Advertisment

ଆଲୋଚନାଚକ୍ରକୁ ନେଇ ବାଣୀବିହାରରେ ଜେଏନୟୁ ତାତି, ଆନ୍ଦୋଳନକୁ ଓହ୍ଲାଇଲା ଏବିଭିପି

ପିଜି କାଉନସିଲ୍ ହଲରେ ସେମିନାର ବେଳେ ଜେଏନୟୁ ପ୍ରଫେସର ଦେଶ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଛାତ୍ର ମାନଙ୍କ ଗଣ୍ଡଗୋଳ ଘଟଣା ତୀବ୍ର ରୂପ ଧାରଣ କରିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
student strike

student strike

ଆଜି ବାଣୀବିହାରରେ ଦେଖିବାକୁ ମିଳିଛି ଜେଏନୟୁ ତାତି। ପିଜି କାଉନସିଲ୍ ହଲରେ ସେମିନାର ବେଳେ ଜେଏନୟୁ ପ୍ରଫେସର ଦେଶ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଛାତ୍ର ମାନଙ୍କ ଗଣ୍ଡଗୋଳ ଘଟଣା ତୀବ୍ର ରୂପ ଧାରଣ କରିଛି। ସହିଦ୍ ନଗର ଥାନାରେ ଉଭୟ ଛାତ୍ର ଓ ସିଟିଜେନସ ଫୋରମ୍ ପକ୍ଷରୁ ଏତଲା ହୋଇଛି। ସେପଟେ ସନ୍ଧ୍ୟାରେ ଏବିଭିପି ସଦସ୍ୟ ଓ ବାଣୀବିହାର ଛାତ୍ରମାନେ ବାଣୀବିହାର ଫାଟକ ଆଗରେ ବିକ୍ଷୋଭ କରି ଦେଶ ବିରୋଧୀ ମନ୍ତବ୍ୟ ଦେଇଥିବା ବ୍ୟକ୍ତିମାନଙ୍କ ଗିରଫ ଦାବି କରିଛନ୍ତି।

Advertisment

ସୂଚନାରୁ ଜଣାପଡ଼ିଛି, ଭାରତୀୟ ସମ୍ବିଧାନ ଓ ଜାତୀୟ ଶିକ୍ଷାନୀତି ପ୍ରସଙ୍ଗରେ ସିଟିଜେନ୍ସ ଫୋରମ୍ ପକ୍ଷରୁ ଆଜି ଆୟୋଜିତ ହୋଇଥିଲା ଏକ ରାଜ୍ୟସ୍ତରୀୟ ସେମିନାର। ଯେଉଁଥିରେ ଦିଲ୍ଲୀ ଜେଏନୟୁର ପ୍ରଫେସର ସୁରଜିତ୍ ମଜୁମଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତେବେ ସୁରଜିତ୍ ମଜୁମଦାର ଭାରତୀୟ ସମ୍ବିଧାନ ପ୍ରସଙ୍ଗରେ ବକ୍ତବ୍ୟ ରଖିବା ବେଳେ ତାଙ୍କ ମନ୍ତବ୍ୟକୁ ବିରୋଧ କରିଥିଲେ କିଛି ପୂର୍ବତନ ଛାତ୍ର। ସମ୍ପୃକ୍ତ ଜେଏନୟୁ ପ୍ରଫେସର ଦେଶ ବିରୋଧୀ ଏବଂ ଜାତିଆଣ ମନ୍ତବ୍ୟ ଦେଉଥିବା ଅଭିଯୋଗ କରି ବିରୋଧ କରିଥିଲେ ଏହି ପୂର୍ବତନ ଛାତ୍ରମାନେ। ଏହାକୁ ସିଟିଜେନ୍ସ ଫୋରମ୍ ପକ୍ଷରୁ ପ୍ରତିବିରୋଧ କରାଯିବାରୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଶେଷରେ ସେମିନାରକୁ ବନ୍ଦ ରଖାଯାଇଥିଲା।

ଜେଏନୟୁର ପ୍ରଫେସର ସୁରଜିତ୍ ମଜୁମଦାର କହିଛନ୍ତି, ସମ୍ବିଧାନର ବିପରୀତ ଭିତ୍ତିକ କୌଣସି ଅଲୋଚନା ହେଉ ନ ଥିଲା। ମାତ୍ର ଏହାକୁ ଏଭଳି ପ୍ରକାରରେ ରୋକିବାକୁ ଚେଷ୍ଟା କରିଯିବା ସମ୍ବିଧାନ ବିରୋଧୀ। ଏଠାରେ କିଛି ଭୁଲ କାମ ହେଉ ନ ଥିଲା। ଯଦି ଅଲୋଚନା ଠିକ୍‌ ହେଉ ନ ଥିଲା ତେବେ ଯୁକ୍ତି କରାଯାଇପାରିଥାନ୍ତା। ସିଟିଜେନସ ଫୋରମ୍ ଆବାହକ ପ୍ରଦୀପ୍ତ ନାୟକ କହିଛନ୍ତି, ଯେଉଁ ଅଣଛାତ୍ରମାନେ ଏଭଳି କାଣ୍ଡ ଘଟାଇଛନ୍ତି ସେମାନଙ୍କୁ ଗିରଫ କରାଯାଉ। ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ସୁରେନ୍ଦ୍ର ଜେନା କହିଛନ୍ତି, ବିରୋଧୀ କରିଥିବା ବ୍ୟକ୍ତିମାନେ ଆରଏସ୍‌ଏସ୍, ବିଜେପି, ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦ ଓ ଏବିଭିପିର ସଦସ୍ୟ। ଛାତ୍ରମାନେ ଏପରି ବ୍ୟବହାର କରନ୍ତିନି। ତେଣୁ ବିଶୃଙ୍ଖଳା କରିଥିବା ଏହି ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

Advertisment

ଅନ୍ୟପଟେ ବାଣୀବିହାରରେ ଦେଶ ବିରୋଧୀ ମନ୍ତବ୍ୟ ଦେଉଥିବା ଅଭିଯୋଗ କରି ସହିଦ୍ ନଗର ଥାନାରେ ଛାତ୍ରମାନଙ୍କ ପକ୍ଷରୁ ଏତଲା ଦିଆଯାଇଛି।ଦେଶ ବିରୋଧରେ ମନ୍ତବ୍ୟ ଦେଉଥିବା ପ୍ରଫେସରଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଅଡ଼ି ବସିଛନ୍ତି ଛାତ୍ର ନେତା। ଏନେଇ ଛାତ୍ର ନେତାମାନେ ଏହି ଦାବି ନେଇ ବାଣୀବିହାର ମୁଖ୍ୟ ଫାଟକ ଆଗରେ ପ୍ରତିବାଦ କରିଛନ୍ତି।

ସେପଟେ କିଛି ଛାତ୍ର ଓ ଅଣଛାତ୍ରଙ୍କ ବିରୋଧରେ ସିଟିଜେନସ ଫୋରମ୍ ପକ୍ଷରୁ ପାଲଟା ଏତଲା ଦିଆଯାଇଛି। ସିଟିଜେନସ ଫୋରମ ଆବାହକ ପ୍ରଦୀପ୍ତ ନାୟକ ଏବଂ ଅଧ୍ୟାପକ ସୁରେନ୍ଦ୍ର ଜେନାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ଓ ଶାରୀରିକ ଭାବେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ଏନେଇ ବାଣୀବିହାର ପୂର୍ବତନ ଛାତ୍ର ମାନସ ସାହୁ କହିଛନ୍ତି, ମଞ୍ଚରେ ଆଲୋଚନା କରୁଥିବା ବ୍ୟକ୍ତିମାନେ ବହୁତ ପ୍ରକାର ଭାରତ ବିରୋଧରେ ମତ ରଖିଥିଲେ। ଭାରତର ସମ୍ବିଧାନ ବିପଦରେ ଅଛି, ଉପର ଜାତିର ଲୋକେ ସରକାର ଚଳାଉଛନ୍ତି, ଆମେ ସମସ୍ତେ ତାଙ୍କୁ ବିରୋଧ କରିବା ଦରକାର, ସାରା ଭାରତ ବର୍ଷରେ ଜାତିବାଦ ଚାଲିଛି ଏଭଳି ବହୁ ପ୍ରକାର ମତ ରଖିବାରୁ ଏହାକୁ ବିରୋଧ କରାଯାଇଥିଲା।

ବାଣୀବିହାର ଛାତ୍ର ସୁବ୍ରତ କୁମାର ବିଶ୍ୱାଳ କହିଛନ୍ତି, ରବିବାରରେ କାହିଁକି ଏଭଳି ଆଲୋଚନା ବୈଠକ ରଖାଯାଉଥିଲା ତାହା ପ୍ରଶ୍ନବାଚୀ। ପିଜି କାଉସିଲ ଅଧ୍ୟକ୍ଷଙ୍କୁ ପଚାରିବାରୁ ତାଙ୍କ ପାଖରେ କିଛି ତଥ୍ୟ ନାହିଁ ବୋଲି କହିଥିଲେ। ଏନେଇ ଆସନ୍ତାକାଲି ଭିସିଙ୍କ ନିକଟରେ ଲିଖିତ ଅଭିଯୋଗ କରାଯିବ ବୋଲି ସୁବ୍ରତ କହିଛନ୍ତି।

ତେବେ ଏନେଇ ବାଣୀବିହାର କର୍ତ୍ତୃପକ୍ଷ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନି।

Strike