Item Dance
ଭୁବନେଶ୍ୱର ଖଣ୍ଡଗିରିରେ ହେଉଥିବା ଯାତ୍ରା ମହାକୁମ୍ଭରେ ଏଥର ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ । ଆଇଟମ୍ ଡ୍ୟାନ୍ସ ହେବ, ହେଲେ ସେଥିରେ ରହିବନି ଅଶ୍ଳୀଳତା, ନଗ୍ନତା। ଏହା ଉପରେ ରୋକ ଲଗାଇଛନ୍ତି ବିଏମ୍ସି।
ଆସନ୍ତା ଖଣ୍ଡଗିରି ଯାତ୍ରା ପାଇଁ ଜାରି ହୋଇଛି ଏହି ଏସ୍ଓପି । ଅସଭ୍ୟ, ଅଶାଳୀନ ନୃତ୍ୟ ପରିବେଷଣକୁ ନେଇ ଯାତ୍ରା କମିଟିଙ୍କ ପାଇଁ ଏସ୍ଓପି ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ ।
ଖଣ୍ଡଗିରି ମେଳାରେ ହେଉଥିବା ଯାତ୍ରାରେ ଅଶ୍ଲୀଳ ନୃତ୍ୟ ଓ କାର୍ଯ୍ୟକ୍ରମକୁ ନେଇ ପୂର୍ବରୁ ବହୁ ଥର ବିବାଦ ଦେଖାଦେଇଛି । ଏପରିକି ଅଶ୍ଲୀଳ ନୃତ୍ୟକୁ ନେଇ ବହୁ ସଂଗଠନ ବିରୋଧ ବି ପ୍ରଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଏମ୍ସି ପକ୍ଷରୁ ଏହି ଏସ୍ଓପି ଜାରି ହୋଇଛି। ଫଳରେ ଅଶ୍ଳୀଳ ନୃତ୍ୟ ଦ୍ୱାରା ଯେପରି ସାମାଜିକ ଓ ଧାର୍ମିକ ଭାବନା କ୍ଷୂର୍ଣ୍ଣ ନହେବ ତାହା ଉପରେ ବି ଧ୍ୟାନ ଦିଆଯିବ ।
ଏହାକୁ ନେଇ ଯାତ୍ରା କଳାକାର ମହାସଂଘର ପରାମର୍ଶଦାତା ବାପି ପଣ୍ଡା କହିଛନ୍ତି, ଏସ୍ଓପିରେ ଆଇଟମ୍ ନମ୍ବରକୁ ମନା କରାଯାଇନି, ହେଲେ ଅଶ୍ଳୀଳତାକୁ ମନା କରାଯାଇଛି।
ଆଇଟମ୍ ନମ୍ବର ଉଠାଇ ଦେଲେ ଲୋକେ ଆଉ ଯାତ୍ରା ଦେଖିବାକୁ ଆସିବେନି ।
ଯାତ୍ରା କଳାକାର ରାଣୀ ପ୍ରିୟଦର୍ଶୀନିଙ୍କ କହିବାନୁଯାୟୀ, ଆଇଟମ ଡ୍ୟାନ୍ସ ଅଲଗା, ଅଶ୍ଳୀଳ ନୃତ୍ୟ ପରିବେଷଣ ଅଲଗା କଥା। ଆଇଟମ୍ ଡ୍ୟାନ୍ସକୁ ଲୋକ ପସନ୍ଦ କରନ୍ତି । ଖଣ୍ଡଗିରି ପାଇଁ ରୋକ୍ ଲାଗୁଛି, ହକି ଉଦଘାଟନୀରେ କାହିଁକି ରୋକ୍ ନାହିଁ। ଯାତ୍ରାରେ ଆଇଟମ୍ ଡ୍ୟାନ୍ସ ମନା, କିନ୍ତୁ ଦିଶା ପଟନୀଙ୍କ ପାଇଁ ସବୁ ଠିକ୍। ଦିଶାଙ୍କୁ ହଁ ହେଲେ ଆମକୁ ନା । ଏଭଳି କାହିଁକି ପାତରଅନ୍ତର, ନିୟମ କାହିଁକି ଅଲଗା ଅଲଗା ବୋଲି ପ୍ରଶ୍ନ କରିଛନ୍ତି ରାଣୀ। ବହୁ କଳାକାର ଆଇଟମ୍ ନମ୍ବର କରି ନିଜ ପରିବାର ପେଟ ପୋଷୁଛନ୍ତି ବୋଲି କହିଛନ୍ତି ରାଣୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Item_Dance_1674458121.jpg)