Advertisment

ଭୁବନେଶ୍ୱର ଏମ୍‌ସରେ ଆରମ୍ଭ ହେବ ଟିଚିଙ୍ଗ୍‌ ଓ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌ କାର୍ଯ୍ୟକ୍ରମ

ନୂତନ ଭାବେ ଏହି ମର୍ଯ୍ୟାଦାଜନକ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଅଧ୍ୟକ୍ଷ ଭାବେ ମନୋନୀତ ହେବା ପରେ ଏମ୍‌ସକୁ ପ୍ରଥମ ଗସ୍ତରେ ଆସି ଏପରି କହିଛନ୍ତି ଡାକ୍ତର ବିଶୋଇ।

author-image
Hemant Lenka
AIIMS Bhubaneswar

AIIMS Bhubaneswar

ଏମ୍‌ସ ଭୁବନେଶ୍ୱରରେ ଏମ୍‌ବିବିଏସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା ଓ ନବସୃଜନ ଦିଗରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହିତ ସକ୍ରିୟ ଭାଗିଦାରୀତା ତଥା ସହଯୋଗ ନିମନ୍ତେ ଟିଚିଙ୍ଗ୍‌ ଆସିଷ୍ଟାଣ୍ଟ୍‌ (ଟିଏ) ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌ (ଆର୍‌ଏ) କାର୍ଯ୍ୟକ୍ରମ ଆରମ୍ଭ ହେବ। ଏମ୍‌ସରେ ଅଧ୍ୟୟନ କରୁଥିବା ସିନିୟର୍‌ ମେଧାବୀ ଛାତ୍ରଛାତ୍ରୀ ସେମାନଙ୍କର ଜୁନିୟର୍‌ ଛାତ୍ରଛାତ୍ରୀଙ୍କର ଟିଏ ଓ ଆର୍‌ଏ ଭାବେ ଦାୟିତ୍ୱ ନିର୍ବାହ କରିବେ। ଏଥିସହିତ ସେମାନେ ଜୁନିୟର ଛାତ୍ରଛାତ୍ରୀଙ୍କୁ ଉଭୟ ପାଠପଢ଼ା ତଥା ଗବେଷଣାରେ ସହଯୋଗ କରିବେ ବୋଲି ଏମ୍‌ସ ଭୁବନେଶ୍ୱରର ନୂତନ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଏକେ ବିଶୋଇ ସୂଚନା ଦେଇଛନ୍ତି।

Advertisment

ନୂତନ ଭାବେ ଏହି ମର୍ଯ୍ୟାଦାଜନକ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଅଧ୍ୟକ୍ଷ ଭାବେ ମନୋନୀତ ହେବା ପରେ ଏମ୍‌ସକୁ ପ୍ରଥମ ଗସ୍ତରେ ଆସି ଏପରି କହିଛନ୍ତି ଡାକ୍ତର ବିଶୋଇ। ଏହି କାର୍ଯ୍ୟକ୍ରମ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଆଧୁନିକ ଚିକିତ୍ସା ବିଜ୍ଞାନରୁ ଅଧିକ ଶିକ୍ଷାଲାଭ ଓ ନୂତନ ଅନୁସନ୍ଧାନ କ୍ଷେତ୍ରରେ ସେମାନଙ୍କର ପାରଦର୍ଶିତାକୁ ବୃଦ୍ଧି କରିବାରେ ବିଶେଷ ସହାୟକ ହେବ ବୋଲି ସେ ଆଶା ରଖିଛନ୍ତି। 

ତିନି ଦଶନ୍ଧିର ବୃତ୍ତିଗତ ଉତ୍କର୍ଷତା ସହିତ ସମଗ୍ର ଦେଶରେ ସୁପରିଚିତ ସଫଳ କାର୍ଡିଆକ୍ ସର୍ଜନ ଡାକ୍ତର ଅକ୍ଷୟ କୁମାର ବିଶୋଇଙ୍କୁ ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାଦ ସ୍ୱାଗତ କରିଥିଲେ। 

Advertisment

ଏହି ଗସ୍ତ ଅବସରରେ ଡାକ୍ତର ବିଶୋଇ ଓପିଡିରେ ବୁଲି ରୋଗୀମାନଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ, ଛାତ୍ରଛାତ୍ରୀ ଓ ଏମ୍‌ସର କର୍ମଚାରୀଙ୍କ ସହିତ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ।  

ଏମ୍‌ସରେ ସ୍ୱାସ୍ଥ୍ୟସେବା ପ୍ରଦାନ ବ୍ୟବସ୍ଥାକୁ ଆହୁରି ଅଧିକ କ୍ରିୟାଶୀଳ କରିବା ନିମନ୍ତେ ବିଭିନ୍ନ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ସୃଷ୍ଟି ସହିତ ଉଭୟ ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ସଂପୃକ୍ତ ହେବା ନେଇ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ଡାକ୍ତର ବିଶୋଇ। 

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ଏମ୍‌ସ ଭୁବନେଶ୍ୱରର ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିବା ସହିତ ଡାକ୍ତର ବିଶୋଇଙ୍କ ଅନୁଭବ ଏବଂ ପାରଦର୍ଶିତା ସହଯୋଗରେ ଏହି ଅନୁଷ୍ଠାନ ଗବେଷଣା ଏବଂ ଶିକ୍ଷା କ୍ଷେତ୍ରରେ ଆହୁରି ଅଧିକ ସଫଳତା ହାସଲ କରିବବୋଲି ଆଶା ପ୍ରକଟ କରିଛନ୍ତି।

ଏହି ପରିଦର୍ଶନ ସମୟରେ ଏମ୍‌ସ ମେଡିକାଲ୍‌ ଅଧୀକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପରିଡ଼ା, କୁଳସଚିବ ବି ବି ମିଶ୍ରଙ୍କ ସମେତ ବରିଷ୍ଠ ଅଧ୍ୟାପକ/ଅଧ୍ୟାପିକା ତଥା ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

AIIMS Bhubaneswar Aiims