଆଇପିଏସଙ୍କୁ ଗୃହ ବିଭାଗର ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି(ଓଏସଡି) ଭାବେ ବଦଳି କରିଛନ୍ତି ।

author-image
Ordigital Desk
Loka Seva Odisha

Loka Seva Odisha

ରାଜ୍ୟ ସରକାର ଆଜି ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ସ୍ୱତନ୍ତ୍ର ଡିଜି ପାହ୍ୟାର ୨ଜଣ ବରିଷ୍ଠ ଆଇପିଏସଙ୍କୁ ଗୃହ ବିଭାଗର ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି(ଓଏସଡି) ଭାବେ ବଦଳି କରିଛନ୍ତି । ଏହାସହିତ ୧୯୯୩ ବ୍ୟାଚ୍ ଆଇପିଏସ୍ ବିନୟତୋଷ ମିଶ୍ରଙ୍କୁ ହୋମଗାର୍ଡ ଓ ଅଗ୍ନିଶମ ଡିଜି, ସିଭିଲ ଡିଫେନ୍ସ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି । ଶ୍ରୀ ମିଶ୍ର ଏବେ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ଓ ଅତିରିକ୍ତ ଭାବେ ଏହି ନୂଆ ଦାୟିତ୍ୱ ମଧ୍ୟ ତୁଲାଇବେ ।

Advertisment

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୮ ବ୍ୟାଚ୍ ଆଇପିଏସ୍ ତଥା ସ୍ପେଶାଲ ଡିଜି(କମ୍ୟୁନିକେସନ) ଅରୁଣ କୁମାର ରାୟ ଏବଂ ୧୯୮୯ ବ୍ୟାଚ୍ ଆଇପିଏସ୍ ତଥା ସ୍ପେଶାଲ ଡିଜି(ଏଚଆରପିସି) ସିଦ୍ଧାର୍ଥ ମହାଡ଼ୁ ନରୱେଣଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି । ଏହି ଦୁଇ ବରିଷ୍ଠ ଡିଜି ପାହ୍ୟା ଅଫିସରଙ୍କୁ ଅଚାନକ କାହିଁକି ପୁଲିସ ବିଭାଗରୁ ହଟାଇ ଓଏସଡି ଭାବେ ବଦଳି କରାଗଲା ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଥିବାବେଳେ ଏହା ଉଭୟ ଅଫିସରଙ୍କୁ ‘ପନିସମେଂଟ’ ବୋଲି ପାୱାର କରିଡ଼ରରେ ଆଲୋଚନା ହେଉଛି । ପୂର୍ବରୁ ଏଭଳି ପନିସମେଂଟର ଶିକାର ଆଇପିଏସ୍ ଲଳିତ ଦାସ ହୋଇ ସାରିଥିବାବେଳେ ଏବେ ଗତ ୪ମାସ ପୂର୍ବରୁ ତାଙ୍କୁ ଓଡ଼ିଶା ପ୍ରିଣ୍ଟି ଓ ପବ୍ଳିକେସନ୍ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେହିପରି ୨୦୨୦ ସେପ୍ଟେମ୍ବର ମାସରୁ ୧୯୯୫ ବ୍ୟାଚ୍ ଆଇପିଏସ୍ ରୀତୁ ଅରୋରା ଗୃହ ବିଭାଗର ଓଏସଡି ଭାବେ ରହିଛନ୍ତି ।

ଅନ୍ୟପକ୍ଷରେ ୧୯୮୮ ବ୍ୟାଚ୍ ଆଇପିଏସ୍ ତଥା ହୋମଗାର୍ଡ ଓ ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଆସନ୍ତାକାଲି ସରକାରୀ ଚାକିରିରୁ ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ବିନୟତୋଷ ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ମିଶ୍ର ଏବେ ରାଜ୍ୟ କ୍ରାଇମରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ଓ ଅତିରିକ୍ତ ଭାବେ ସେ ଅଗ୍ନିଶମ,ହୋମଗାର୍ଡ ଓ ସିଭିଲ ଡିଫେନ୍ସର ମୁଖ୍ୟ ଭାବେ କାର୍ଯ୍ୟ କରିବେ ।

Advertisment

ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ବରିଷ୍ଠ ଆଇପିଏସ୍ ଅଫିସରମାନଙ୍କୁ ଚାକିରିର ଶେଷଭାଗରେ ‘ଓଏସଡି’ ଭାବେ ବଦଳି କରାଇବା ଭଳି ପରମ୍ପରା ଆଗରୁ ଓଡ଼ିଶାରେ ନଥିଲା । ଏବେ ପୁଲିସ ପ୍ରଶାସନ ଅନ୍ୟ ଜଣେ କନିଷ୍ଠ ପାହ୍ୟାର ଆଇପିଏସ୍ ଅଫିସରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବାରୁ ଏଭଳି ଅଭାବନୀୟ ପରିସ୍ଥିତି ଦେଖାଦେଇଛି । ପୁଲିସ ବିଭାଗର ବରିଷ୍ଠ ଅଫିସରମାନଙ୍କୁ ଓଏସଡି ଭାବେ ବଦଳି କରାଇ ସେମାନଙ୍କର ମନୋବଳକୁ ହ୍ରାସ କରାଯାଉଛି, ଯାହାର ପରୋକ୍ଷ ପ୍ରଭାବ ମଧ୍ୟ ଓଡ଼ିଶା ପୁଲିସ ଫୋର୍ସ ଉପରେ ପଡ଼ୁଛି । ବିଜୟ କୁମାର ଶର୍ମା , ସୁଧାଂଶୁ କୁମାର ଷଡ଼ଙ୍ଗୀ, ଲଳିତ ଦାସଙ୍କ ଭଳି ଅଫିସରମାନେ ଏଭଳି ଲାଂଛନାର ଶିକାର ହୋଇସାରିଛନ୍ତି । ରାଜ୍ୟ ସରକାର ନିଜର ଆଇପିଏସ୍ କ୍ୟାଡ଼ର ମ୍ୟାନେଜମେଂଟ ନୀତିରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଦେଖାଦେଇଛି ବୋଲି ସାଧାରଣରେ ଚର୍ଚ୍ଚା ।

Ips Management Odisha