Advertisment

ଆଜିଠୁ ମହାନଦୀର ଅନୁଧ୍ୟାନ ଆରମ୍ଭ କଲେ ଟ୍ରିବ୍ୟୁନାଲ; ରାଜ୍ୟ ସରକାରଙ୍କୁ ଦୋଷ ଦେଇ ବର୍ଷିଲେ କଂଗ୍ରେସ-ବିଜେପି

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ଏ ଏମ୍ ଖାନୱାଲିକରଙ୍କ ନେତୃତ୍ୱରେ ଟ୍ରିବ୍ୟୁନାଲ ସଦସ୍ୟମାନେ ଆଜିଠୁ ଓଡ଼ିଶାରେ ମହାନଦୀର ଅନୁଧ୍ୟାନ ଆରମ୍ଭ କରିଛନ୍ତି ।

author-image
Ordigital Desk
Mahani River Tribunal

Mahani River Tribunal

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ଏ ଏମ୍ ଖାନୱାଲିକରଙ୍କ ନେତୃତ୍ୱରେ ଟ୍ରିବ୍ୟୁନାଲ ସଦସ୍ୟମାନେ ଆଜିଠୁ ଓଡ଼ିଶାରେ ମହାନଦୀର ଅନୁଧ୍ୟାନ ଆରମ୍ଭ କରିଛନ୍ତି । ଟ୍ରିବ୍ୟୁନାଲ ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ମହାନଦୀର ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି । ଏପଟେ ମହାନଦୀ ଜଳ ବିବାଦକୁ ନେଇ ଆଜି ଉଭୟ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତା ଯୋଗୁ ମହାନଦୀ ଲଢ଼େଇରେ ଓଡ଼ିଶାକୁ ସଫଳତା ମିଳୁନଥିବା କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି । ତେବେ ଶାସକ ବିଜେଡି ଏହାକୁ ଫାଙ୍କି ଦେଇଛି ।

Advertisment

ସୂଚନା ଅନୁସାରେ, ଜଷ୍ଟିସ ଖାନୱାଲିକରଙ୍କ ନେତୃତ୍ୱରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଆଜି ଝାରସୁଗୁଡ଼ାରୁ ଅନୁଧ୍ୟାନ ଆରମ୍ଭ କରିଛନ୍ତି । ଟ୍ରିବ୍ୟୁନାଲ ସଦସ୍ୟମାନେ ପ୍ରାୟ ୧୦ ଦିନ ଅର୍ଥାତ ମେ’ ୨୮ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ମହାନଦୀର ପ୍ରାୟ ୩୦ଟି ସ୍ଥାନକୁ ସର୍ଭେ କରିବେ । ଟ୍ରିବ୍ୟୁନାଲ ସଦସ୍ୟମାନେ ଶନିବାର ହୀରାକୁଦରୁ ଗସ୍ତ ଆରମ୍ଭ କରି ମହାନଦୀ ଅବବାହିକାରେ ସର୍ଭେ ଜାରି ରଖିବେ ବୋଲି ଆନ୍ତଃ-ରାଜ୍ୟ ଜଳବିବାଦ ମୁଖ୍ୟ ଯନ୍ତ୍ରୀ ଆଦିକନ୍ଦ ପାତ୍ର ସୂଚନା ଦେଇଛନ୍ତି । ଟ୍ରିବ୍ୟୁନାଲ ସଦସ୍ୟମାନେ ପ୍ରଥମ ପର୍ଯ୍ୟାୟରେ ଛତିଶଗଡ଼ରେ ମହାନଦୀର ଅନୁଧ୍ୟାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ଆସିଛନ୍ତି । ଟ୍ରିବ୍ୟୁନାଲ ତାଙ୍କ ଗସ୍ତ ସମୟରେ ଚିପିଲିମା ବିଦ୍ୟୁତ କେନ୍ଦ୍ର, ଟିକରାପଡ଼ା ଡ୍ୟାମ, ଚିଲିକା ହ୍ରଦ, ବିରୂପା ଓ ମହାନଦୀରେ ନିର୍ମିତ ବ୍ୟାରେଜ୍ ଓ ନଦୀ ମୁହାଣ ଆଦି ବୁଲି ଦେଖିବା ସହ ମହାନଦୀର ଶାଖା ଦୟା, ଭାର୍ଗବୀ, କୁଶଭଦ୍ରା ନଦୀ ଏବଂ ନରାଜ ବ୍ୟାରେଜକୁ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।

ଏପଟେ ଆଜି କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନର ୫ବର୍ଷ ବିତିଯାଇଥିଲେ ମଧ୍ୟ କାହିଁକି କୌଣସି ସମାଧାନର ବାଟ ବାହାରି ପାରୁନି ବୋଲି ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୨ଟି ଲେଖାଏଁ କମିଟି ଗଠନ ହୋଇ ଥିଲେସୁଦ୍ଧା ଗୋଟିଏ ଥର କମିଟି ବୈଠକ ବସିଲା ନାହିଁ କିମ୍ବା ଟ୍ରିବ୍ୟୁନାଲରେ ଉପଯୁକ୍ତ ଦାବି ରଖିବାରେ ଓଡ଼ିଶା ସକ୍ଷମ ହେଉନଥିବାରୁ ମହାନଦୀ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିପାରୁନି ବୋଲି କଂଗ୍ରେସ ଅଭିଯୋଗ କରିଛି ।

Advertisment

ପିସିସି ସଭାପତି ଶରତ ପଟ୍ଟନାୟକ, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଓ ପିପିସି ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଆଜି କଂଗ୍ରେସ ଭବନରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ ଆଣିବା ସହ ରାଜ୍ୟ ସରକାରଙ୍କ ଉଦାସୀନତା ପାଇଁ ମହାନଦୀ ଜଳ ବିବାଦ ହୋଇଛି ବୋଲି କହିଛନ୍ତି । ଚାଷୀଙ୍କ ପାଇଁ ଜଳସେଚନ ଓ ପିଇବା ପାଣିର ସମସ୍ୟା ଉତ୍କଟ ହେବାରେ ଲାଗିଛି । ତଥାପି ରାଜ୍ୟର ବିଜେଡି ସରକାର କେବଳ ରାଜନୀତିକ ଫାଇଦା ପାଇଁ ବେବେଳେ ମହାନଦୀ ପ୍ରସଙ୍ଗ ଉଠାଇ ଚୁପ୍ ହୋଇ ବସିପଡ଼ୁଛି । ଉଭୟ ବିଜେଡି ଓ ବିଜେପି ଓଡ଼ିଶାର ସ୍ୱାର୍ଥ ପରିବର୍ତ୍ତେ ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଥିବାରୁ ଓଡ଼ିଶାର ଭାଗ୍ୟ ବିଡ଼ମ୍ବିତ ହୋଇଚାଲିଛି ।

ବିଜୟ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ଗତ ୧୦ବର୍ଷ ଧରି ରାଜ୍ୟ ସରକାର ଖରାଦିନେ ଡାଳୁଅ ଚାଷ ପାଇଁ କେନାଲକୁ ପାଣି ଛାଡ଼ିବା ବନ୍ଦ କରିଦେଇଛନ୍ତି । କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ଓ ପୁରୀ କେନାଲରେ ପାଣି ଛଡ଼ା ଯାଉନାହିଁ । ଫଳରେ ଉପକୂଳ ଅଂଚଳରେ ଚାଷଜମି ଲବଣାକ୍ତ ହେବା ସହ କୂଅ ପୋଖରୀ ଶୁଖିଗଲାଣି । ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଟ୍ରିବ୍ୟୁନାଲ ଏକ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ପ୍ରଦାନ କରିବାକୁ କଂଗ୍ରେସ ଦାବି କରିଛି । ୫ବର୍ଷ ବିତିଯାଇଥିଲେ ମଧ୍ୟ ମହାନଦୀ ସମସ୍ୟାକୁ ନେଇ ସାଧାରଣ ସୂଚନା ପୁସ୍ତିକା ପ୍ରକାଶ କରିବାରେ ସରକାର ବିଫଳ ହୋଇଛନ୍ତି । ଟ୍ରିବ୍ୟୁନାଲ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦେଉନାହାନ୍ତି କି ରାଜ୍ୟ ସରକାର ବି ଏଥିପାଇଁ ଦାବି କରୁନାହାନ୍ତି ।

ଛତିଶଗଡ଼ ଉପରମୁଣ୍ଡରେ ବହୁ ସଂଖ୍ୟାରେ ବ୍ୟାରେଜ୍ ନିର୍ମାଣ କରିଥିବାରୁ ଏପ୍ରିଲ ମାସରେ ମହାନଦୀ ଜଳ ଭଣ୍ଡାରରେ ୭୩ ପ୍ରତିଶତ ଜଳ ହ୍ରାସ ପାଇଛି ଓ ମେ’ ମାସରେ ୭୭.୭ ପ୍ରତିଶତ ଜଳ କମିଛି । ଯଦି ଛତିଶଗଡ଼ ସରକାର ଏତେଗୁଡ଼ିକ ବନ୍ଧ ନିର୍ମାଣ କରିପାରିଲେ,ତା’ହେଲେ ୨୩ବର୍ଷର ସରକାରରେ ମୁଖ୍ୟମନ୍ତ୍ରୀ ମହାନଦୀ ତଳମୁଣ୍ଡରେ ଏପର୍ଯ୍ୟନ୍ତ କ’ଣ କରିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିବା ସହ ଯଦି ଓଡ଼ିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଟ୍ରିବ୍ୟୁନାଲଙ୍କ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ନଆସେ ଓ କେନାଲରେ ପାଣି ଛଡ଼ାନଯାଏ ତା’ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଏହି ବରିଷ୍ଠ ନେତାମାନେ ଚେତାବନୀ ଦେଇଛନ୍ତି ।

ସେହିପରି ମହାନଦୀ ପ୍ରସଙ୍ଗରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶା ସରକାର ମହାନଦୀ ଜଳବିବାଦର ସମାଧାନ ଚାହାଁନ୍ତି ନାହିଁ । ଛତିଶଗଡ଼ରେ ବିଜେପି ସରକାର ଥିଲାବେଳେ ସମାଧାନ ପାଇଁ ପରାମର୍ଶ ଦିଆଯାଇଥିଲା । ତତକାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମାଭାରତୀ ଉଭୟ ରାଜ୍ୟ ଆପୋଷ ଆଲୋଚନାରେ ସମାଧାନ କରନ୍ତୁ ବୋଲି କହିଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ବୈଠକରୁ ଉଠି ଆସିଲେ ଓ ଟ୍ରିବ୍ୟୁନାଲ ଯିବୁ ବୋଲି କହିଲେ । ଟ୍ରିବ୍ୟୁନାଲ ନିଷ୍ପତ୍ତି କେତେ ବିଳମ୍ବରେ ଆସେ ତାହା ସମସ୍ତେ ଜାଣନ୍ତି । ରାଜ୍ୟ ସରକାର କଦାପି ମହାନଦୀ ବିବାଦର ସମାଧାନ ଚାହାଁନ୍ତି ନାହିଁ । ରାଜନୀତି କରି ନିର୍ବାଚନ ଜିତିବା ହେଉଛି ସରକାରଙ୍କ ଲକ୍ଷ୍ୟ । ମହାନଦୀକୁ ନେଇ ନିର୍ବାଚନ ପୂର୍ବରୁ ଆନ୍ଦୋଳନ କରିଥିଲେ, ପରେ ଏହି ଆନ୍ଦୋଳନ ଗଲା କୁଆଡ଼େ ବୋଲି ବିଜେପି ପ୍ରଶ୍ନ କରିଛି ।

ଅନ୍ୟପକ୍ଷରେ, ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, କଂଗ୍ରେସ ବିତଣ୍ଡା ଯୁକ୍ତି କରୁଛି । ମହାନଦୀ ପ୍ରସଙ୍ଗରେ ଯାହା କରିବା କଥା ରାଜ୍ୟ ସରକାର କରିଛନ୍ତି ।

Mahanadi River Tribal Issues