Smart city smart parking
ଦୁଇ ବର୍ଷ ତଳୁ ବ୍ୟବସ୍ଥା ହେଲାଣି, ସ୍ମାର୍ଟ ସିଟି ଭୁବନେଶ୍ୱର ବାସିନ୍ଦାଙ୍କୁ ସ୍ମାର୍ଟ ପାର୍କିଂ ସୁବିଧା ଯୋଗାଇ ଦେବାକୁ ଦୁଇ ବର୍ଷ ତଳୁ ଇ-ପାର୍କିଂ ବ୍ୟବସ୍ଥାର ଯୋଜନା ହେଲାଣି। ଏଥିପାଇଁ ଜନପଥରେ ବିଭିନ୍ନ ପାର୍କିଂ ପଏଣ୍ଟରେ ଜିପିଏସ୍ ପୋତା ଯାଇଛି। ଏ ବାବଦରେ ଅଢେଇ କୋଟି ଟଙ୍କା ବି ଖର୍ଚ୍ଚ ହୋଇଛି। କିନ୍ତୁ ଏଯାଏଁ ଇ-ପାର୍କିଂ ଆରମ୍ଭ ହୋଇପାରିନାହିଁ। ଏଯାଏଁ ଏହାର ସୁବିଧା ପାଉନାହାନ୍ତି ଜନସାଧାରଣ। ରାଜଧାନୀର ଜନପଥ ରାସ୍ତାରେ ମାଟିତଳେ ପୋତାଯାଇଛି କୋଟି କୋଟି ଟଙ୍କାର ମେସିନ୍, କିନ୍ତୁ ଏପର୍ଯ୍ୟନ୍ତ କାହା କାମରେ ଆସୁନି, କି କେହି ଜାଣି ନାହାନ୍ତି, ସେ ବ୍ୟବସ୍ଥା କଣ ? ହଁ ଆମେ କହୁଛୁ, ୨୦୨୧ରେ ଭୁବନେଶ୍ୱର ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଆରମ୍ଭ କରିଥିବା ଇ-ପାର୍କିଂ ବ୍ୟବସ୍ଥା କଥା।
ଆଗକୁ ରାଜଧାନୀର ଆହୁରି ଅଧିକ ରାସ୍ତାକଡ଼ ପାର୍କିଂ ଲଟରେ ଇ-ପାର୍କିଂ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ଯୋଜନା ହେଉଥିଲେ ବି ପ୍ରକୃତରେ ଏହା କେବେଠୁ ଚାଲୁ ହେବ, ତାକୁ ନେଇ ଉଠିଛି ପ୍ରଶ୍ନ।
ବାଣୀବିହାର ଛକରୁ ଶିଶୁଭବନ ଛକ ଯାଏଁ ପ୍ରାୟ ୮୦୦ ପାର୍କିଂ ଲଟରେ ଲାଗିଛି ଏଇଭଳି ହାଇଟେକ୍ ଜିପିଏସ୍। ଭୂମି ତଳେ ଲାଗିଥିବା ଏସବୁ ମେସିନ୍ ପାଇଁ ପ୍ରାୟ ଅଢେଇ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ବିଡ଼ମ୍ବନାର ବିଷୟ ଏହା ଯେ ଦୁଇବର୍ଷ ତଳୁ ଏ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବି ଏଯାଏଁ ତାହା କାର୍ଯ୍ୟକାରୀ ହୋଇପାରୁନି କିମ୍ବା ଇ ପାର୍କିଂ ବ୍ୟବସ୍ଥା କ’ଣ ତାହା ଏଯାଏଁ ଅଧିକାଂଶ ଲୋକେ ଜାଣି ବି ନାହାନ୍ତି।
ଲୋକଙ୍କ କଥା ଛାଡ଼ନ୍ତୁ ପାର୍କିଂ ଦାୟିତ୍ୱରେ ଥିବା କର୍ମଚାରୀ ରୀତା ପାତ୍ର ଉତ୍ତର ମଧ୍ୟ ସମାନ। ସେ କହିଛନ୍ତି, ଏହା ଆରମ୍ଭ ହେବ ବୋଲି ଶୁଣିଛି। ମାତ୍ର ଏହା କ’ଣ ଜଣାନାହିଁ।
ଇ-ପାର୍କିଂ ବ୍ୟବସ୍ଥା ଦ୍ୱାରା ଜଣେ ଜନପଥର ଯେ କୌଣସି ସ୍ଥାନକୁ ଯିବାକୁ ଚାହିଁବେ, ତା’ ପୂର୍ବରୁ ଭୁବନେଶ୍ୱର ଡଟ୍ ମି ମୋବାଇଲ୍ ଆପ୍ଲିକେସନ୍ ଜରିଆରେ ଆଗୁଆ ପାର୍କିଂ ସ୍ଥାନ ବୁକ୍ କରିପାରିବେ। ଫଳରେ ପରେ ସେ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଗାଡ଼ି ରଖିବାର ସୁବିଧା ପାଇପାରିବେ। ଗାଡ଼ି ରଖିବା ପରେ ପାର୍କିଂ ଲଟରେ ଲାଗିଥିବା ଜିପିଏସ ମେସିନ୍ ଗାଡ଼ିର ତଥ୍ୟ ମୁଖ୍ୟ ସର୍ଭରକୁ ପଠାଇବ। ଫଳରେ ଗାଡ଼ିର ଉପସ୍ଥିତି, ଚୋରି ଏବଂ ଗାଡ଼ି ସମ୍ପର୍କରେ ପୂରା ତଥ୍ୟ ସର୍ଭରରେ ମିଳିପାରିବ।
ଦୁଇ ବର୍ଷ ତଳେ ରାଜଧାନୀର କେବଳ ଜନପଥରେ ହିଁ ଏହି ଇ ପାର୍କିଂ ବ୍ୟବସ୍ଥା କରାଇବାକୁ ପଦକ୍ଷେପ ନେଇଥିଲେ ଭୁବନେଶ୍ୱର ସ୍ମାର୍ଟି ସିଟି ଲିମିଟେଡ୍ କର୍ତ୍ତୃପକ୍ଷ। ତେବେ ଏତେଦିନ ପରେ ଏବ୍ୟବସ୍ଥା ଏଯାଏ କାହିଁକି କାର୍ଯ୍ୟକରୀ ହେଉନି, ତାକୁ ନେଇ ପ୍ରଶ୍ନ ଉଠିଛି।
ସେପଟେ ଖୁବ୍ଶୀଘ୍ର ସର୍ଭର ଅପଗ୍ରେଡ୍ କରାଯାଇ ଜିପିଏସ୍ ସହ କନେକ୍ଟ କରାଯିବ, ଏବଂ ରାଜଧାନୀର ଅନ୍ୟ ଜାଗାରେ ବି ଏଭଳି ସ୍ମାର୍ଟ ପାର୍କିଂ ବ୍ୟବସ୍ଥା ହେବ ବୋଲି କହିଛନ୍ତି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ସିଇଓ ବିଜୟ ଅମୃତା କୁଲାଙ୍ଗେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us