Advertisment

ବିଜୁଙ୍କ ନାଁରେ ଯୁବବର୍ଗଙ୍କୁ ଠକିଲେ ସରକାର, ଏବେ ମହିଳାଙ୍କୁ ଦେଖାଉଛନ୍ତି ଉଦ୍ୟୋଗୀ ସ୍ୱପ୍ନ

ରାଜ୍ୟର ଯୁବବର୍ଗଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଇ କ୍ଷୁଦ୍ର ଉଦ୍ୟୋଗୀ କରିବା ନିମନ୍ତେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ନାଁରେ ୨୦୧୫-୧୬ ମସିହାରେ ଆରମ୍ଭ କରିଥିବା ‘ବିଜୁ ଆତ୍ମନିଯୁକ୍ତି ଯୋଜନା’କୁ ରାଜ୍ୟ ସରକାର ବନ୍ଦ କରିଦେଇଛନ୍ତି ।

author-image
Ordigital Desk
Naveen Patnaik

Naveen Patnaik

ରାଜ୍ୟର ଯୁବବର୍ଗଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଇ କ୍ଷୁଦ୍ର ଉଦ୍ୟୋଗୀ କରିବା ନିମନ୍ତେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ନାଁରେ ୨୦୧୫-୧୬ ମସିହାରେ ଆରମ୍ଭ କରିଥିବା ‘ବିଜୁ ଆତ୍ମନିଯୁକ୍ତି ଯୋଜନା’କୁ ରାଜ୍ୟ ସରକାର ବନ୍ଦ କରିଦେଇଛନ୍ତି । ଏହି ଯୋଜନାରେ ୧୮ରୁ ୪୦ବର୍ଷ ବୟସର ଯୁବକଯୁବତୀଙ୍କୁ ୨ରୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରି ସେମାନଙ୍କୁ ଉଦ୍ୟୋଗୀ କରିବା ସହ ଆତ୍ମନିର୍ଭରଶୀଳ ପାଇଁ ଲକ୍ଷ୍ୟ ରଖିଥିଲେ । କିନ୍ତୁ ଏହି ଯୋଜନାରେ ମାତ୍ର ୧୦କୋଟି ଟଙ୍କା ଖର୍ଚ୍ଚ କରିବା ପରେ ଏହାକୁ ବନ୍ଦ କରିଦେଇଛନ୍ତି । ରାଜ୍ୟରେ ୧୮ରୁ ୩୫ବର୍ଷ ବୟସର ପ୍ରାୟ ଦେଢ଼ କୋଟିରୁ ଅଧିକ ଜନସଂଖ୍ୟା ବା ୪୨ ପ୍ରତିଶତ ଲୋକ ଥିବାବେଳେ ସେମାନଙ୍କୁ ‘ବିଜୁ ଆତ୍ମନିଯୁକ୍ତି ଯୋଜନା’ର ସ୍ୱପ୍ନ ଦେଖାଇ ଠକିଥିବା ରାଜ୍ୟ ସରକାର ଏବେ ମିଶନଶକ୍ତି ମହିଳାମାନଙ୍କୁ ଉଦ୍ୟୋଗୀ କରିବାର ସ୍ୱପ୍ନ ଦେଖାଉଥିବା ଜଣାପଡ଼ିଛି ।

Advertisment

ରାଜ୍ୟ ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ବିଜୁ ଆତ୍ମନିଯୁକ୍ତି ଯୋଜନା କାର୍ଯ୍ୟକାରୀ ହୋଇନାହିଁ । ୨୦୧୫-୧୬ ମସିହାରେ ଏହି ଯୋଜନା ପାଇଁ ବ୍ୟୟବରାଦ କରାଯାଇଥିଲା । ପରବର୍ତ୍ତୀ ସମୟରେ ସରକାରଙ୍କ ନିର୍ଦ୍ଦେଶରେ ଏହି ଅର୍ଥ ଉଦ୍ୟୋଗୀଙ୍କ ସହାୟତା ପାଇଁ ବ୍ୟୟ କରାଯାଇଥିଲା । ଏମଏସଏମଇ ୟୁନିଟ୍ ପାଇଁ ଭ୍ୟାଟ୍ ସବସିଡି  ବାବଦରେ ୬.୮୨କୋଟି ଟଙ୍କା, କ୍ଷୁଦ୍ର ଉଦ୍ୟୋଗୀଙ୍କୁ ୧.୩୬କୋଟି ଟଙ୍କା ସବସିଡି, ଜିଲ୍ଲାସ୍ତରରେ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଓ ଉଦ୍ୟୋଗୀ ସପ୍ତାହ ପାଳନ ପାଇଁ ୨୪ଲକ୍ଷ ଟଙ୍କା, ରୋଡ୍ ଶୋ’ ପାଇଁ ୧୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା  ବିଧାୟକ ନାଉରୀ ନାୟକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଦେବ କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଶିକ୍ଷିତ ବେକାର ଯୁବକଯୁବତୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ବିଜୁବାବୁଙ୍କ ନାଁରେ ଆରମ୍ଭ ହୋଇଥିବା ‘ବିଜୁ ଆତ୍ମନିଯୁକ୍ତି ଯୋଜନା’କୁ ସରକାର କାହିଁକି ବନ୍ଦ କଲେ । ଏହି ଯୋଜନାରେ ୧୮ରୁ ୪୦ବର୍ଷ ବୟସର ଯୁବବର୍ଗଙ୍କୁ ନିଜସ୍ୱ କ୍ଷୁଦ୍ର ଉଦ୍ୟୋଗ ପାଇଁ ଆର୍ଥିକ ସବସିଡି ଦେବାର ବ୍ୟବସ୍ଥା ରହିଥିଲା । ଏହା ଦ୍ୱାରା ରାଜ୍ୟର ବହୁ ଯୁବବର୍ଗ ଉପକୃତ ହେବା ସହ କ୍ଷୁଦ୍ର ଉଦ୍ୟୋଗୀ ହେବାକୁ ପ୍ରୋତ୍ସାହିତ ହୋଇଥାନ୍ତେ । କିନ୍ତୁ ରାଜ୍ୟ ସରକାର ଚୁପଚାପ ଏହି ଯୋଜନାକୁ ବନ୍ଦ କରିଦେଇଛନ୍ତି ।

Advertisment

ଏପଟେ ମିଶନ ଶକ୍ତି ମହିଳାମାନଙ୍କୁ ଉଦ୍ୟୋଗୀ କରିବାର ସ୍ୱପ୍ନ ଦେଖାଇଛନ୍ତି । ବ୍ୟାଙ୍କରୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ଦେଇ ସେମାନଙ୍କୁ ଉଦ୍ୟୋଗୀ କରିବାର ସ୍ୱପ୍ନ ଦେଖାଇଥିଲେ ମଧ୍ୟ ପ୍ରାୟ ଦେଢ଼ କୋଟି ଯୁବବର୍ଗଙ୍କୁ କାହିଁକି ହତାଶ କଲେ ଓ ବିଜୁବାବୁଙ୍କ ନାଁରେ ଏହି ଆତ୍ମନିଯୁକ୍ତି ଯୋଜନା ଆରମ୍ଭ ଓ ବନ୍ଦ କରିବା ପଛରେ କ’ଣ କାରଣ ରହିଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

Cmo Of Odisha Bjd Politics Shg Politics