Advertisment

ରାଜ୍ୟରେ ଆତ୍ମହତ୍ୟା ପ୍ରବଣତା ଉଦବେଗଜନକ, ଦିନକୁ ପାଖାପାଖି ୧୫ ଜଣ ଜୀବନ ହାରୁଛନ୍ତି

ଭୁବନେଶ୍ୱରରେ ୨୦୨୧ରେ ୨୮୧ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୨ରେ ଏହା ୪୮ ପ୍ରତିଶତ ବଢ଼ି ୪୧୭ରେ ପହଞ୍ଚିଥିଲା।

author-image
Niranjan Mishra
ଅଦ୍ୟତନ ହୋଇଛି
Suruchita Guru

Suruchita Guru

ଗତ କିଛିଦିନ ହେଲା, ରାଜଧାନୀରୁ ରାଜ୍ୟବ୍ୟାପି ଯୁବପୀଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଉଦବେଗଜନକ ହାରରେ ବଢିଚାଲିଛି। ଭୁବନେଶ୍ୱରରେ ଲେଡି ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ, ମଡେଲ୍ ସୌମ୍ୟରଂଜନ ପାଣିଗ୍ରାହୀ, ବିଜେବି ଛାତ୍ରୀ ରୁଚିକା ମହାନ୍ତି, ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ। ମାତ୍ର କେଇ ମାସ ଭିତରେ ବାପା, ମା ଓ ପରିବାରର ଏହି ଭବିଷ୍ୟତ ମାନଙ୍କ ଅକାଳ ବିୟୋଗ ଘଟିଛି। କେବଳ ଏତିକି ନୁହେଁ, ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ-NCRBର ସର୍ବଶେଷ ତଥ୍ୟ କହୁଛି, ବିଭିନ୍ନ କାରଣରୁ ରାଜ୍ୟରେ ୨୦୧୬ରୁ ୨୦୨୧ ମଧ୍ୟରେ ୨୮ ହଜାର ୩୪୯ ଜଣ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଜାତୀୟ ହାର ତୁଳନାରେ ରାଜ୍ୟର ସୁଇସାଇଡ୍ ମାମଲା ୧୨ ପ୍ରତିଶତରୁ ଅଧିକ ରହିଛି।

Advertisment

ଗତବର୍ଷ ୫ ହଜାର ୬୫୧ ଜଣ ଅର୍ଥାତ୍ ଦିନକୁ ପାଖାପାଖି ୧୫ ଜଣ ଆତ୍ମହତ୍ୟା କରିଛନ୍ତି। ଯାହା ୨୦୨୦ ଅପେକ୍ଷା ଅଧିକ। ତାହାରି ଭିତରେ ରହିଛନ୍ତି ୮୩୪ ଜଣ ଛାତ୍ରଛାତ୍ରୀ। ସେହିପରି ଭୁବନେଶ୍ୱରରେ ୨୦୨୧ରେ ୨୮୧ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୨ରେ ଏହା ୪୮ ପ୍ରତିଶତ ବଢ଼ି ୪୧୭ରେ ପହଞ୍ଚିଥିଲା। 

ପ୍ରେମରେ ପ୍ରତାରଣାରୁ ହେଉ କିମ୍ବା କ୍ୟାରିୟରରେ ବିଫଳତା ପାଇଁ ହେଉ। ଜୀବନକୁ ସତେ ଯେମିତି ଖେଳ ଭାବୁଛନ୍ତି କିଛି ଯୁବ ଗୋଷ୍ଠୀ। ନିଜର ଭୂତ ଭବିଷ୍ୟତ ଏବଂ ଦାୟିତ୍ୱକୁ ଭୁଲି କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି। ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱର ଓ ବଲାଙ୍ଗିରରେ ଦୁଇ ଦୁଇ ଜଣଙ୍କ ଆତ୍ମହତ୍ୟା ଅଭିଭାବକଙ୍କୁ ଚିନ୍ତାରେ ପକାଇଦେଇଛି।

Advertisment

ବଲାଙ୍ଗିରର ଯୁବ ପ୍ରତିଭା ରୁଚିସ୍ମିତା ଆଜି ଅତୀତ। ସ୍ୱପ୍ନ ଥିଲା ରୂପେଲି ପରଦାରେ ନାୟିକା ହେବାକୁ। ଇଚ୍ଛା ଥିଲା ଭଲ ଗାୟିକାଟିଏ ବନିବାକୁ। ହେଲେ ସେହି ଇଚ୍ଛା ଆଉ ସ୍ୱପ୍ନ ଯେବେ ଡେଣା ମେଲିବାକୁ ବସିଥିଲା, ସେତିକିବେଳକୁ କ’ଣ ଘଟିଗଲା କେଜାଣି, ସବୁଦିନ ପାଇଁ ଲିଭିଗଲା ରୁଚିସ୍ମିତା ଗୁରୁଙ୍କ ଜୀବନ ଦୀପ। ରହିଯାଇଛି କେବଳ କିଛି ଗ୍ଲାମର ଫଟୋ, ଭିଡ଼ିଓ ଆଲବମ୍ ଆଉ ରିଲସ। ରୁଚିସ୍ମିତା କୁଆଡ଼େ ଡିପ୍ରେସନରେ ରହୁଥିଲେ। ଚିକିତ୍ସିତ ବି ହେଉଥିଲେ। ପରିବାର ଲୋକଙ୍କ କହିବା କଥା ନିଜ ରୁଚି ଅନୁଯାୟୀ, କୌଣସି କାମ ନମିଳିବାରୁ ସେ ଡିପ୍ରେସନରେ ଥିଲେ। ଆଉ ଗତକାଲି ମା’ ସହ ପଦେ ଦି’ପଦ କଥା କଟାକଟି ପରେ ସୁଦପଡ଼ା ସ୍ଥିତ ମାମୁ ଘରକୁ ଯାଇ ଆତ୍ମହତ୍ୟା କରିଦେଲେ।

ସେହିପରି ଯୁବ ଇଞ୍ଜିନିୟର ଦୁର୍ଗାପ୍ରସାଦ ମିଶ୍ର ଏବଂ ରାଜଧାନୀର ବହୁଚର୍ଚ୍ଚିତ ଡିଜେ ଆଜେକ୍ସ। ଶନିବାର ରାତିରେ ଦୁର୍ଗାପ୍ରସାଦ ଏବଂ ସପ୍ତାହକ ତଳେ ଡିଜେ ଆଜେକ୍ସ କରିଛନ୍ତି ଆତ୍ମହତ୍ୟା। ଉଭୟଙ୍କ ଆତ୍ମହତ୍ୟା ସେହି ପ୍ରେମ, ପ୍ରତାରଣା ଆଉ ପ୍ରେମିକା ଭିତରେ କେନ୍ଦ୍ରୀଭୂତ ରହୁଛି। ନିଜର ଜଣେ ସାଙ୍ଗର ବାନ୍ଧବୀଙ୍କ ବାର୍ଥ ଡେ ପାର୍ଟିକୁ ଯାଇ ଜାଗମରା ସ୍ଥିତ ଏକ ହୋଟେଲରେ ଅତି ରହସ୍ୟଜନକ ଭାବେ ଦୁର୍ଗାପ୍ରସାଦ ସୁଇସାଇଡ୍ କରିଥିବା କୁହାଯାଉଛି। କିନ୍ତୁ ପରିବାର ଲୋକଙ୍କ ଅଭିଯୋଗ, ଦୁର୍ଗାପ୍ରସାଦଙ୍କୁ ହତ୍ୟା କରାଯାଇଛି। ଯାହାକୁ ନେଇ ଖଣ୍ଡଗିରି ପୋଲିସ ଖୋଳତାଡ଼ ଜାରି ରଖିଛି।

ତେବେ ମାନସିକ ରୋଗ ବିଶେଷଜ୍ଞଙ୍କ କହିବା କଥା, ପ୍ରେମରେ ବିଫଳତା, କ୍ୟାରିୟର ପାଇଁ ଚାପ, ନିଶା ସେବନ ସହ ନିସଙ୍ଗତା ପାଇଁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢୁଛି। ତେଣୁ ପରିବାର ଏବଂ ସଂପର୍କୀୟ ଏହା ଉପରେ ଦୃଷ୍ଟିଦେବା ଉଚିତ।

High Alert Student Death