Advertisment

ସରକାର ଆରମ୍ଭ କଲେ ‘ମୋ ଘର’ ଯୋଜନା, କେଉଁମାନେ ପାଇବେ ଲାଭ ଜାଣନ୍ତୁ

ଆସନ୍ତା ଜୁନ୍ ୧୬ ତାରିଖରୁ ଆବେଦନ ଗ୍ରହଣ କରାଯିବ।

ଅଦ୍ୟତନ ହୋଇଛି
Lokaeba Bhaban

Lokaeba Bhaban

Advertisment

ରାଜ୍ୟ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା। ଏହାର ନାଁ ‘ମୋ ଘର’। ପ୍ରଚଳିତ ଗୃହ ନିର୍ମାଣ ଯୋଜନାରେ ଘର ପାଇନଥିବା ହିତାଧିକାରୀ ‘ମୋ ଘର’ ଯୋଜନାରେ ଘର କରିପାରିବେ। ଏ ସମ୍ପର୍କିତ ପ୍ରସ୍ତାବକୁ ଆଜି କ୍ୟାବିନେଟ ମଞ୍ଜୁରୀ ମିଳିଛି।

Advertisment

ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ଲେଖାଯାଇଛି- ବଳକା ରହିଥିବା କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏହି ପ୍ରତିଶ୍ରୁତିକୁ ପୂରଣ କରି ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ ନୂତନ ଯୋଜନା ‘ମୋ ଘର’କୁ ଅନୁମୋଦନ କରିଛନ୍ତି।

ଏଥିରେ ଆହୁରି ଲେଖାଯାଇଛି ଯେ ବର୍ତ୍ତମାନର ଗୃହ ନିର୍ମାଣ ଯୋଜନାରେ ଥିବା କଠୋର ଚୟନ ମାନଦଣ୍ଡ ଦ୍ୱାରା ବାଦ୍ ପଡ଼ିଥିବା ପରିବାର କିମ୍ବା ସ୍ୱଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟ ଧାର୍ଯ୍ୟ କାରଣରୁ ବଞ୍ଚିତ ଥିବା ପରିବାର ଏହି ନୂତନ ଯୋଜନାରେ ଉପକୃତ ହୋଇପାରିବେ। ସେହିପରି ବିଗତ ବର୍ଷରେ ସ୍ୱଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ଏହି ଯୋଜନା ମାଧ୍ୟମରେ ନିଜ ଗୃହର ଉନ୍ନତିକରଣ ଅଥବା ସମ୍ପ୍ରସାରଣ କରିପାରିବେ।

Advertisment

କେଉଁମାନେ ଏହି ଯୋଜନାର ଲାଭ ପାଇପାରିବେ?

  • ଯଦି କୌଣସି ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କଠୋରୀ ଥିବା କଂକ୍ରିଟ ଛାତ ଘରେ ବସବାସ କରୁଥାଏ।
  • ଯଦି କୌଣସି ପରିବାର ପୂର୍ବରୁ ସରକାରଙ୍କ ଠାରୁ କୌଣସି ଗୃହ ନିର୍ମାଣ ଯୋଜନା ଅଧୀନରେ ସହାୟତା ପାଇ ନଥିବେ ଅଥବା ୭୦ ହଜାର ଟଙ୍କାରୁ କମ୍ ପରିମାଣର ସହାୟତା ପାଇଥିବେ।
  • ଯେଉଁ ପରିବାରର ମାସିକ ଆୟ ୨୫ ହଜାର ଟଙ୍କାରୁ କମ୍ ଥିବ।
  • ଯେଉଁ ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ଏକ ଅଣବ୍ୟବସାୟିକ ମୋଟରଚାଳିତ ଚାରିଚକିଆ ଯାନ ନଥିବ।
  • ଯେଉଁ ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତ କର୍ମଚାରୀ କିମ୍ବା ପେନସନଭୋଗୀ ହୋଇ ନଥିବେ।
  • ଯେଉଁ ପରିବାର ପାଖରେ ୫ ଏକରରୁ କମ୍ ଜଳସେଚିତ କିମ୍ବା ୧୫ ଏକରରୁ କମ୍ ଅଣଜଳସେଚିତ ଜମି ଥିବ

ଋଣ ଓ ସବସିଡି ବ୍ୟବସ୍ଥା

  • ଏହି ଯୋଜନାରେ ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇବେ। ପ୍ରଥମ ବର୍ଷର ରିହାତି ଅବଧିକୁ ବାଦ୍ ଦେଇ ପରବର୍ତ୍ତୀ ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାକୁ ହେବ। ଏହି ଯୋଜନାରେ ୧ ଲକ୍ଷ, ୧.୫ ଲକ୍ଷ, ୨ ଲକ୍ଷ ଓ ୩ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା ରହିଛି। ଏଥିମଧ୍ୟରୁ ଆବେଦନକାରୀଙ୍କୁ ଗୋଟିଏ ପ୍ରକାରର ଋଣକୁ ବାଛିବାକୁ ହେବ।
  • ଏହି ସବୁ ପ୍ରକାର ଋଣ ପାଇଁ ସବସିଡିର ବ୍ୟବସ୍ଥା କରାଯାଇଛି। ୧ ଲକ୍ଷ ଟଙ୍କା ଋଣରେ ସାଧାରଣ ବର୍ଗଙ୍କୁ ୩୦ ହଜାର ଟଙ୍କା ଏବଂ ଅନୁସୂଚିତ ଜାତି/ଜନଜାତି/ଭିନ୍ନକ୍ଷମଙ୍କୁ ୪୦ ହଜାର ଟଙ୍କା ସବସିଡି ମିଳିବ। ୧.୫ ଲକ୍ଷ ଟଙ୍କା ଋଣରେ ସାଧାରଣ ବର୍ଗଙ୍କୁ ୪୫ ହଜାର ଟଙ୍କା ଏବଂ ଅନୁସୂଚିତ ଜାତି/ଜନଜାତି/ଭିନ୍ନକ୍ଷମଙ୍କୁ ୫୫ ହଜାର ଟଙ୍କାର ସବସିଡି ମିଳିବ। ୨ ଲକ୍ଷ ଟଙ୍କା ଋଣରେ ସାଧାରଣ ବର୍ଗଙ୍କୁ ୬୦ ହଜାର ଏବଂ ଅନୁସୂଚିତ ଜାତି/ଜନଜାତି/ଭିନ୍ନକ୍ଷମଙ୍କୁ ୭୦ ହଜାର, ୩ ଲକ୍ଷ ଟଙ୍କା ଋଣରେ ସାଧାରଣ ବର୍ଗଙ୍କୁ ୬୦ ହଜାର ଏବଂ ଅନୁସୂଚିତ ଜାତି/ଜନଜାତି/ଭିନ୍ନକ୍ଷମଙ୍କୁ ୭୦ ହଜାର ଟଙ୍କା ସବସିଡି ମିଳିବ।
  • ହିତାଧିକାରୀ ଇଚ୍ଛା କଲେ ୧୦ ବର୍ଷ ପୂର୍ବରୁ ମଧ୍ୟ ଋଣ ପରିଶୋଧ କରିପାରିବେ ଓ ମାସିକ କିସ୍ତି ରାଶିର ପରିମାଣ ବୃଦ୍ଧି କରିପାରିବେ। ବ୍ୟାଙ୍କ ହିତାଧିକାରୀଙ୍କ ଠାରୁ ପ୍ରାକ ଋଣ ପରିଶୋଧ ବାବଦ କୌଣସି ଜୋରିମାନା ଅର୍ଥ ଆଦାୟ କରିପାରିବ ନାହିଁ।

ଆଉ କିଛି ଜାଣିବା କଥା

  • ଆବେଦନକାରୀ ଋଣ ପରିମାଣର ଅନ୍ତତଃ ୧୦% ଅର୍ଥ ରାଶି ମାର୍ଜିନ ଅର୍ଥ ହିସାବରେ ବିନିଯୋଗ କରିବେ। ଏହି ସର୍ବନିମ୍ନ ଅର୍ଥକୁ ଆବେଦନକାରୀ ଶ୍ରମଦାନ, ଗୃହ ନିର୍ମାଣ ସାମଗ୍ରୀ କ୍ରୟ କିମ୍ବା ଅର୍ଥ ଆକାରରେ ବିନିଯୋଗ କରିପାରିବେ।
  • ଗୃହ ନିର୍ମାଣ କରାଯାଉଥିବା ଜମି ସତ୍ତ୍ୱ ସଠିକ ଥାଇ ସ୍ଥିତିବାନ ବର୍ଗର ଓ ଘରବାରୀ କିସମର ହୋଇଥିବା ଆବଶ୍ୟକ। ଏହି ଜମିକୁ ଆବେଦନକାରୀ ସବ୍ ରେଜିଷ୍ଟ୍ରାର ଅଫିସରେ ଋଣ ପରିଶୋଧ ପର୍ଯ୍ୟନ୍ତ ବନ୍ଧକ ସୂତ୍ରରେ ପଞ୍ଜିକରଣ କରିବାକୁ ହେବ।
  • ହିତାଧିକାରୀଙ୍କ ଆର୍ଥିକ ବୋଝକୁ ହ୍ରାସ କରିବାକୁ ରାଜ୍ୟ ସରକାର ବନ୍ଧକ ସମୟରେ ଆବଶ୍ୟକ ପଞ୍ଜିକରଣ ଶୁଳ୍କ ଓ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରିଛନ୍ତି। ସେହିପରି ଋଣ ନିମନ୍ତେ ସବ୍ ରେଜିଷ୍ଟ୍ରାର ଅଫିସରୁ ଆବଶ୍ୟକୀୟ ଦସ୍ତାବିଜର ପ୍ରମାଣୀକୃତ ନକଲ, ଇସି ଇତ୍ୟାଦି ପାଇବା ପାଇଁ ଆବଶ୍ୟକ ଦେୟକୁ ମଧ୍ୟ ସରକାର ଛାଡ଼ କରିଛନ୍ତି।
  • ଗୃହ ନିର୍ମାଣ ସ୍ତର ଅନୁସାରେ ଋଣ ରାଶି ୨/୩ ପର୍ଯ୍ୟାୟରେ ପ୍ରଦାନ କରାଯିବ। 

କେମିତି କରିବେ ଆବେଦନ

  • ଏହି ଯୋଜନାରେ ଆବେଦନ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ୱେବସାଇଟ https://rhodisha.gov.in/moghara କାର୍ଯ୍ୟକ୍ଷମ କରିବେ। ଏହି ୱେବସାଇଟ ମାଧ୍ୟମରେ ଋଣ ଆବେଦନ ତଦାରଖ ଓ ପରିଚାଳନା କରାଯାଇପାରିବ।
  • ଋଣ ପାଇବା ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ଆବେଦନ କରିବା ପୂର୍ବରୁ ଏହି ୱେବସାଇଟରେ ପ୍ରଥମେ ପଞ୍ଜିକରଣ କରିବାକୁ ପଡ଼ିବ ଯାହା ଓଟିପି ମାଧ୍ୟମରେ ବୈଧ ହେବ।
  • ଆସନ୍ତା ଜୁନ୍ ୧୬ ତାରିଖରୁ ଆବେଦନ ଗ୍ରହଣ କରାଯିବ।
  • ଆବେଦନକାରୀ ନିଜେ କିମ୍ବା ‘ମୋ ସେବା କେନ୍ଦ୍ର’ ମାଧ୍ୟମରେ ଆବେଦନ ଦରଖାସ୍ତ ପୂରଣ କରିପାରିବେ।
  • ଆବେଦନପତ୍ର ଦାଖଲ ସମୟରେ ଆବେଦନକାରୀଙ୍କୁ ପାସ୍‌ପୋର୍ଟ ଆକାରର ଫଟୋ, ଆଧାର କାର୍ଡ, କେୱାଇସି ଡକ୍ୟୁମେଣ୍ଟ ( ଭୋଟର ଆଇଡି, ପାନ୍ କାର୍ଡ, ଜବ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ), ଜମି ରେକର୍ଡ, ଜାତି ପ୍ରମାଣପତ୍ର, ଭିନ୍ନକ୍ଷମ ପ୍ରମାଣପତ୍ର, ଆୟ, ପ୍ରମାଣପତ୍ର ଇତ୍ୟାଦି କାଗଜପତ୍ର ସଂଲଗ୍ନ କରିବାକୁ ପଡ଼ିବ।
Lokaseva Bhaban Mo Ghara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe