Advertisment

ରତ୍ନଭଣ୍ଡାର ଚାବି ହଜିଥିଲା, ଏବେ ଶ୍ରୀମନ୍ଦିରର ୨ଟି ଫାଇଲ ହଜିଗଲା

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ଚର୍ତୁପାଶ୍ୱର୍ରେ ଭଙ୍ଗାଗଢ଼ା କରି ସୌନ୍ଦର୍ଯ୍ୟକରଣ ମାଧ୍ୟମରେ ବିଶ୍ୱସ୍ତରୀୟ ଐତିହ୍ୟ ସ୍ଥଳୀ କରିବାର ପ୍ରଚାରରେ ମସଗୁଲ ରାଜ୍ୟ ସରକାରଙ୍କ ପରିଚାଳନାଗତ ତ୍ରୁଟି ଏବେ ପଦାରେ ପଡ଼ିଛି ।

Shree Jagannatha Temple

Shree Jagannatha Temple

Advertisment

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ଚର୍ତୁପାଶ୍ୱର୍ରେ ଭଙ୍ଗାଗଢ଼ା କରି ସୌନ୍ଦର୍ଯ୍ୟକରଣ ମାଧ୍ୟମରେ ବିଶ୍ୱସ୍ତରୀୟ ଐତିହ୍ୟ ସ୍ଥଳୀ କରିବାର ପ୍ରଚାରରେ ମସଗୁଲ ରାଜ୍ୟ ସରକାରଙ୍କ ପରିଚାଳନାଗତ ତ୍ରୁଟି ଏବେ ପଦାରେ ପଡ଼ିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବିକୁ ହଜାଇ ଦେଇଥିବା ରାଜ୍ୟ ପ୍ରଶାସନ ଏବେ ଶ୍ରୀମନ୍ଦିରର ୨ଟି ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ହଜାଇ ଦେଇଛନ୍ତି । ଜଗନ୍ନାଥ ମନ୍ଦିର ପ୍ରଶାସନର ଉକ୍ତ ଦୁଇଟି ଫାଇଲକୁ ଖୋଜିବା ପାଇଁ ଆଇନ ବିଭାଗର ଉପସଚିବ ବିଭାଗୀୟ ସମସ୍ତ ଶାଖାକୁ ଚିଠି ଲେଖାଯିବା ପରେ ଏହି ସଙ୍ଗୀନ ତଥ୍ୟ ପଦାକୁ ଆସିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ଏବେ ଆଇନ ବିଭାଗରେ ହଜିଯାଇଛି । ଉକ୍ତ ଦୁଇଟି ଫାଇଲ କେଉଁଠି ରହିଛି ତାକୁ ପ୍ରାଥମିକତା ଭିତ୍ତିରେ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଓ ଠାବ କରିବାକୁ ଆଇନ ବିଭାଗର ଉପସଚିବ ଅଂଶୁମାନ ମହାନ୍ତି ନିଜ ବିଭାଗ ଅଧୀନସ୍ଥ ସମସ୍ତ ଶାଖାକୁ ଚିଠି ଲେଖି ଅବଗତ କରାଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶର ତୁରନ୍ତ ଅନୁପାଳନ ରିପୋର୍ଟ ଦାଖଲ ନିମନ୍ତେ ଏହି ଦୁଇଟି ଫାଇଲର ଆବଶ୍ୟକତା ରହିଥିବାରୁ ପ୍ରାଥମିକତା ଭିତ୍ତିରେ ତାକୁ ଖୋଜିବାକୁ ସେ ଅନୁରୋଧ କରିଛନ୍ତି । ଜଗନ୍ନାଥ ମନ୍ଦିର ପ୍ରଶାସନ ସେକ୍ସନରେ ଦୁଇଟି ଫାଇଲ ଯଥା- ଜେଟିଏ-୫୫/୨୦୦୬(ପିଟି) ଓ ଜେଟିଏ-୦୬/୨୦୧୪ ଏବେ ମିଳୁନି । ତେଣୁ ବିଭାଗର ସମସ୍ତ ସେକ୍ସନରେ ଏହି ଦୁଇ ଫାଇଲକୁ ଖୋଜିବାକୁ ଓ ଯଦି ନଥିବ ତାହା ଜଣାଇଲେ ପରବର୍ତ୍ତୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମହାନ୍ତି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

ଅନ୍ୟପକ୍ଷରେ ଏହି ଚିଠି ଲେଖିଥିବା ଆଇନ ବିଭାଗର ଉପସଚିବ ଶ୍ରୀ ମହାନ୍ତି ‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ପରିଚାଳନା କମିଟି ସହ ଜଡ଼ିତ ୨ଟି ପୁରୁଣା ଫାଇଲ ସମ୍ପର୍କରେ ତଥ୍ୟ ମଗାଯାଇଛି । ଶ୍ରୀମନ୍ଦିର ପରିଚାଳନା ସହ ଜଡ଼ିତ ୨୦୦୬ ଓ ୨୦୧୪ ମସିହାର ଦୁଇଟି ହାତଲେଖା ଫାଇଲ ଏବେ ସେକ୍ସନରେ ମିଳୁନି । ହାଇକୋର୍ଟ ୪ଟି ଫାଇଲ ସମ୍ପର୍କରେ ତଥ୍ୟ ମାଗିଛନ୍ତି । ଆମ ପାଖରେ ୨୦୧୮ ଓ ୨୦୨୧ ମସିହାର ଫାଇଲ ରହିଛି । ଏବେ ଫାଇଲଗୁଡ଼ିକ ଅନଲାଇନରେ ହେଉଥିବାରୁ ତାହା ରହିଛି । ବିଭାଗର ପୁରୁଣା କର୍ମଚାରୀମାନେ କିଏ କେଉଁଠି ଏହି ଫାଇଲକୁ ରଖିଥିବେ,ସେଥିପାଇଁ ତୁରନ୍ତ ଖୋଜିବା ନିମନ୍ତେ ଆମେ ବିଭାଗର ସବୁ ଶାଖାକୁ ଚିଠି ଲେଖିଛୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Advertisment

ସେପଟେ ଖବର ମିଳିଛି, ଶ୍ରୀମନ୍ଦିରରେ ଖୁଣ୍ଟିଆ ନିଯୋଗ ହାଇକୋର୍ଟରେ କରିଥିବା କେସ୍‌ ନେଇ ସମ୍ପୃକ୍ତ ଫାଇଲ୍‌ରେ ତଥ୍ୟ ରହିଥିଲା। କେଉଁ ଆଧାରରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ସଦସ୍ୟ ବଛାଯାଉଛି ସେନେଇ ହାଇକୋର୍ଟରେ ମାମଲା ଚାଲିଛି। ଯାହାର ତଥ୍ୟ ଏହି ଫାଇଲ୍‌ରେ ରହିଥିବା ଅନୁମାନ କରାଯାଇଉଛି।

ସୂଚନାଯୋଗ୍ୟ, ୨୦୧୮ ମସିହାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ପାଇଁ ଦିନ ଧାର୍ଯ୍ୟ ହେବାପରେ ଚାବି ନମିଳିବାରୁ ତାହା ଆଜିପର୍ଯ୍ୟନ୍ତ ଖୋଲାଯାଇପାରିନି । ଏପରିକି ଏହି ରତ୍ନଭଣ୍ଡାର ଚାବି ହଜିବା ଘଟଣାର ଯାଂଚ ନିମନ୍ତେ ରାଜ୍ୟ ସରକାର ଜଷ୍ଟିସ ରଘୁବର ଦାସଙ୍କ ନେତୃତ୍ୱରେ ଏକ ବିଚାର ବିଭାଗୀୟ କମିଶନ ଗଠନ କରିଥିଲେ ଓ ସେ ତାଙ୍କର ୩୨୪ପୃଷ୍ଠାର ରିପୋର୍ଟକୁ ୨୦୨୧ ଡିସେମ୍ବର ୧୮ତାରିଖରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ମାତ୍ର ଏହି ରିପୋର୍ଟକୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ସାର୍ବଜନୀନ କରିନାହାନ୍ତି । ଏପଟେ ଶ୍ରୀମନ୍ଦିର ପ୍ରଶାସନ ସହ ଜଡ଼ିତ ଆଉ ୨ଟି ଫାଇଲ ହଜିଯିବା ଖୋଲାଖୋଲି ଭାବେ ରାଜ୍ୟ ସରକାର ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛି ।

Puri Shreemandir Shree Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe