Advertisment

ଶ୍ରୀମନ୍ଦିରର ଫାଇଲ୍ ମିଳିଲା, ସୁରକ୍ଷିତ ଅଛି : ଆଇନ ବିଭାଗ ଦେଲା ସ୍ପଷ୍ଟୀକରଣ

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସଂକ୍ରାନ୍ତ ୨ଟି ଫାଇଲ୍ ହଜିବା ଘଟଣାରେ ଆଜି ରାଜ୍ୟ ଆଇନ ବିଭାଗ ସ୍ପଷ୍ଟୀକରଣ ଦେଇଛି ।

author-image
Ordigital Desk
Jagannath Temple

Jagannath Temple

 ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସଂକ୍ରାନ୍ତ ୨ଟି ଫାଇଲ୍ ହଜିବା ଘଟଣାରେ ଆଜି ରାଜ୍ୟ ଆଇନ ବିଭାଗ ସ୍ପଷ୍ଟୀକରଣ ଦେଇଛି । ହଜିଥିବା ୨ଟି ଫାଇଲ ମିଳିଯାଇଛି ଓ ଏହା ନମିଳିବା ଉଦ୍ଦେଶ୍ୟ ପ୍ରଣୋଦିତ ନଥିଲା ବୋଲି ବିଭାଗ କହିଛି । ଏହି ଫାଇଲ ହଜିବା ଘଟଣାରେ ଆଜି ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା ।

Advertisment

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସହ ଜଡ଼ିତ ୨ଟି ଫାଇଲ ହଜିଯିବା ଘଟଣାକୁ ନେଇ ଗତ ୪ଦିନ ଧରି ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଆଜି ଆଇନ ବିଭାଗ ପକ୍ଷରୁ ବିଳମ୍ବିତ ରାତ୍ରିରେ ସ୍ପଷ୍ଟୀକରଣ ଜାରି ହୋଇଛି । ଆଇନ ବିଭାଗ କହିଛି ଯେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସମ୍ପର୍କିତ ୨ଟି ପୁରୁଣା ଫାଇଲ ନମିଳିବା ବା ହଜିଯାଇଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ସରକାରଙ୍କ ନଜରକୁ ଆସିଛି । ଏହି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ । ଏହି ୨ଟି ପୁରୁଣା ରୁଟିନ୍ ଫାଇଲ୍ ବହୁ ପୁରୁଣା ହୋଇଥିବା ଯୋଗୁ ଏବଂ ପୁରୁଣା ଫାଇଲରେ ମିଶି ଯାଇଥିବାରୁ ଏହାକୁ ଖୋଜିବା ଅତ୍ୟନ୍ତ କଠିନ ଥିଲା । ଏହି ଉଭୟ ଫାଇଲକୁ ଖୋଜିବା ପାଇଁ ସମସ୍ତ ଉପବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଉଛି ଯେ, ଏହି ଦୁଇଟି ଫାଇଲ ମିଳିଯାଇଛି ଓ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । ଏହା ଏକ ସାଧାରଣ ଫାଇଲ୍ ଥିଲା ଓ ଏହା ନମିଳିବା ଉଦ୍ଦେଶ୍ୟ ପ୍ରଣୋଦିତ ନଥିଲା ବୋଲି ଆଇନ ବିଭାଗ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି ।

ତେବେ ପ୍ରଶ୍ନ ଉଠୁଛି, ଯଦି ଏହା ପୁରୁଣା ଫାଇଲ୍ ସହ ମିଶିଯାଇଥିଲା ଓ ହଜିନଥିଲା ତା’ହେଲେ ସରକାର ପ୍ରତିକ୍ରିୟା ଦେବା ପାଇଁ କାହିଁକି ୪ଦିନ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ । ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପରେ ବି ଚୁପ୍ ଥିବା ସରକାର ଆଜି ବିଜେପି ପକ୍ଷରୁ ଥାନାରେ ଏତାଲା ପରେ ମୁହଁ ଖୋଲିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ସହ ଜଡ଼ିତ ଫାଇଲ ହଜିଯାଇଥିବା ନେଇ ଆଇନ ବିଭାଗର ଉପସଚିବ ଅଂଶୁମାନ ମହାନ୍ତି ନିଜେ ସ୍ୱୀକାର କରିଥିଲେ ।

Advertisment

ସୂଚନାଯୋଗ୍ୟ,ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ କେଉଁଠି ରହିଛି ତାକୁ ପ୍ରାଥମିକତା ଭିତ୍ତିରେ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଓ ଠାବ କରିବାକୁ ଆଇନ ବିଭାଗର ଉପସଚିବ ଅଂଶୁମାନ ମହାନ୍ତି ନିଜ ବିଭାଗ ଅଧୀନସ୍ଥ ସମସ୍ତ ଶାଖାକୁ ଚିଠି ଲେଖି ଅବଗତ କରାଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶର ତୁରନ୍ତ ଅନୁପାଳନ ରିପୋର୍ଟ ଦାଖଲ ନିମନ୍ତେ ଏହି ଦୁଇଟି ଫାଇଲର ଆବଶ୍ୟକତା ରହିଥିବାରୁ ପ୍ରାଥମିକତା ଭିତ୍ତିରେ ତାକୁ ଖୋଜିବାକୁ ସେ ଅନୁରୋଧ କରିଛନ୍ତି । ଜଗନ୍ନାଥ ମନ୍ଦିର ପ୍ରଶାସନ ସେକ୍ସନରେ ଦୁଇଟି ଫାଇଲ ଯଥା- ଜେଟିଏ-୫୫/୨୦୦୬(ପିଟି) ଓ ଜେଟିଏ-୦୬/୨୦୧୪ ଏବେ ମିଳୁନି । ତେଣୁ ବିଭାଗର ସମସ୍ତ ସେକ୍ସନରେ ଏହି ଦୁଇ ଫାଇଲକୁ ଖୋଜିବାକୁ ଓ ଯଦି ନଥିବ ତାହା ଜଣାଇଲେ ପରବର୍ତ୍ତୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମହାନ୍ତି ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ ।

Puri Shreemandir Odisha Government